ବିଜେଡିର ଚିନ୍ତା ବଢ଼ାଇଲେ ବୈଜୟନ୍ତ ଓ ତଥାଗତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ବିଜେଡିର ଚିନ୍ତା ବଢ଼ାଇଲେ ବୈଜୟନ୍ତ ଓ ତଥାଗତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଥିବାବେଳେ ପ୍ରାୟ ଦୁଇ ଦଶନ୍ଧି ଧରି ବିଜେଡିର ସାଂସଦ ଥିବା ରାଜ୍ୟର ଦୁଇ ପ୍ରଭାବଶାଳୀ ନେତା ବୈଜୟନ୍ତ ପଣ୍ଡା ଓ ତଥାଗତ ସତପଥୀଙ୍କ ରାଜନୀତିକ ନିଷ୍ପତ୍ତି ଏବେ ବିଜେଡିର ଚିନ୍ତା ବଢ଼ାଇଛି। ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଗୋପନ ବୁଝାମଣା କରି ଓଡ଼ିଶାରେ ରାଜନୀତିକ ଫାଇଦା ହାସଲ କରି ଆସୁଥିବା ବିଜେଡି ପାଇଁ ଏବେ ଉପକୂଳ ଓଡ଼ିଶାରେ ନିଜର ଗଡ଼ ରକ୍ଷା ସମ୍ମାନର ପ୍ରଶ୍ନ ପାଲଟିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଦୀର୍ଘ ୯ମାସରୁ ଊର୍ଦ୍ଧ୍ଵ ସମୟ ଧରି ବିଜେଡି ସହ ସମ୍ପର୍କ ଛିନ୍ନ କରିଥିବା ବୈଜୟନ୍ତ ପଣ୍ଡା ଗତକାଲି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇସାରିଛନ୍ତି । ବୈଜୟନ୍ତଙ୍କ ମିଶ୍ରଣ ମଧ୍ୟ ରାଜ୍ୟ ବିଜେପିକୁ ବେଶ୍ ଫାଇଦା ଦେବ ବୋଲି ଦଳୀୟ ନେତାମାନେ କହିଛନ୍ତି। ବୈଜୟନ୍ତଙ୍କ ନିଜସ୍ୱ ସଂଗଠନକୁ ଆୟୁଧ କରି ବିଜେପି ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନରେ ଉପକୂଳ ଓଡ଼ିଶାରେ ନିର୍ବାଚନୀ ସଫଳତା ସାଉଁଟିବାକୁ ଲକ୍ଷ୍ୟ ରଖିଛି। ୨୦୦୯ରୁ ୨୦୧୮ ମସିହା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାର ସାଂସଦ ଭାବେ ବୈଜୟନ୍ତ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିବା ସହ ନିଜର ଏକ ସୁଦୃଢ଼ ଭୋଟବ୍ୟାଙ୍କ୍ ସୃଷ୍ଟି କରିପାରିଛନ୍ତି। ବିଜେଡିରୁ ଇସ୍ତଫା ଦେବାପରେ ବୈଜୟନ୍ତ କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳକୁ ଗସ୍ତବେଳେ ନିଜର ଲୋକପ୍ରିୟତାର ପ୍ରମାଣ ମଧ୍ୟ ଦେଇସାରିଛନ୍ତି। କେନ୍ଦ୍ରାପଡ଼ା ବ୍ୟତୀତ କଟକ, ଢେଙ୍କାନାଳ, ଜଗତସିଂହପୁର ଓ ଯାଜପୁରରେ ମଧ୍ୟ ବୈଜୟନ୍ତଙ୍କ ନିଜସ୍ୱ ସଂଗଠନ ବିଜେପିକୁ ଫାଇଦା ଦେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାଗୁଡ଼ିକ ବିଜେଡିର ଗଡ଼ ଥିବାବେଳେ ୨୦୧୪ ମସିହାରେ ଏହି ୩୫ଟି ବିଧାନସଭା ମଣ୍ଡଳୀରେ ବିଜେପି ଗୋଟିଏ ବି ଆସନ ଜିଣିବାରେ ସକ୍ଷମ ହୋଇନଥିଲା।

ସେହିପରି ତଥାଗତ ସତପଥୀ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ସାଂସଦ ଭାବେ ନିଜର ସମାନ୍ତରାଳ ସଂଗଠନ ସୃଷ୍ଟି କରିଛନ୍ତି। ନିର୍ବାଚନ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ଶ୍ରୀ ସତପଥୀ ଆଗାମୀ ନିର୍ବାଚନରେ ତାଙ୍କର ସମର୍ଥକମାନଙ୍କ ଭୂମିକା କ’ଣ ହେବ ତାକୁ ନେଇ ସେ କାର୍ଡ ଖୋଲିନଥିଲେ ମଧ୍ୟ ସେ ବିଜେଡି ଭୋଟବ୍ୟାଙ୍କରେ ଏକ ବଡ଼ ଛିଦ୍ର କରିବାରେ ସକ୍ଷମ ହେବେ ବୋଲି ବିଶ୍ଵାସ କରାଯାଉଛି।

ବୈଜୟନ୍ତ ଓ ତଥାଗତଙ୍କ ମାଲିକାନାରେ ରାଜ୍ୟର ଦୁଇଟି ପ୍ରଭାବଶାଳୀ ମିଡିଆ ହାଉସ ରହିଛି। ବର୍ଷ ବର୍ଷ ଧରି ବିଜେଡି ଏହି ଦୁଇଟି ମିଡିଆ ହାଉସର ପ୍ରଚାରପ୍ରସାର ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ରାଜ୍ୟରେ ୧୯ବର୍ଷ ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକ ସରକାର ବିରୁଦ୍ଧରେ ଏବେ କ୍ଷମତାବିରୋଧୀ ହାୱା ରହିଛି। ତା’ଛଡ଼ା ଏହି ଜିଲ୍ଲାଗୁଡ଼ିକରେ ବିଜେଡିର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଚରମସୀମାରେ ପହଞ୍ଚିଛି। ଏହି ଦୁଇ ବୃହତ୍ ମିଡିଆ ହାଉସ୍ ମାଧ୍ୟମରେ ସରକାରଙ୍କ ବିଫଳତା ସାଧାରଣ ଲୋକଙ୍କ ନିକଟରେ ସହଜରେ ପହଞ୍ଚିପାରିବ। ଆଉ ଏଥିରେ ବିଜେଡିକୁ ବିପୁଳ କ୍ଷତି ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷେ ଏହାର ଫାଇଦା ବିଜେପି ଓ କଂଗ୍ରେସକୁ ମିଳିବାର ସମ୍ଭାବନା ରହିଛି।

ବୈଜୟନ୍ତଙ୍କ ବିଜେପିରେ ମିଶ୍ରଣ ଓ ତଥାଗତଙ୍କ ରାଜନୀତିରୁ ସନ୍ୟାସ ଘୋଷଣା ହେବାପରେ ଉପକୂଳ ଓଡ଼ିଶାରେ ରାଜନୀତିକ ଦୃଶ୍ୟପଟ୍ଟ ପରିବର୍ତ୍ତନ ହେବାର ଆଶଙ୍କା ଥିବାରୁ ବିଜେଡି ନିଜର ଗଡ଼ ରକ୍ଷା ପାଇଁ କେଉଁ କୌଶଳ ଆପଣାଉଛି ତାହା ଉପରେ ସମସ୍ତଙ୍କ ନଜର।



from Odisha Reporter https://ift.tt/2TuLDr9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages