
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ବିଜୟ ସଂକଳ୍ପ ଅଭିଯାନରେ ନିର୍ବାଚନ ପ୍ରଚାରର ବିଗୁଲ ଫୁଙ୍କିଲେ ବିଜେପିର ହେଭିୱେଟ ନେତା। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜକୁମାର ସିଂଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଜି ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। କେନ୍ଦ୍ରର ଜନହିତକର ଯୋଜନା କଥା କହିବା ସହ ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଇଥିଲେ। ଏପଟେ ଟିକେଟ୍ ଟେନ୍ସନ ଭିତରେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଦଳର ରାଜ୍ୟ ଉପସଭାପତି ତଥା ବରଗଡ଼ ଲୋକସଭା ଆସନରେ ଗତଥର ପ୍ରାର୍ଥୀ ସୁବାସ ଚୌହାନ।
ଆଜି ଗୋଟିଏ ଦିନରେ ତିନୋଟି ସ୍ଥାନରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଟିତ ହୋଇଥିଲା। ଜଗତସିଂହପୁର ଲୋକସଭା ଅଧିନରେ ଯାଉଥିବା ବଳଙ୍ଗାରେ ବିଜେପି ପାଇଁ ପ୍ରଚାର କରିଥିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନ। ସେହିପରି ଯାଜପୁର ମଧୁବନ ସମାବେଶରେ କର୍ମୀଙ୍କୁ ଉଦବୋଧନ ଦେଇଥିଲେ କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜକୁମାର ସିଂ। ଆଉ ବାଲେଶ୍ୱରର ରେମୁଣାରେ ପ୍ରଚାର ମଇଦାନକୁ ଓହ୍ଲାଇ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ।
ମୋଦି ସରକାରଙ୍କ ୫ ବର୍ଷର ଉପଲବଧି ଲୋକଙ୍କ ଆଗରେ ରଖିବା ସହ ରାଜ୍ୟରେ ମହିଳାଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର, ବେରୋଜଗାର, ଦାଦନ, ଦୁର୍ନୀତି ଓ ଭ୍ରଷ୍ଟାଚାର କଥା ଉଠାଇ ପରିବର୍ତ୍ତନର ଆହ୍ୱାନ ଦେଇଥିଲେ। ସେପଟେ ଗତକାଲି ବିଳମ୍ବିତ ରାତିରେ ଦଳ ବିଜେପୁର ପାଇଁ ସନତ ଗରଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମଇଦାନକୁ ଛାଡିଛି। ଏପଟେ ଟିକେଟକୁ ନେଇ ଦଳରେ ଟେନସନ ବି ଲାଗି ରହିଛି। ଦଳର ରାଜ୍ୟ ଉପସଭାପତି ପଦ ପାଇଥିବା ସୁବାସ ଚୌହାନ ଆଜି ଇସ୍ତଫା ଦେଇଛନ୍ତି।
ବରଗଡ ଲୋକସଭା ଆସନରୁ ଗତ ଥର ଲଢ଼ିଥିବା ସୁବାସଙ୍କୁ ଏଥର ଟିକେଟ ମିଳିନଥିଲା। ବିଜେପୁରରୁ ଦଳ ତାଙ୍କୁ ଲଢ଼ିବାକୁ କହିବାରୁ ଏହାକୁ ପ୍ରତ୍ୟାଖାନ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁବାସ। ତେବେ ଇସ୍ତଫା ଦେବା ପରେ ରାଜ୍ୟ ନେତୃତ୍ୱଙ୍କ ଉପରେ ବର୍ଷିବା ସହ କୋହ ସମ୍ବରଣ କରିପାରିନଥିଲେ ସୁବାସ। ତେବେ ଦଳ ସୁବାସଙ୍କୁ ସ୍ୱାର୍ଥପର କହି ଦୂରେଇ ଦେଇଛି ।
from Odisha Reporter https://ift.tt/2U74xF5
No comments:
Post a Comment