
ଧୁବ୍ରି(ଆସାମ): ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍କୁ ନେଇ ରାଜନୀତିକ ବୟାନବାଜି ଜାରି ରହିଛି। ବିରୋଧୀ ଦଳଗୁଡ଼ିକ ଏୟାର ଷ୍ଟ୍ରାଇକ୍ରେ କେତେ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି, ତାକୁ ନେଇ ପ୍ରଶ୍ନ ଉଠାଇବାରେ ବ୍ୟସ୍ତ। ଏପରି ସ୍ଥିତିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି ଏହା ଉପରେ ମତ ରଖିଛନ୍ତି।
ସେ କହିଛନ୍ତି, ବାଲାକୋଟ୍ରେ ପ୍ରାଣ ହରାଇଥିବା ଆତଙ୍କୀଙ୍କ ସଂଖ୍ୟା ଆସନ୍ତାକାଲି ସାମ୍ନାକୁ ଆସିବ। ଯଦି ଏହା ଉପରେ କାହାର ସନ୍ଦେହ ରହିଛି, ବିଶେଷ କରି କଂଗ୍ରେସ ଯଦି ଏହା ଉପରେ ପ୍ରଶ୍ନ ଉଠାଉଛି, ତା’ହେଲେ ସେମାନେ ବାଲାକୋଟ୍ ଯାଇ ମୃତଦେହ ଗୁଡ଼ିକୁ ଗଣନ୍ତୁ ବୋଲି ଶ୍ରୀ ସିଂହ କହିଛନ୍ତି।
ସେ କହିଛନ୍ତି, “ ଏୟାର ଷ୍ଟ୍ରାଇକ୍ ପୂର୍ବରୁ ଜୈଶ କ୍ୟାମ୍ପରେ ୩୦୦ ମୋବାଇଲ୍ ଫୋନ୍ ସକ୍ରିୟ ଥିଲା ବୋଲି ଗୁଇନ୍ଦା ସଂସ୍ଥା ସୂଚନା ଦେଇଥିଲା। ଏବେ କିଛି ରାଜନୀତିକ ଦଳର ନେତାମାନେ କାହିଁକି ଏୟାର ଷ୍ଟ୍ରାଇକ୍ରେ କେତେ ସଂଖ୍ୟକ ଆତଙ୍କୀ ପ୍ରାଣ ହରାଇଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି? ମୁଁ ସେମାନଙ୍କୁ କହିବାକୁ ଚାହୁଁଛି, ଆସନ୍ତାକାଲି ସୁଦ୍ଧା ସେମାନେ ଏହି ସଂଖ୍ୟା ପାଇଯିବେ। ପାକିସ୍ତାନ ଓ ସେମାନଙ୍କ ନେତାମାନେ ଏହି ତଥ୍ୟ ଜାଣିବାକୁ ବେଶ ଉତ୍ସୁକ।
ସେ ଯାହା ହେଉ, ଯେଉଁମାନେ ଆତଙ୍କୀଙ୍କ ମୃତ୍ୟୁ ସଂଖ୍ୟା ପଚାରୁଛନ୍ତି, ମୁଁ ସେମାନଙ୍କୁ କିଛି କହିବାକୁ ଚାହୁଁଛି। ଆମ ବାୟୁସେନା ଯବାନମାନେ କ’ଣ ଆତଙ୍କବାଦୀଙ୍କ ମୃତଦେହକୁ ୧,୨,୩,୪, ୫ କରି ଗଣିଥାଆନ୍ତେ?
ଏହାଠାରୁ ବଡ଼ ଜୋକ୍ ଆଉ କିଛି ହୋଇ ନଥାଇ ପାରେ। ଗୁଇନ୍ଦା ସଂସ୍ଥା କହୁଛି, ୩୦୦ ମୋବାଇଲ୍ ଫୋନ୍ ଥିଲା। କ’ଣ ଏହି ଫୋନ୍ଗୁଡ଼ିକୁ ଗଛମାନେ ବ୍ୟବହାର କରୁଥିଲେ? ଏବେ କ’ଣ ବିରୋଧୀ ଦଳଗୁଡ଼ିକ ଏନ୍ଟିଆର୍ଓ ଦେଇଥିବା ତଥ୍ୟକୁ ମଧ୍ୟ ବିଶ୍ୱାସ କରିବେ ନାହିଁ? କେବଳ ସରକାର ଗଠନ ପାଇଁ ରାଜନୀତି କଲେ ହେବନାହିଁ। ଦେଶ ଗଠନ ପାଇଁ ମଧ୍ୟ ରାଜନୀତି ହେବା ଦରକାର।”
from Odisha Reporter https://ift.tt/2Un5tBR
No comments:
Post a Comment