
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାତୀଙ୍କ ଗତିବିଧିକୁ ନେଇ ବନ ବିଭାଗ ଆଗୁଆ ସୁରକ୍ଷା ବ୍ୟବସ୍ଥା ବା ଆଡ୍ଭାନ୍ସ ପ୍ରୋଟେକ୍ସନ ପ୍ଲାନ୍ ପ୍ରସ୍ତୁତ କରିବ। ଯେଉଁ ସମୟରେ ହାତୀପଲ ଯେଉଁ ଅଞ୍ଚଳରେ ବିଚରଣ କରୁଛନ୍ତି, ସେହି ଅଞ୍ଚଳକୁ ଚିହ୍ନଟ କରାଯିବ। ଏହି ଅଞ୍ଚଳ ଦେଇ ହାତୀ ଗଲାବେଳେ ଯେଭଳି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ପୂର୍ବରୁ ଯୋଜନା କରାଯିବ ବୋଲି ନୂଆ କରି କାର୍ଯ୍ୟରେ ଯୋଗଦେଇଥିବା ରାଜ୍ୟ ବନ୍ୟପ୍ରାଣୀ ବନ ବିଭାଗର ମୁଖ୍ୟ ଡ. ଅଜୟ କୁମାର ମହାପାତ୍ର।
ସେ କହିଛନ୍ତି-“ବର୍ତ୍ତମାନ ସମୟରେ ଜନ୍ତୁ-ମଣିଷ ଲଢ଼େଇକୁ ପ୍ରଶମିତ କରିବା ସହ ଜାରି ରହିଥିବା ଯୋଜନାଗୁଡ଼ିକ କିଭଳି ଫଳପ୍ରଦ ଭାବେ ପରିଚାଳିତ ହେବ, ସେଥିନେଇ ଉଦ୍ୟମ କରାଯିବ।”
ଡ଼.ମହାପାତ୍ର କହିଛନ୍ତି, “ଓଡ଼ିଶା ଜଙ୍ଗଲ ସମ୍ପଦରେ ଭରା ରାଜ୍ୟ। ଏଥିରେ ବିଭିନ୍ନ ବନ୍ୟପ୍ରାଣୀ ମଧ୍ୟ ରହିଛନ୍ତି। ତେଣୁ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ରଖିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ହେବ। ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଉଦ୍ୟମକୁ ଜୋରଦାର କରାଯିବ। ଲୋକ ବଞ୍ଚିଲେ ବନ୍ୟପ୍ରାଣୀ ବଞ୍ଚିବେ ଓ ବନ୍ୟପ୍ରାଣୀ ବଞ୍ଚିଲେ ପରିବେଶ ବଞ୍ଚିବ। ତା’ପରେ ଯାଇ ପରିବେଶ ସୁରକ୍ଷିତ ରହିପାରିବ।”
ବିଭିନ୍ନ ବିଭାଗ ସହିତ ସମ୍ପର୍କ ସ୍ଥାପନ ନେଇ ଡ.ମହାପାତ୍ର କହିଛନ୍ତି,“ରେଳ ଓ ବିଦ୍ୟୁତ ବିଭାଗ ସହିତ ସମନ୍ୱୟ ରକ୍ଷା ପାଇଁ ୧୫ ଦିନରେ ଥରେ ବୈଠକ ବସୁଛି। ହାତୀ ଚଳପ୍ରଚଳ କରୁଥିବା ସମୟରେ ବିଜୁଳି କାଟିବାକୁ ବିଦ୍ୟୁତ ବିଭାଗକୁ ପରାମର୍ଶ ଦିଆଯାଇଛି। ସେହିପରି ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଟ୍ରେନ୍ର ଗତି କମାଇବା ପାଇଁ ମଧ୍ୟ ରେଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।”
from Odisha Reporter https://ift.tt/2UycwrB
No comments:
Post a Comment