
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ବରିଷ୍ଠ ନେତା ଏୟୁ ସିଂହଦେଓଙ୍କ ସାନପୁଅ ଅର୍କେଶ ସିଂହଦେଓ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି। ବଲାଙ୍ଗିର ବିଧାନସଭା ଆସନରୁ ବିଜେଡି ଟିକେଟ୍ ପାଇଁ ଅର୍କେଶ ଆଶାୟୀ ଅଛନ୍ତି। କିନ୍ତୁ ବିଜେଡି ସେଠାରେ ଲକ୍ଷ୍ମଣ ମେହେରଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ଥିବାରୁ ଅର୍କେଶ ବିଜେପିରୁ ଟିକେଟ୍ ନେବାକୁ ସଜବାଜ ହେଉଥିବା ଜଣାପଡ଼ିଛି।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ନେତା ଏୟୁ ସିଂହଦେଓ ନିଜର ଦୁଇ ପୁଅଙ୍କ ଟିକେଟ୍ ପାଇଁ ଲବି କରିଥିଲେ। ବଡ଼ପୁଅ କଳିକେଶଙ୍କୁ ବିଜେଡି ପୁଣିଥରେ ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ କରିସାରିଛି। କିନ୍ତୁ ସାନପୁଅ ଅର୍କେଶଙ୍କୁ ପ୍ରାର୍ଥୀ କରିବା ପାଇଁ ବିଜେଡି ନେତୃତ୍ୱ କୌଣସି ସବୁଜ ସଙ୍କେତ ଦେଉନଥିବାରୁ ସେ ବିଜେପି ମୁହାଁ ହେଉଥିବା ଜଣାପଡ଼ିଛି।
ଅର୍କେଶ ୨୦୧୪ ସାଧାରଣ ନିର୍ବାଚନବେଳେ ମଧ୍ୟ ଟିକେଟ୍ ଦୌଡ଼ରେ ଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଚଳିତ ନିର୍ବାଚନରେ ପୁଅ ଅର୍କେଶ ନିଜର ପ୍ରାର୍ଥୀତ୍ୱକୁ ନେଇ କୌଣସି ସାଲିସ୍ କରିବା ମୁଡରେ ନଥିବାରୁ ଏୟୁଙ୍କ ଚିନ୍ତା ବଢ଼ିଯାଇଛି। ସୂଚନା ଅନୁସାରେ ଅର୍କେଶଙ୍କ ପାଇଁ ବିଜେପି ମଧ୍ୟ ସବୁଜ ସଙ୍କେତ ଦେଇଛି। ଯେଉଁ କାରଣରୁ ଗତକାଲି ଦଳର ୯୯ଟି ବିଧାନସଭା ପାଇଁ ଘୋଷିତ ପ୍ରାର୍ଥୀ ତାଲିକାରେ ବଲାଙ୍ଗିର ସାମିଲ ନାହିଁ। ଯଦିଓ ବଲାଙ୍ଗିର ଜିଲ୍ଲାର ଅନ୍ୟ ବିଧାନସଭା ଆସନଗୁଡ଼ିକ ପାଇଁ ବିଜେପି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି।
ସୂଚନାଯୋଗ୍ୟ, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ହାତରେ ଆଉ ମାତ୍ର ୨ଟି ଦିନ ଥିବାବେଳେ ବିଜେଡି ଏପର୍ଯ୍ୟନ୍ତ ବଲାଙ୍ଗିର ସମେତ ୯ଟି ବିଧାନସଭା ଆସନରେ କାହାକୁ ପ୍ରାର୍ଥୀ କରିବ ତାହା ଚୂଡ଼ାନ୍ତ କରିପାରିନି। କଂଗ୍ରେସ ମଧ୍ୟ ଅନୁରୂପ ଭାବେ ୨୭ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି। ସମ୍ଭବତଃ ଉଭୟ ଦଳ ଶନିବାର ସୁଦ୍ଧା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବାକି ଥିବା ଆସନଗୁଡ଼ିକ ପାଇଁ ପ୍ରାର୍ଥୀ ତାଲିକା ଜାରି କରିବେ।
from Odisha Reporter https://ift.tt/2U328el
No comments:
Post a Comment