ଅଣ-ବିଜେପି ଭୋଟ ବିଭାଜନ ବନ୍ଦ ନ ହେଲେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ମୋଦି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 14, 2019

ଅଣ-ବିଜେପି ଭୋଟ ବିଭାଜନ ବନ୍ଦ ନ ହେଲେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ମୋଦି !

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ପାକିସ୍ତାନର ବାଲାକୋଟ୍‌ରେ ଭାରତ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଭାରତର ରାଜନୈତିକ ପରିବେଶରେ ଏକ ପ୍ରକାର ପରିବର୍ତ୍ତନ ଦେଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଦଳିତ, ପଛୁଆ ବର୍ଗ ଓ ମୁସଲମାନମାନଙ୍କ ସ୍ୱର ଏବେ ବଦଳୁଥିବା ଲକ୍ଷ୍ୟ କରାଯାଉଛି।

ତେବେ ଏମାନଙ୍କୁ ଏକ ମଜବୁତ୍‌ ନେତୃତ୍ୱର ଆବଶ୍ୟକତା ରହିଛି। ଅନ୍ୟ ସମସ୍ତ ବିରୋଧୀ ଦଳ ନେତା ଏହି ପଛୁଆ ବର୍ଗର ଭୋଟ୍‌ ବ୍ୟାଙ୍କକୁ ନିଜ ହାତକୁ ଆଣିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ମୋଦିଙ୍କୁ ହରାଇବା ବିରୋଧୀଙ୍କ ପାଇଁ ଏତେଟା ସହଜ ହେବନି ବୋଲି ରାଜନୀତି ବିଶାରଦମାନେ ଅନୁମାନ କରୁଛନ୍ତି।
ତେବେ ମୋଦି ସରକାରଙ୍କୁ ଭାଙ୍ଗିବା ପାଇଁ ଗୋଟିଏ ରାସ୍ତା ହେଉଛି, ବିରୋଧୀଙ୍କୁ ଏକ ମେଣ୍ଟ ଗଠନ କରି ଲଢ଼ିବାକୁ ପଡ଼ିବ। ଏପରି ଏକ ମେଣ୍ଟ ଗଠନ କରିବାକୁ ପଡ଼ିବ ଯେଉଁ ମେଣ୍ଟ ମୋଦି ସରକାରଙ୍କୁ ସିଧା ଟକ୍କର ଦେବ।
କିନ୍ତୁ ପ୍ରଶ୍ନ, ଏହା କ’ଣ ସମ୍ଭବ?

ଏହି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ପ୍ରଥମେ ଦେଶର ସାଂପ୍ରତିକ ରାଜେନୈତିକ ସ୍ଥିତି ଉପରେ ନଜର ପକାଇବା। ରାଜ୍ୟମାନଙ୍କର ରାଜନୈତିକ ପାଣିପାଗକୁ ଲକ୍ଷ୍ୟ କଲେ ଜାଣିବା ଏଠାରେ ୪ ପ୍ରକାର ସ୍ଥିତି ରହିଛି।

୧.ପ୍ରଥମଟି ହେଉଛି କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ
୨. ଦ୍ୱିତୀୟରେ ବିଜେପି ଓ କଂଗ୍ରେସ ଲଢେଇରେ କଂଗ୍ରେସର ଭୂମିକା ଗୌଣ
୩. ତୃତୀୟରେ ବିଜେପି ଓ କଂଗ୍ରେସ ସହିତ ଅନ୍ୟ ଆଞ୍ଚଳିକ ଦଳଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା
୪. ଚତୁର୍ଥରେ ବିଜେପି ଓ କଂଗ୍ରେସ ଦୁଇଟି ଯାକ ଦଳର ସୀମିତ ଭୋଟ ବ୍ୟାଙ୍କ
୪ ରାଜ୍ୟରେ ହେବ କଂଗ୍ରେସ-ବିଜେପି ସିଧା ଲଢ଼େଇ

ଗୁଜରାଟ, ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ପରି ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧା ଲଢ଼େଇ ହେବାକୁ ଯାଉଛି। ଏହି ୪ ରାଜ୍ୟରେ ରହିଛି ମୋଟ ୯୧ ଟି ଲୋକସଭା ଆସନ । ଗତ ନିର୍ବାଚନରେ ଏହି ସମସ୍ତ ସିଟ୍‌ରୁ ମୋଟ ୮୮ଟି ସିଟ୍‌ ବିଜେପି ନିଜ ହାତକୁ ନେବାରେ ସଫଳ ହୋଇଥିଲା।

କିନ୍ତୁ ଏଥର ଏହି ସବୁ ରାଜ୍ୟରେ କଂଗ୍ରେସ ଓ ବିଜେପି ସିଧାସଳଖ ଭାବେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ବର୍ତ୍ତମାନ କଂଗ୍ରେସ ଆଗ ଅପେକ୍ଷା ନିଜର ସ୍ଥିତିକୁ ମଜବୁତ୍‌ କରିସାରିଛି। ଏଥିପାଇଁ ଏହି ନିର୍ବାଚନୀ ଲଢ଼େଇ ପଛଥର ପରି ଏକ ତରଫା ହେବ ନାହିଁ।
ଏଠାରେ ଆଞ୍ଚଳିକ ଦଳର ଦବଦବା ବେଶି
ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ପରି ରାଜ୍ୟରେ ଆଞ୍ଚଳିକ ଦଳମାନଙ୍କର ଦବଦବା ବେଶି ରହିଛି । ଏସବୁ ରାଜ୍ୟରେ ରାଷ୍ଟ୍ରୀୟ ଦଳର ପ୍ରଭାବ ବହୁତ କମ୍‌ କହିଲେ ଚଳେ। ଏହି ସବୁ ଦଳ ପ୍ରଭାବଶାଳୀ ହେବା ସହିତ ବଡ଼ ଲକ୍ଷ୍ୟ ନେଇ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ରହିଛନ୍ତି। ତେବେ ବିଧାନସଭା ନିର୍ବାଚନ ଏହିସବୁ ଦଳ ସପକ୍ଷରେ ରହିଲେ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନରେ ଏହି ସମୀକରଣ ବଦଳିବାର ସମ୍ଭାବନା ରହିଛି। କେନ୍ଦ୍ରରେ ଯେଉଁ ଦଳ ଓ ମେଣ୍ଟ ପାଖରେ ସରକାର ଗଢ଼ିବା ପାଇଁ ସାମର୍ଥ୍ୟ ରହିବ, ଏହି ସମସ୍ତ ଆଞ୍ଚଳିକ ଦଳର ପଲା ସେହି ଦଳ ପାଖକୁ ଢଳିବ ବୋଲି ଅନୁମାନ କରାଯାଉଛି।
ଏସବୁ ରାଜ୍ୟରେ ଅଣ-ବିଜେପି ଭୋଟର ବିଭାଜନ ହେବ
ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର, କର୍ଣ୍ଣାଟକ ପରି ବଡ଼ ରାଜ୍ୟ ଏବଂ ଆସାମ, ପଞ୍ଜାବ, ହରିୟାଣା, ଝାଡ଼ଖଣ୍ଡ, ଜମ୍ମୁ-କଶ୍ମୀର ଓ ଦିଲ୍ଲୀ ପରି ଛୋଟ ରାଜ୍ୟରେ ଅଣ-ବିଜେପି ଭୋଟ ବିଭାଜନ ହୋଇଯିବାର ପୂର୍ବରୁ ନଜିର ରହିଛି। ଯାହାଫଳରେ ବିଜେପିକୁ ସିଧାସଳଖ ଲାଭ ମିଳିଥିଲା। ଏହି ସମସ୍ତ ରାଜ୍ୟର ମୋଟ ୨୬୦ଟି ଲୋକସଭା ଆସନ ରହିଛି। ଅଣ-ବିଜେପି ଭୋଟ ବାଣ୍ଟି ହୋଇଯିବାରୁ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିକୁ ୨୦୫ଟି ସିଟ୍‌ ମିଳିଥିଲା। ତେଣୁ ଚଳିତ ବର୍ଷ ଯଦି ଏସବୁ ରାଜ୍ୟରେ ଅଣ-ବିଜେପି ଭୋଟ୍‌ ବିଭାଜନକୁ ରୋକା ନ ଯାଏ, ତେବେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ।

ଏହାକୁ ଆଖିରେ ରଖି ଅଣ-ବିଜେପି ଦଳ ଆଗାମୀ ଦିନରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। କଂଗ୍ରେସର କିଛି ନେତାଙ୍କ କହିବା ଅନୁସାରେ ବିନା ମେଣ୍ଟରେ ବିଜେପିର ରଥକୁ ରୋକିବା ସମ୍ଭବ ହେବ ନାହିଁ। କିନ୍ତୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଓ ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ଏହା ଜାଣି ସାରିଲେଣି ଯେ ଭୋଟ ବ୍ୟାଙ୍କକୁ ବଣ୍ଟା ଗଲେ ତାଙ୍କର ବିଜୟ ଆଶାନୁରୂପ ହୋଇପାରିବ ନାହିଁ। ଏଥିପାଇଁ ଏହି ଦୁଇଟି ଦଳ କଂଗ୍ରେସ ଦଳ ବିରୋଧରେ କୌଣସି ପ୍ରତିକ୍ରିୟା ଦେଉ ନାହାନ୍ତି।
ସଙ୍କଟରେ ମାୟାବତୀ
ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କୁ ଦଳିତମାନେ ସର୍ବଦା ସମ୍ମାନ ଜଣାଇଥାନ୍ତି। କିନ୍ତୁ ଗୋଟିଏ ପରେ ଗୋଟିଏ ଭୁଲ୍‌ ନିଷ୍ପତି ଏବଂ ଦଳିତଙ୍କୁ ସେମାନଙ୍କ ଅଧିକାର ସହିତ ଜଡ଼ିତ ମାମଲାରେ ନ୍ୟାୟ ଦେବା ପାଇଁ ବିଳମ୍ୱ କରିବା ଯୋଗୁ ଦଳିତଙ୍କର ମାୟାବତୀଙ୍କ ପ୍ରତି ଥିବା ସମ୍ମାନ କମ୍ ହେଉଥିବା ଦେଖାଯାଉଛି।

ଏହାର ପରିଣାମ ସ୍ୱରୂପ ମାୟାବତୀଙ୍କ ଦଳିତ ଭୋଟ ବ୍ୟାଙ୍କ୍‌ ହାତରୁ ଖସିବାରେ ଲାଗିଛି।
ଦଳିତଙ୍କ ନେତୃତ୍ୱ ନେଉଥିବା ଯୁବପିଢ଼ି ମାୟାବତୀଙ୍କ ସମ୍ମୁଖରେ ବଡ଼ ପ୍ରତିବନ୍ଧକ ଭାବରେ ଛିଡ଼ା ହେଉଥିବା ଦେଖିବାକୁ ମିଳୁଛି।
୨୦୧୯ ଲୋକସଭା ନିର୍ବାଚନ ଲଢ଼େଇରେ ମୋଦି ଓ ରାହୁଲଙ୍କୁ ବାଦ୍‌ ଦେଲେ, ଯଦି କୌଣସି ନେତାଙ୍କର ନିର୍ବାଚନୀ କ୍ଷେତ୍ର ସଙ୍କଟରେ ଥାଏ, ସେ ହେଉଛନ୍ତି ମାୟାବତୀ। କାରଣ ହେଉଛି ମାୟାବତୀ ବର୍ଷ ବର୍ଷର ପୁରୁଣା ଶତ୍ରୁତାକୁ ଭୁଲି ସମାଜବାଦୀ ପାର୍ଟି ସହିତ ମେଣ୍ଟ ଗଠନ କରିଛନ୍ତି। କିନ୍ତୁ ଏହି ମେଣ୍ଟ କଂଗ୍ରେସ ବିନା ଅଧୁରା କହିଲେ ଚଳେ। ମାୟାବତୀ କଂଗ୍ରେସ ସହିତ ମେଣ୍ଟ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି।

ସେପଟେ କଂଗ୍ରେସ ମଧ୍ୟ ନିଜର ବଳ ଏକଜୁଟ କରିବାରେ ଲାଗି ପଡ଼ିଛି। ଯଦି କଂଗ୍ରେସ ଛୋଟ ଛୋଟ ଦଳକୁ ଏକାଠି କରି ମେଣ୍ଟ ଗଠନ କରିବାରେ ସଫଳ ହୁଏ, ତେବେ ବିଜୟ ହୁଏତ ତାକୁ ନ ମିଳିପାରେ। କିନ୍ତୁ ମାୟାବତୀ ଓ ଅଖିଲେଶଙ୍କ ଖେଳ ଯେ ଓଲଟପାଲଟ ହୋଇଯିବ ଏହାର ଅନୁମାନ ମାୟାବତୀ ନିଶ୍ଚୟ ଲଗାଇଥିବେ।

ଶେଷରେ କହିବାକୁ ଗଲେ ପୁଲୱାମା ଆକ୍ରମଣ ଓ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ରାଜନୀତିର ପାଣିପାଗରେ ବହୁତ ପରିବର୍ତ୍ତନ ଆଣିବାରେ ଲାଗିଛି। ଏହି ବଦଳୁଥିବା ରାଜନୈତିକ ପାଗରେ ଉପଯୁକ୍ତ ରଣନୀତି ହିଁ ବିଜୟ ସମ୍ଭାବନାକୁ ଆଗକୁ ନେଇ ପାରିବ। ଅବଶ୍ୟ ଆଗାମୀ ଦିନରେ ଶାସନକୁ ନିଜ ହାତକୁ ନେବା ପାଇଁ ଅନେକ କାର୍ଡ ଖେଳାଯିବା ବାକି ଅଛି । କିନ୍ତୁ ଯଦି ସେପରି କିଛି ହେଲା ନାହିଁ ତେବେ ପୁଣି ଥରେ ବିଜେପି ବିଜୟ ନିଶ୍ଚିତ କହିଲେ ଚଳେ।



from Odisha Reporter https://ift.tt/2UCd4wy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages