
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶଙ୍ଖ ଛାଡ଼ି ପଦ୍ମ ଧରିଲେ ବିଜେଡିର ଆଉ ଜଣେ ଟାଣୁଆ ସଂଗଠକ ବାବୁ ସିଂ। ଭୁବନେଶ୍ୱର ବିଜେଡିର କାର୍ଯ୍ୟକାରୀ ସଭାପତି ଥିବା ବାବୁ ସିଂ, ବିଜୁ ବାବୁଙ୍କ ସମୟରୁ ଦଳୀୟ ସଂଗଠନରେ ରହିଆସିଛନ୍ତି। ତେବେ ବିଜେଡି ଭିତରେ ରହି ଅଣନିଃଶ୍ୱାସୀ ବୋଧ କରୁଥିବା ଦର୍ଶାଇ ସେ ଆଜି ନିଜ ଦଳ ବଳ ଧରି ପଦ୍ମ ଧରିଛନ୍ତି। ତାଙ୍କ ସହ ବିଜେଡିର କିଛି ପୂର୍ବତନ କର୍ପୋରେଟର ଓ ଛାତ୍ର ବିଜେଡିର କିଛି ସଦସ୍ୟ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।
କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ବାବୁ ସିଂଙ୍କ ପରେ ବିଜେଡି ସହ ଦୀର୍ଘ ଦିନ ଧରି ରହି ଆସିଥିବା ଅନେକ ନେତା ଏବେ ବିଜେପି ମୁହାଁ ହୋଇଛନ୍ତି। ସେମାନଙ୍କ ଭିତରେ ଉପକୂଳର ତିନି ବରିଷ୍ଠ ନେତାଙ୍କ ସହ ପଶ୍ଚିମ ଓଡ଼ିଶାର ଦୁଇ ହେଭିୱେଟ ମଧ୍ୟ ଅଛିନ୍ତି ବୋଲି ଚର୍ଚ୍ଚା ହେଉଛି। ଏମାନଙ୍କ ସହ ପ୍ରାରମ୍ଭିକ ପର୍ଯ୍ୟାୟ କଥାବାର୍ତ୍ତା ସରିଛି ବୋଲି କୁହାଯାଉଛି।
କଂଗ୍ରେସ ଛାଡ଼ି ନବକିଶୋର ଦାସ ବିଜେଡିକୁ ଯିବା ପରେ ଝାରସୁଗୁଡ଼ା ବିଜେଡି ରାଜନୀତିରେ ବେଶ ଦବଦବା ରଖୁଥିବା ଟାଣୁଆ ନେତା କିଶୋର ମହାନ୍ତିକୁ ବିଜେପି ନିଜ ଆଡକୁ ନେବାକୁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି। କିନ୍ତୁ ଏହି ଚର୍ଚ୍ଚାକୁ କିଶୋର ଖଣ୍ଡନ କରିଛନ୍ତି।
ଦଳର ପ୍ରଭାରୀ ଅରୁଣ ସିଂହ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କାମ କରିବା ପାଇଁ ଅନେକ ବିଜେଡି ନେତା ବିଜେପିରେ ମିଶିବାକୁ ଆଗ୍ରହୀ ଅଛନ୍ତି।”
ବିଜେଡି ଝାରସୁଗୁଡ଼ା ଜିଲ୍ଲା ସଭାପତି କିଶୋର ମହାନ୍ତି କହିଛନ୍ତି-“ବର୍ତ୍ତମାନ ମୁଁ ଦଳରେ ରହିଛି। ତେବେ ଟିକଟ ମିଳିବ କି ନାହିଁ, ତାହା ନିଷ୍ପତ୍ତି ସୁପ୍ରିମୋ ନେବେ। ମୁଁ ଦଳର ପ୍ରତିଷ୍ଠା ଦିନଠାରୁ ଦଳରେ ରହିଛି, ଆଗକୁ ମଧ୍ୟ ରହିବି।”
ସେପଟେ ରାଜ୍ୟର ଭେଟେରାନ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ତିନିମାସ ତଳେ ବିଜେପିରୁ ଇସ୍ତଫା ଦେଇଛନ୍ତି। ହେଲେ ସେମାନେ ଏପର୍ଯ୍ୟନ୍ତ କୌଣସି ଦଳରେ ସାମିଲ ହୋଇନାହାନ୍ତି। ଏମାନେ ଦଳକୁ ଫେରିବେ କି ବୋଲି ପ୍ରଶ୍ନରେ ଉତ୍ତରରେ ଅରୁଣ ସିଂହ କହିଛନ୍ତି,”କେହି ଦଳରୁ ଯାଇନାହାନ୍ତି।”
ତେବେ ଏ ନେଇ ବିଜୟ କିମ୍ବା ଦିଲ୍ଲୀପଙ୍କର ପ୍ରତିକ୍ରିୟା ମିଳିପାରିନି।
from Odisha Reporter https://ift.tt/2XXiTGS
No comments:
Post a Comment