ନିଜ ଜନ୍ମ ଦିନ ମନେ ନାହିଁ: ହେଲେ ଗଛଙ୍କ ଜନ୍ମ ଦିନ ମନେ ରଖିଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ନିଜ ଜନ୍ମ ଦିନ ମନେ ନାହିଁ: ହେଲେ ଗଛଙ୍କ ଜନ୍ମ ଦିନ ମନେ ରଖିଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ): କୁହାଯାଏ ‘ହିମ୍ମତେ ମର୍‌ଦା, ତୋ ମଦଦେ ଖୁଦା’  ଅର୍ଥାତ୍‌ ଯେତେବେଳେ ମଣିଷ କିଛି କରିବାର ସାହାସ ବାନ୍ଧେ, ଭଗବାନ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି। ଠିକ୍‌ ଏମିତି ଜଣେ ମହିଳା ହେଉଛନ୍ତି ଗଛ ମା’ । ୪୦୦ରୁ ଅଧିକ ବରଗଛ ଲଗାଇ ‘ଗଛ ମା’ ଭାବେ ପରିଚିତ ସାଲୁମାରଦା ଥିମ୍ମାକ୍କାଙ୍କୁ ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି।

ଦିନେ ଜଣେ ସାମାନ୍ୟ ମୁଲିଆ ଭାବେ କାମ କରୁଥିଲେ ଥିମ୍ମାକ୍କା।  ତାଙ୍କର କୌଣସି ସନ୍ତାନ ନଥିଲେ। ନିସଙ୍ଗ ଜୀବନରୁ ମୁକ୍ତି ପାଇବା ପାଇଁ ସେ ଗଛ ଲଗାଇବା ଆରମ୍ଭ କରିଥିଲେ।  ବିବାହର ଅନେକ ଦିନ ପରେ ମଧ୍ୟ ସନ୍ତାନ ସୌଭାଗ୍ୟରୁ ବଞ୍ଚିତ ଥିମ୍ମାକ୍କାଙ୍କୁ ଗାଁ ଲୋକେ  ବିଭିନ୍ନ ଲାଞ୍ଛନା ଦେବା ଆରମ୍ଭ କରି ଦେଇଥିଲେ। ଲୋକଙ୍କ କଟୁ ଶବ୍ଦରେ ଅତିଷ୍ଠ ହୋଇ ସେ ଦିନେ ଜୀବନ ହାରିବା ପାଇଁ ଗାଁ ପୋଖରୀକୁ ଡେଇଁ ପଡିଲେ। କିନ୍ତୁ ଭାଗ୍ୟ ଭଲ ଥିଲା। ପୋଖରୀରେ ଥିବା ଗଛ ଲତାରେ ଛନ୍ଦି ହୋଇ ସେ ବଞ୍ଚିଗଲେ।

 ଏହାପରେ ଲୋକଙ୍କ କଥାକୁ ଖାତିର ନ କରି ୧୯୪୮ ମସିହାରେ ଥିମ୍ମାକ୍କା  ସ୍ୱାମୀଙ୍କ ସହ ଗଛ ଲଗାଇବା ଆରମ୍ଭ କରିଥିଲେ। ନିସନ୍ତାନ ଦୁଃଖରୁ ଦୂରେଇ ଯିବା ପାଇଁ ସେ ବୃକ୍ଷରୋପଣର ସାହାଯ୍ୟ ନେଲେ। ଆଜି ଯଦି ଆପଣ ବେଙ୍ଗଲୁରୁରୁ କୁନିଗାଲ ଅଭିମୁଖେ ଯାତ୍ରା କରିବେ ତେବେ ସେଠାରେ କୁଡୁର ପଞ୍ଚାୟତରେ  ତାଙ୍କ ଦ୍ୱାରା ରୋପଣ କରାଯାଇଥିବା ଗଛର ଘନ ଛାଇ ଆପଣଙ୍କୁ ଶାନ୍ତି ଦେବ।

ପ୍ରଥମେ ନିଜ ଦୁଃଖ ଦୂର କରିବା ପାଇଁ ଗଛ ଲଗାଉଥିବା ଥିମ୍ମାକ୍କାଙ୍କୁ ପ୍ରକୃତି ପ୍ରେମରେ ପଡିବାରେ ବେଶି ଦିନ ଲାଗିନଥିଲା। ସେ ଯେଉଁ ଉଦ୍ଦେଶ୍ୟ ରଖି ଗଛ ଲଗାଇବା ଆରମ୍ଭ କରିଥିଲେ ସେସବୁ ମଧ୍ୟ ପୂରଣ ହେଲା। ନିସନ୍ତାନ ହୋଇ ବଞ୍ଚୁଥିବା ଥିମ୍ମାକ୍କା ଗଛକୁ ନିଜର ସନ୍ତାନ ଭାବି ଦେଇଥିଲେ। ଠିକ୍‌ ନିଜ ଛୁଆଙ୍କୁ ମା’ ଯେମିତି ଭଲ ପାଏ, ଗଛକୁ ମଧ୍ୟ ସେମିତି ସେ ଭଲ ପାଉଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସେ ଗଛର ଯେମିତି ଯତ୍ନ ନେଉଥିଲେ, ଦେଖିକି ଲାଗୁଥିଲା ଯେମିତି ସେ ଗଛ ନୁହେଁ ତାଙ୍କ ଗର୍ଭରୁ ଜାତ ପିଲା।

ଥିମ୍ମାକାଙ୍କୁ ନିଜର ଜନ୍ମଦିନ ମନେ ନାହିଁ। କିନ୍ତୁ ସେ ତାଙ୍କ ସବୁଠୁ ବଡ ଗଛକୁ ୬୫ ବର୍ଷ ହୋଇଛି ବୋଲି କୁହନ୍ତି।

ଥିମ୍ମାକ୍କା କୁହନ୍ତି, ମୋର ଜନ୍ମ ପ୍ରମାଣପତ୍ର ନାହିଁ। ମୁଁ କେବେ ଜନ୍ମ ହୋଇଥିଲି ତା ବି ମନେ ନାହିଁ।  ମୁଁ ୨୦ବର୍ଷ ବୟସରେ ବିବାହ କରିଥିଲି। କିନ୍ତୁ ମୋ ଗଛ ମାନଙ୍କର ଜନ୍ମଦିନ ମନେଅଛି। ସବୁଠୁ ବଡ ଗଛକୁ ମୋର ୬୫ବର୍ଷ ଚାଲିଛି।

ଥିମ୍ମାକାଙ୍କ ଗଛ ପ୍ରତି ଥିବା ଭଲ ପାଇବା ଦେଖି, ଲୋକମାନେ ତାଙ୍କ ନାଁ ‘ସାଲୁମରଦା’ ଦେଇଥିଲେ। କନ୍ନଡରେ ‘ସାଲୁମରଦା’ ଅର୍ଥ ‘ବୃକ୍ଷ ମା’।

ଥିମ୍ମାକ୍କାଙ୍କର ଏହି ମହାନ କାମ ପାଇଁ ତାଙ୍କୁ ଗତ ୧୬ତାରିଖରେ ପଦ୍ମଶ୍ରୀ ପୁରଷ୍କାରରେ ସମ୍ମାନୀତ କରାଯାଇଥିଲା। କେବଳ ପଦ୍ମଶ୍ରୀ ନୁହେଁ। ୧୯୯୫ ମସିହାରେ ତାଙ୍କୁ ‘ନ୍ୟାସନାଲ୍‌ ସିଟିଜେନ୍ସ ଆୱାର୍ଡ’, ୧୯୯୭ରେ ‘ଇନ୍ଦିରା ପ୍ରିୟଦର୍ଶିନୀ ବୃକ୍ଷମିତ୍ର ଆୱାର୍ଡ’, ‘ବୀରଚକ୍ର ପ୍ରଶସ୍ତି ସମ୍ମାନ’, ୨୦୦୬ରେ ‘କଳ୍ପବଲ୍ଲୀ ଆୱାର୍ଡ’, ୨୦୧୦ରେ ‘ଗଡ ଫ୍ରି ଫିଲିପ୍ସ ବ୍ରାୱଲେ’ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି।

ଦିନେ କଠିନ ପରିଶ୍ରମ କରି ଶହ ଶହ ଗଛ ଲଗାଇଥିବା ଥିମ୍ମାକ୍କା ୧୦୫ ବର୍ଷରେ  ପହଞ୍ଚି ସାରିଲେଣି। ବୟସର ସାୟାହ୍ନରେ ଏବେ ସେ ଥକି ଗଲେଣି।  ନିଜର ବୋଲି ଦୁନିଆରେ ତାଙ୍କର ୨୯ ବର୍ଷୀୟ  ଧରମ ପୁଅ ଉମେଶ ହିଁ ଅଛି। ସେ ନିଜ ପୈତୃକ ଘରେ ନ ରହି ପୁଅ ସହ ବେଙ୍ଗାଲୁରରେ ଘର ଭଡ଼ା ନେଇ ରହୁଛନ୍ତି। ଏବେ  ପୁଅ ହିଁ ତାଙ୍କ ଦୁନିଆ  ଏବଂ  ପୁଅ  ବିବାହ ପାଇଁ ଏକ ଭଲ ଝିଅ ଖୋଜୁଥିବା କହିଛନ୍ତି ଥିମ୍ମକ୍କା ।

ପୁରୁଣା ସ୍ମୃତିକୁ ମନେ ପକାଇ ସାଲୁମାରଦା  କହିଛନ୍ତି ଯେ, ଶାଶୁ ଘର ହୁଲିକାଲ୍‌କୁ ଯିବା ନିମନ୍ତେ ପୂର୍ବରୁ ମାଟି ରାସ୍ତା ଥିଲା। ସେହି ରାସ୍ତାରେ ସେମାନେ ସକାଳେ ଚାଲି କରି ନିକଟସ୍ଥ ବଜାର ଏବଂ ଅନ୍ୟ ସ୍ଥାନକୁ କାମ କରିବାକୁ ଯାଉଥିଲେ। ଅପରାହ୍ନରେ ଫେରିବା ବେଳେ ସେମାନେ ରାସ୍ତା କଡ଼ରେ ଆଶ୍ରୟ ନେଉଥିଲେ। ସେଠାରେ ରାସ୍ତାର ଉଭୟ ପାର୍ଶ୍ୱରେ ଗଛ ଚାରା ଲଗାଉଥିଲେ। ପ୍ରଥମେ ପ୍ରଥମେ ବହୁ ଦୂରରେ ଥିବା କୂଅ ଏବଂ ପୋଖରିରୁ ପାଣି ଆଣି ସେମାନେ ଉକ୍ତ ଗଛଗୁଡିକରେ ପାଣି ଦେଉଥିଲେ। ଏହା ସତ୍ତ୍ୱେ ସେମାନେ ଗଛ ଲଗାଇବା ଲକ୍ଷ୍ୟରୁ ବିଚ୍ୟୁତ ହୋଇ ପାରି ନଥିଲେ।

ଏପରି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ମଧ୍ୟ  ପ୍ରତି ବର୍ଷ ସେ  ନିଜ ସ୍ୱାମୀଙ୍କ ସହ ମିଶି ୧୦ ରୁ ୧୫ ଗଛ ଲଗାଉଥିବା କହିଥିଲେ ସାଲୁମାରଦା।  ୬୩ ବର୍ଷରେ ବୈବାହିକ ଜୀବନ ଅତିକ୍ରାନ୍ତ କରିବା ପରେ ତାଙ୍କ ସ୍ୱାମୀ ହାତ ଛାଡି ଆର ପାରିକି ଚାଲି ଯାଇଥିବା କୋହ ଭରା କଣ୍ଠରେ କହିଛନ୍ତି  ଗଛ ମା’।  ନିଜେ ଲଗାଇଥିବା ଏକ ଗଛର ଶୁଖିଲା ଡାଳ ହାଣୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏଥିଯୋଗୁ ମାନସିକ ସ୍ତରରେ ସେ ଶକ୍ତ ଆଘାତ ପାଇଥିଲେ। ଏହାପରେ ଶାରୀରିକ ସ୍ତରରେ ମଧ୍ୟ ସେ ଦୁର୍ବଳ ହୋଇ ମୃତ୍ୟୁମୁଖରେ ପଡ଼ିଲେ। ଏହାପରେ ଶାଶୁ ଘର ଲୋକଙ୍କ ପ୍ରତିବାଦକୁ ଏକୁଟିଆ ସାମନା କରି ନ ପାରି ସେ ନିଜ ୪ ଏକର ଜମିକୁ ୭୦ ହଜାର ଟଙ୍କାରେ ବିକ୍ରି କରି ଦେଇ ପଳାଇଲେ।

ଦୀର୍ଘ ବର୍ଷ ଧରି ଏହି ଦମ୍ପତି ଗଛ ଲଗାକୁ ନିଜ ଜୀବନର ବ୍ରତ ଭାବେ ପାଳନ କରୁଥିଲେ। ୧୯୫୮ ମସିହାରେ ଏହି ଦମ୍ପତିଙ୍କ କାମ ଲୋକଲୋଚନକୁ ଆସିଥିଲା। ଏକ ମେଳାକୁ ଅତିଥି ରୂପେ ଯୋଗ ଦେବାକୁ ଯାଉଥିବା ୨ ଜଣ ପୁରୁଖା ଲୋକେ ଏହି ଦମ୍ପତିଙ୍କୁ ରାସ୍ତା ପାର୍ଶ୍ୱ ଗଛରେ ପାଣି ଦେଉଥିବା ଦେଖିବାକୁ ପାଇଥିଲେ। ସେମାନେ ଉକ୍ତ ମେଳାରେ ଏହି ସ୍ୱାମୀସ୍ତ୍ରୀଙ୍କୁ ଏକ ସିଲଭର୍ ମେଡାଲ ଦେଇ ସମ୍ମାନିତ କରିବା ସହ ପୁରସ୍କୃତ ମଧ୍ୟ କରିଥିଲେ । ଯାହାକି ସେମାନଙ୍କ ଜୀବନର ପ୍ରଥମ ସମ୍ମାନ ଥିଲା। ଏହାପରେ ସେମାନେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

୧୯୯୪ ମସିହାରେ ତାଙ୍କ ଜୀବନ ଏକ ନୂଆ ମୋଡ ନେଲା। ଶ୍ୟାମାନୂରୂ ଶିବଶଙ୍କରପ୍ପା ନାମକ ପୁରୁଖା କଂଗ୍ରେସ ନେତା ଏକ ଖରାଦିନିଆ ଅପରାହ୍ନରେ ହୁଲିକୂଲ୍‌ ଗାଁ ରାସ୍ତା ଦେଇ ନିଜ କାର୍‌ରେ ଯାଉଥିଲେ। ଟାଣୁଆ ଖରା ତାଙ୍କୁ ଅତିଷ୍ଠ କରି ପକାଉଥିବା ବେଳେ କିଛି ଦୂର ଯିବା ପରେ ରାସ୍ତାର ୨ ପାର୍ଶ୍ୱରେ ଥିବା ଗଛ  ଯୋଗୁ ସେ ଶୀତଳ ଛାୟା ଅନୁଭବ କରିଥିଲେ। ଏଥିରେ ସେ ଖୁବ୍‌ ଖୁସି ହୋଇ ସାଲୁମାରଦାଙ୍କ ପରିଚୟ ପାଇଥିଲେ।

ଏହାପରେ ବିଭିନ୍ନ ସଭାସମିତିରେ ସାଲୁମାରଦାଙ୍କ ପ୍ରଚେଷ୍ଠାର ଭୂୟସୀ ପ୍ରଶଂସା କରିଥିଲେ। ଏହାପରେ ସାଲୁମରଦା ଗଣମାଧ୍ୟମରେ ଜଣେ ଚର୍ଚ୍ଚିତ ମହିଳା ପାଲଟିଗଲେ। ତାଙ୍କ ସାକ୍ଷାତ ପାଇବାକୁ ଘର ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧୀଙ୍କ ଭିଡ଼ ଜମିଲା।  ୧୯୯୬ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡ଼ା ତାଙ୍କୁ ନ୍ୟାସନାଲ ସିଟିଜେନ୍ସ ଆୱର୍ଡରେ ସମ୍ମାନିତ କରିଥିଲେ। ୨୦୧୬ ମସିହାରେ ବିବିସି ପକ୍ଷରୁ ପ୍ରକାଶିତ ୧୦୦ ଜଣ ପ୍ରଭାବିତ କରିପାରୁଥିବା ମହିଳାଙ୍କ ମଧ୍ୟରେ ସାଲୁମରଦାଙ୍କ ନାମ ସାମିଲ ହୋଇଥିଲା ।

ବୟସର ଅପରାହ୍ନରେ ପହଞ୍ଚିଥିବା ସାଲୁମାରଦା ସମଗ୍ର ଦେଶରେ ପରିଚିତ ହୋଇଥିବା ବେଳେ କେବଳ ଆୱାର୍ଡରେ ବଞ୍ଚିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ସେ କେବଳ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବେଳେ ଏଥିରେ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡୁଥିବା କ୍ଷୋଭର ସହ କହିଛନ୍ତି।



from Odisha Reporter https://ift.tt/2TeFT0L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages