
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ପଲିଟିକାଲ ଡନ୍ ସାଜି ମନମୁଖୀ କାର୍ଯ୍ୟ କରୁଛନ୍ତି। ସରକାରୀ ଦଳର ହାତବାରିସି ହୋଇ ଜିଲ୍ଲାପାଳ ଶ୍ରୀ ରାଉତ ଓ ପ୍ରକଳ୍ପ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ନେତା ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ଶ୍ରୀ ଦାଶ ଅଭିଯୋଗ କରିଛନ୍ତି ଯେ, ବାଲେଶ୍ୱର ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଉଭୟ ସରକାରୀ ଦଳର ପ୍ରବକ୍ତା ଓ ମ୍ୟାନେଜର ଭଳି କାର୍ଯ୍ୟ କରୁଛନ୍ତି। ଶାସକ ବିଜେଡିରୁ ପ୍ରତିନିଧିତ୍ୱ କରୁଥିବା ସ୍ଥାନୀୟ ଲୋକସଭା ସାଂସଦ ରଵୀନ୍ଦ୍ର ଜେନାଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି ରେମୁଣା ନିର୍ବାଚନମଣ୍ଡଳୀର ବିଭିନ୍ନ ବିକାଶକାର୍ଯ୍ୟରେ ବାଧକ ସାଜିଛନ୍ତି। ଚଳିତବର୍ଷ ଜିଲ୍ଲାକୁ ୧୬୦୦ ଗ୍ରାମୀଣ ବିଜୁ ପକ୍କାଘର ଆସିଥିବାବେଳେ ରେମୁଣା ବ୍ୟତୀତ ଅନ୍ୟ ୭ଟି ନିର୍ବାଚନ ମଣ୍ଡଳୀରେ ୧୪୦୦ ବିଜୁ ପକ୍କା ଘର ବଣ୍ଟନ ସରିଛି। ସେହିପରି ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୧୩ କୋଟିରୁ ଅଧିକ ସରକାରୀ ଅନୁଦାନ ଆସିଥିବାବେଳେ ଜିଲ୍ଲାର ୧୨ଟି ବ୍ଲକ ମଧ୍ୟରୁ ରେମୁଣା ବ୍ଲକକୁ ବ୍ୟତୀତ ଅନ୍ୟ ୧୧ଟି ବ୍ଲକକୁ ଅନୁଦାନ ପ୍ରଦାନ କରାଯାଇଛି।
ଜିଲ୍ଲାପାଳ ଜାଣିଶୁଣି ଏଭଳି ପାତରଅନ୍ତର କରିବା କାରଣରୁ ରେମୁଣା ବ୍ଲକରେ ଗୋଟିଏ ହେଲେ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିଲା ନାହିଁ ବୋଲି ବିଧାୟକ ଶ୍ରୀ ଦାଶ ଆୟୋଗଙ୍କ ପାଖରେ ଅଭିଯୋଗ କରିଛନ୍ତି। ଜିଲ୍ଲାର ୪୦ଟି ଜିଲ୍ଲା ପରିଷଦଙ୍କୁ ସେମାନଙ୍କ ଉନ୍ନୟନ ପାଣ୍ଠି ପ୍ରଦାନ କରାଯାଇଥିବାବେଳେ ରେମୁଣା ବ୍ଲକରେ ଥିବା ୪ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଚଳିତ ବର୍ଷ ସେମାନଙ୍କ ଅନୁଦାନ ପ୍ରଦାନ କରାଯାଇନାହିଁ। ସାଂସଦ ରଵୀନ୍ଦ୍ର ଜେନାଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ ମନ୍ଦ ଉଦ୍ଦେଶ୍ୟରେ ଅନୁଦାନ ଅର୍ଥ ପ୍ରଦାନ କରିନାହାନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି।
ଶାସକ ଦଳ ସ୍ୱାର୍ଥରେ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାପାଳ ନିଜର ଏକାନ୍ତ ଅନୁଗତମାନଙ୍କୁ ନେଇ ଏକ କୋର୍ କମିଟି ଗଠନ କରିଛନ୍ତି। କୁହାଯାଉଛି, ସେମାନେ ନିର୍ବାଚନରେ ଇଭିଏମ ଟ୍ୟାମ୍ପରିଂ କରିବାରେ ସିଦ୍ଧହସ୍ତ। ଜିଲ୍ଲାପାଳ ଶ୍ରୀ ରାଉତଙ୍କ ଘର ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଏବଂ ବର୍ତ୍ତମାନର ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଅଞ୍ଚଳରେ। ବାଲେଶ୍ୱର ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ ସୋର ଓ ସିମୁଳିଆ ଭଦ୍ରକ ଲୋକସଭା ଅନ୍ତର୍ଗତ ହୋଇଥିବାରୁ ଜିଲ୍ଲାପାଳ ଶ୍ରୀ ରାଉତ ବାଲେଶ୍ୱର ଜିଲ୍ଲାର ନିର୍ବାଚନରେ ରିଟର୍ଣ୍ଣିଂ ଅଫିସର ଭାବେ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅସାମ୍ବିଧାନିକ ଓ ଏହା ଆଦର୍ଶ ନିର୍ବାଚନ ବିଧିକୁ ଉଲ୍ଲଂଘନ କରୁଛି। ଜିଲ୍ଲାପାଳ ଶ୍ରୀ ରାଉତ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରଧାନଙ୍କୁ ତୁରନ୍ତ ବଦଳି କରିବାକୁ ରେମୁଣା ବିଧାୟକ ଶ୍ରୀ ଦାଶ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛନ୍ତି।
ଏହି ପ୍ରତିନିଧି ଦଳରେ ଆଇନଜୀଵୀ ଜୟନ୍ତ ଜେନା, ଅନିଲ କୁମାର ଶତପଥୀ, ସତ୍ୟବ୍ରତ ନାୟଶୋଭନ ଦାଶ ପ୍ରମୁଖ ସାମିଲ ଥିଲେ।
from Odisha Reporter https://ift.tt/2UPxl25
No comments:
Post a Comment