
ନୂଆଦିଲ୍ଲୀ: ପାକିସ୍ତାନରେ ରହି ଭାରତ ବିରୋଧରେ ଆତଙ୍କବାଦୀ ହମ୍ଲାର ଷଡ଼ଯନ୍ତ୍ର କରୁଥିବା ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ଅଡ଼ୁଆ ବଢ଼ିଛି। ତା’ ବିରୋଧରେ ଭାରତ ଯଥେଷ୍ଟ ପ୍ରମାଣ ଯୋଗାଡ଼ କରିବା ସହ ତାକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ସୁରକ୍ଷା ପରିଷଦକୁ କହିଛି। ଏ ଦିଗରେ ସହଯୋଗ କରିବାକୁ ଭାରତ ସରକାର ସମସ୍ତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନଙ୍କୁ ମଧ୍ୟ କହିଛନ୍ତି।
ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ମାସୁଦକୁ ଆତଙ୍କୀ ଘୋଷଣା କରିବା ପାଇଁ ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରି ସାରିଛନ୍ତି। ଆସନ୍ତା ୧୩ ତାରିଖରେ ମାସୁଦର ଭାଗ୍ୟ ନିର୍ଦ୍ଧାରଣ ହେବ।
ମାସୁଦ ଆଝାର ଏକାଧିକ ଆତଙ୍କୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବାରୁ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ତା’କୁ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ସୁରକ୍ଷା ପରିଷଦରେ ବାରମ୍ବାର ପ୍ରସ୍ତାବ ଆଗତ କରିଥିଲେ। ତେବେ ଚୀନ୍ ନିଜର ଭିଟୋ କ୍ଷମତା ପ୍ରୟୋଗ କରି ମାସୁଦକୁ ସୁରକ୍ଷା ଯୋଗାଇ ଆସିଛି। ଏବେ ପୁଲୱାମା ଆତଙ୍କୀ ହମ୍ଲାରେ ଜୈଶର ହାତ ଥିବା ପ୍ରମାଣ ମିଳିବା ପରେ ଭାରତ ତା’କୁ ଆତଙ୍କବାଦୀ ଘୋଷଣା କରିବାକୁ ଉଦ୍ୟମ ଆରମ୍ଭ କରିଛି।
ଏ ସମ୍ପର୍କରେ ଆଜି ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, “ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ସଦସ୍ୟ ଜୈଶ କ୍ୟାମ୍ପ ପାକିସ୍ତାନରେ ରହିଛି ବୋଲି ଜାଣିଛନ୍ତି। ଏଥିସହ ଜୈଶ ମୁଖ୍ୟ ମାସୁଦର କାର୍ଯ୍ୟକଳାପ ସମ୍ପର୍କରେ ସେମାନେ ଭଲ ଭାବେ ଅବଗତ ରହିଛନ୍ତି। ସେ ପାକିସ୍ତାନରେ ବେଶ ଆରାମରେ ରହୁଛି। ଏବେ ତା’କୁ ଆତଙ୍କବାଦୀ ଘୋଷଣା କରିବାରେ ସହାୟତା କରିବାକୁ ସମସ୍ତ ସଦସ୍ୟ ରାଷ୍ଟ୍ରକୁ କୁହାଯାଇଛି।”
ମାସୁଦକୁ ଆତଙ୍କୀ ଘୋଷଣା ପ୍ରସ୍ତାବକୁ ପୂର୍ବରୁ ଚୀନ୍ ସମେତ ପାକିସ୍ତାନ ବିରୋଧ କରୁଥିଲେ। ହେଲେ ପୁଲୱାମା ହମ୍ଲାରେ ମାସୁଦର ହାତ ଥିବା ଜଣାପଡ଼ିବା ପରେ ପାକିସ୍ତାନ ଏବେ ଅଡ଼ୁଆରେ ପଡ଼ିଛି। ଚୀନ୍ ମଧ୍ୟ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିବ ବୋଲି ସଙ୍କେତ ଦେଇଛି। ପାକ୍ ମିଡିଆର ଖବର ଅନୁଯାୟୀ, ପାକିସ୍ତାନ ମଧ୍ୟ ଜାତିସଂଘରେ ମାସୁଦକୁ ଆଉ ସମର୍ଥନ କରିବ ନାହିଁ। ଯଦି ଏହା ସତ ହୋଇଥାଏ, ତା’ହେଲେ ୧୩ ତାରିଖରେ ଜାତିସଂଘ ସୁରକ୍ଷା ପରିଷଦ ମାସୁଦକୁ ଆତଙ୍କୀ ଘୋଷଣା କରିବା ଏକ ପ୍ରକାରର ନିଶ୍ଚିତ।
from Odisha Reporter https://ift.tt/2TyFM4p
No comments:
Post a Comment