ପୁଣି ଫେରିଲେ ଅରୁଣ ଷଡ଼ଙ୍ଗୀ, ବିଜେଡିର ପ୍ରାର୍ଥୀ ତାଲିକାକୁ ନେଇ କସରତ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 12, 2019

ପୁଣି ଫେରିଲେ ଅରୁଣ ଷଡ଼ଙ୍ଗୀ, ବିଜେଡିର ପ୍ରାର୍ଥୀ ତାଲିକାକୁ ନେଇ କସରତ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ପରଠୁ ଅଣଦେଖା ହୋଇ ରହିଥିବା ବରିଷ୍ଠ ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ପୁଣିଥରେ ବିଜେଡି ପ୍ରାର୍ଥୀ ଚୟନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଅରୁଣଙ୍କ ଗୁଇନ୍ଦା ଇନପୁଟ୍ ଓ ହିସାବ କିତାବ ବିଜେଡିକୁ ସର୍ବାଧିକ ସଫଳତା ଦେଇଥିବାବେଳେ ଚଳିତ ନିର୍ବାଚନରେ ନିଜେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ସହଯୋଗ ଲୋଡ଼ିଥିଲେ, ଯାହାକୁ ସେ ସ୍ୱୀକାର କରି ଏ ଦିଗରେ ଆବଶ୍ୟକ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଷଡ଼ଙ୍ଗୀଙ୍କ ଦୀର୍ଘ ଅଭିଜ୍ଞତା ଓ ଓଡ଼ିଶାର ରାଜନୀତିକୁ ନେଇ ସଠିକ୍ ଆକଳନ ଉପରେ ପୂର୍ଣ୍ଣ ଆସ୍ଥା ରଖିଥିବା ନବୀନ ଏବେ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କର ସହଯୋଗ ଲୋଡ଼ିଥିଲେ। ଗତ ପ୍ରାୟ ଏକମାସ ଧରି ଶ୍ରୀ ଷଡ଼ଙ୍ଗୀ ବିଜେଡିର ଚୂଡ଼ାନ୍ତ ପ୍ରାର୍ଥୀ ଚୟନ କସରତରେ ଲାଗିପଡ଼ିଛନ୍ତି। ବିଭିନ୍ନ ପର୍ଯ୍ୟାୟର ସର୍ଭେ ରିପୋର୍ଟ, ଗୁଇନ୍ଦା ଇନପୁଟ, ଜିଲ୍ଲା ପ୍ରଶାସନ ରିପୋର୍ଟ ଆଦିକୁ ହିସାବକୁ ଆଧାର କରି ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ବିଜେଡି ନିଜର ପ୍ରାର୍ଥୀ କରୁଥିବା ଜଣାପଡ଼ିଛି। ଏହି ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ତାଙ୍କ ମୁଖ୍ୟ ପରାମର୍ଶଦାତା ଭିକେ ପାଣ୍ଡିଆନ ଓ ଶ୍ରୀ ଷଡ଼ଙ୍ଗୀ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେଉଛନ୍ତି। ଆବଶ୍ୟକସ୍ଥଳେ ନବୀନଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ପରାମର୍ଶ ମଧ୍ୟ ନିଆଯାଉଥିବା କୁହାଯାଉଛି। ନବୀନ, ଗୀତା, ପାଣ୍ଡିଆନ ଓ ଅରୁଣ ଷଡ଼ଙ୍ଗୀଙ୍କ ବ୍ୟତୀତ ପ୍ରାର୍ଥୀ ଚୟନ ଓ ଚୂଡ଼ାନ୍ତ ପ୍ରକ୍ରିୟାରେ ଅନ୍ୟ କୌଣସି ନେତା କିମ୍ବା ବ୍ୟକ୍ତିଙ୍କ ଭୂମିକା ରହୁନଥିବା ଜଣାପଡ଼ିଛି।

ପାଣ୍ଡିଆନଙ୍କ ଖାସ୍ ଅନୁଗତ ପ୍ରଣବ ପ୍ରକାଶ ଦାସ(ବବି) ଓ ଗୋପବନ୍ଧୁ ଦାଶ (ନବୀନଙ୍କ ରାଜନୀତିକ ସଚିବ) ଏବେ ଦଳୀୟ ନେତାଙ୍କୁ ମ୍ୟାନେଜ୍ କରିବା ଓ ଅନ୍ୟ ଦଳର ନେତାଙ୍କୁ ଆଣି ବିଜେଡିରେ ସାମିଲ କରିବା ଭଳି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଉଛନ୍ତି। ସେହିପରି ଅମର ପଟ୍ଟନାୟକ (ବିଜେଡି ଆଇଟି ସେଲ୍ ମୁଖ୍ୟ) ଓ ସୁଜିତ୍ କୁମାର ଏବେ ବିଜେଡି ପାଇଁ ନିର୍ବାଚନୀ କାର୍ଯ୍ୟକ୍ରମ ଓ ରଣନୀତି ଚୂଡ଼ାନ୍ତ କରୁଥିବାବେଳେ ସସ୍ମିତ ପାତ୍ର, ରବିନ୍ଦ୍ର ସେଠୀ, ଶ୍ରୀମୟୀ ମିଶ୍ର ଓ ରାଣାପ୍ରତାପ ପାତ୍ର ପ୍ରମୁଖ ଦଳର ସୋଶାଲ ମିଡିଆ ଟିମ ସମେତ ମହିଳା ଓ ଯୁବ-ଛାତ୍ର ସଂଗଠନ ସହ ମୁଖ୍ୟ ଯୋଗସୂତ୍ରକାରୀ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଏମାନଙ୍କ ବ୍ୟତୀତ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ କିଛି ବରିଷ୍ଠ ଅଫିସର ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ରାଜନୀତିକ ନିଷ୍ପତ୍ତିରେ ସକ୍ରିୟ ଭୂମିକା ତୁଲାଉଥିବାର ସୂଚନା ମିଳିଛି।

ନିର୍ବାଚନବେଳେ ବିଜେଡି ପାଇଁ ଏବେ ଏହି ସମସ୍ତ ନେତା ଓ ଅଫିସରଙ୍କ ଟିମ୍ ବିଭିନ୍ନ ଭୂମିକା ତୁଲାଉଥିବାବେଳେ ଅନ୍ୟ ରାଜନେତାମାନଙ୍କୁ କେବଳ ନିର୍ଦ୍ଦେଶ ପାଳନ କରିବାକୁ ତାଗିଦ୍ କରାଯାଉଛି। ସମ୍ଭାବ୍ୟ ପ୍ରାର୍ଥୀଙ୍କ ଟିକେଟ୍ ଚୂଡ଼ାନ୍ତ କରିବା ପୂର୍ବରୁ କେବଳ ଲୋକଦେଖାଣିଆ ଭାବେ ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ନିର୍ବାଚିତ ବିଧାୟକ-ସାଂସଦଙ୍କୁ ବସାଇ ମତାମତ ସଂଗ୍ରହ କରାଯାଉଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ପାଣ୍ଡିଆନ-ଅରୁଣଙ୍କ ଯୋଡ଼ି ନେଇଥିବା ନିଷ୍ପତ୍ତି ଉପରେ ନବୀନ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।

ନବୀନ ପଟ୍ଟନାୟକ ଏବେ ସମ୍ଭାବ୍ୟ ପ୍ରାର୍ଥୀ ଚୟନର ଛକିଶୂନ ଖେଳ ଖେଳୁଥିବାବେଳେ ‘ଏଥର ଟିକିଏ ଟାଇଟ ପୋଜିସନ ଅଛି, ଯଦି ଆପଣଙ୍କ ଜିତିବା ଚାନ୍ସ ରହିଥାଏ ତାହାଲେ ମୁଁ ଦେଖିବି’ ବୋଲି ଦଳର ବରିଷ୍ଠ ତଥା ପ୍ରଭାବଶାଳୀ ନେତାମାନଙ୍କୁ ସାନ୍ତ୍ୱନା ଦେଉଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ୨୦୧୨ ମେ’ ୨୯ ଘଟଣାରେ ବିଜେଡିର ତତକାଳୀନ ଚାଣକ୍ୟ ପ୍ୟାରୀମୋହନ ମହାପାତ୍ର ବିଦା ହେବାପରେ ୨୦୧୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନ ଓ ନିର୍ବାଚନ ପରିଚାଳନାରେ ଅରୁଣ ଷଡ଼ଙ୍ଗୀ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ବର୍ତ୍ତମାନ ଭଳି ସେତେବେଳେ ଭିକେ ପାଣ୍ଡିଆନ ଏକୁଟିଆ ନିଷ୍ପତ୍ତି ନେବାରେ ସକ୍ଷମ ହେଉନଥିଲେ। ନବୀନଙ୍କ ସହ ଅରୁଣଙ୍କ ସିଧାସଳଖ ବାର୍ତ୍ତାଳାପ ଓ ପରାମର୍ଶ ବିଜେଡିକୁ ୨୦୧୪ ସାଧାରଣ ନିର୍ବାଚନରେ ସଫଳ କରାଇଥିବାବେଳେ ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ଅରୁଣଙ୍କୁ ଅତ୍ୟନ୍ତ ଚତୁରତାର ସହ ପାୱାର କରିଡରରୁ ସାଇଡ୍ କରିଦିଆଯାଇଥିଲା। କିନ୍ତୁ ରାଜ୍ୟରେ ନିର୍ବାଚନ ମାହୋଲ ସରଗରମ ହେବା ପରେ କ୍ଷମତାବିରୋଧୀ ହାୱା ଓ ବିଜେଡିର ଗୋଷ୍ଠୀକନ୍ଦଳକୁ ଦୃଷ୍ଟିରେ ରଖି ପୁଣିଥରେ ଅରୁଣଙ୍କ ଉପରେ ନବୀନ ଆସ୍ଥା ପ୍ରକଟ କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2Ty3jTT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages