
ଯାଜପୁର(ଗୁଲାମ୍ ଗସ୍): “ନବୀନ ଚାଉଳ ଦେଉଛନ୍ତି, ଆମକୁ ଉପରୁ କୁହା ଯାଇଛି ବହି ବାଣ୍ଟିବାକୁ ଆମେ କ’ଣ କରିବୁ!”
ଯାଜପୁର ଜିଲା ଧର୍ମଶାଳା ବ୍ଲକ ଭବାନୀପୁର ପଞ୍ଚାୟତ କୂଳସାହିରେ ଏକ କଣ୍ଟ୍ରୋଲ ଦୋକାନରୁ ଶୁଣିବାକୁ ମିଳିଛି ଏମିତି କଥା। ଚାଉଳ, ଗହମ ଆଉ କିରୋସିନ ନେବାକୁ ଆସୁଥିବା ଲୋକଙ୍କୁ ବହି ବାଣ୍ଟୁଛନ୍ତି କଣ୍ଟ୍ରୋଲ ଡିଲର। ଯୋଉ ବହିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିଛି ଆଉ ତଳେ ଲେଖାଅଛି ‘ଶକ୍ତି କାଳିଆ’।
ଆଚରଣ ବିଧି ଲାଗୁ ହେଲା ପରେ, ସରକାରୀ ପୋଷ୍ଟର ଓ ବ୍ୟାନ୍ରୁ ରାତାରାତି ଚିରି ପକାଇଲା ପୁଲିସ୍। କାନ୍ଥରେ ଲାଗିଥିବା ମାଳମାଳ ଦଳୀୟ ପୋଷ୍ଟର, ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କ ମୁହଁଥିବା ପୋଷ୍ଟର ସବୁକୁ ଚିରି ଦିଆଗଲା। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହାକୁ କଡାକଡି ପାଳନ କରିବାକୁ ତାଗିଦ୍ କରିଥିଲେ କମିଶନ୍। ହେଲେ, ଚତୁର ରାଜନୈତିକ ଦଳ ଯାହା ପାରେ ତାହା କରି ନିର୍ବାଚନ ପ୍ରଚାର ଚଳାଇଛନ୍ତି। ସରକାରୀ କଣ୍ଟ୍ରୋଲ ଦୋକାନୀ ଏବେ ସରକାରୀ ଦଳର ଦଲାଲ ସାଜିଛି। ସବୁ ସମ୍ଭ୍ରମତାକୁ ଜଳାଞ୍ଜଳୀ ଦେଇଛି ବିଜେଡି। ଧର୍ମାନ୍ତରଣ ବେଳେ ବିଭିନ୍ନ ଧାର୍ମିକ ଗୋଷ୍ଠୀ ଯେଭଳି ଧାର୍ମିକ ପୁସ୍ତକ ବଣ୍ଟନ କରନ୍ତି, ସେହି ଧାରାକୁ ଅପଣେଇ ଦଳ ଯୋଗାଣ ସମାଗ୍ରୀ ବଣ୍ଟନ ବେଳେ ନିଜ ତରିକାରେ ନିର୍ବାଚନ ପ୍ରଚାର ଚଳାଇଛି। ବାଣ୍ଟୁଛି ନିର୍ବାଚନୀ ପୁସ୍ତକ। ଦଳ କ’ଣ କରିଛି, କ’ଣ କରିବ ଲେଖା ହୋଇଛି ଏହି ପୁସ୍ତିକାରେ।
ଘଟଣାର ଏକ ଭିଡିଓ ହସ୍ତଗତ ହୋଇଛି। ଯେଉଁଥିରୁ ସ୍ପଷ୍ଟ ଜଣାପଡିଛି ଯେ, ଶାସକ ଦଳ ଆଚରଣବିଧିକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛି। କାଳିଆ ଯୋଜନାକୁ ଆଳ କରି ବିଜେଡି ଫାଇଦା ନେବାକୁ ଏଭଳି ବହି ବାଣ୍ଟୁଛି ବୋଲି ଅଭିଯୋଗ ହୋଇଛି। ଆଜି ହିତାଧିକାରୀମାନେ ଟଙ୍କିକିଆ ଚାଉଳ ଆଣିବାକୁ ଡିଲରଙ୍କ ପାଖକୁ ଯାଇଥିବା ବେଳେ ତାଙ୍କୁ ଚାଉଳ ସହିତ ଏହି ସରକାରୀ ପୁସ୍ତକ ‘ଆଇନା’ ଦିଆ ଯାଇଥିଲା । ଯେଉଁଥିରେ ବର୍ତ୍ତମାନ ସରକାର କରିଥିବା ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ ରହିଛି। ତେବେ ସ୍ଥାନୀୟ କିଛି ଯୁବକ ଏହାର ପ୍ରତିବାଦ କରିଥିଲେ ଏବଂ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ତୁମେ କାହିଁକି ସରକାରୀ ବହି ବଣ୍ଟୁଛ ବୋଲି ପଚାରିଥିଲେ । ସରକାରଙ୍କ ପକ୍ଷରୁ ଏହି ବହି ବାଣ୍ଟିବା ଲାଗି ଆମକୁ କୁହାଯାଇଛି ବୋଲି ଡିଲର କହୁଥିବା ଭିଡିଓରେ ଶୁଣାଯାଉଛି । ଏ ସମ୍ପର୍କରେ ବିଡ଼ିଓଙ୍କୁ ଅଭିଯୋଗ କରାଯାଇଥିଲେ ବି ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ।
from Odisha Reporter https://ift.tt/2HIlBdJ
No comments:
Post a Comment