ଫମ୍ପା ପ୍ରତିଶ୍ରୁତି: କେଉଁଠି ଭୋଟ ବର୍ଜନ ତ ଆଉ କେଉଁଠି ନୋଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଫମ୍ପା ପ୍ରତିଶ୍ରୁତି: କେଉଁଠି ଭୋଟ ବର୍ଜନ ତ ଆଉ କେଉଁଠି ନୋଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ରଣକୌଶଳ ପ୍ରସ୍ତୁତି କରିସାରିଲେଣି। ଏପରିକି ରାଜନେତାମାନେ ମଇଦାନକୁ ଲମ୍ଫ ମାରିବାକୁ ସଜବାଜ ହେଲେଣି। ହେଲେ ଚଳିତବର୍ଷ ରାଜନୀତିକ ଦଳ ଗୁଡ଼ିକ ପାଇଁ କାଳ ହୋଇପାରେ ଭୋଟରଙ୍କ ଅସନ୍ତୋଷ। ପ୍ରତିଶ୍ରୁତି ଦେଇ ଠକିଥିବାରୁ କେତେକ ସ୍ଥାନରେ ଭୋଟରମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ବସବାସ କରନ୍ତି ଝୋଡ଼ିଆ ସଂପ୍ରଦାୟ। ଆଦିବାସୀ ମାନ୍ୟତା ଦାବିରେ ଏମାନେ ଦୀର୍ଘ ୨୦ ବର୍ଷ ହେଲା ଆନ୍ଦୋଳନ କରିଆସୁଛନ୍ତି। ଦାବି ହାସଲ ପାଇଁ ବିଭିନ୍ନ ଝୋଡ଼ିଆ ସଂଗଠନର କର୍ମକର୍ତ୍ତାମାନେ ନେତା ଓ ମନ୍ତ୍ରୀଙ୍କ ପାଖରେ ଅନୁରୋଧ କରି ଆସିଛନ୍ତି। ଏମିତିକି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ହେଲେ କେହି ସେମାନଙ୍କ ଦାବି ପୂରଣ କରିନାହାନ୍ତି। ଏହାକୁ ନେଇ ଖପ୍ପା ହୋଇଛନ୍ତି ଝୋଡ଼ିଆ ସମ୍ପ୍ରଦାୟର ନେତା। ନିଜ ଅସନ୍ତୋଷ ଜାହିର କରିବା ପାଇଁ ଏଥର ସେମାନେ ଭୋଟ ନଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଝୋଡ଼ିଆ ନେତା ଛମିଆ ଲହରା କହିଛନ୍ତି-“କୋରାପୁଟ, ନବରଙ୍ଗପୁର, ଲକ୍ଷ୍ମୀପୁର, ଦଶମନ୍ତପୁର ଆଦି ଅଞ୍ଚଳରେ ବସବାସ କରୁଥିବା ଝୋଡ଼ିଆ ସମ୍ପ୍ରଦାୟର ଲୋକମାନେ ଭୋଟ୍‌ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି।”

ସମାନ ଦାବି ଆଣିଛନ୍ତି କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ଦୋରା, କମାର ଓ ରଣା ସଂପ୍ରଦାୟର ଲୋକେ। ଆଦିବାସୀ ମାନ୍ୟତା ଦାବିରେ ଏମାନେ ଅନେକ ବର୍ଷ ହେଲା ଆନ୍ଦୋଳନ କରୁଛନ୍ତି। ମାତ୍ର ପ୍ରତିଶ୍ରୁତି ଦେଇ ସେମାନଙ୍କ ସହ ଚଞ୍ଚକତା କରାଯାଇଥିବା ଅଭିଯୋଗ କରିଛନ୍ତି ସଂପ୍ରଦାୟର ପୁରୁଖା ସଦସ୍ୟମାନେ। ତେବେ ଭୋଟ ବର୍ଜନ ନକରି ନୋଟାରେ ମୋହର ମାରିବାକୁ ଏମାନେ ନିଷ୍ପତ୍ତି ନେଇଛନ୍ତି।

ଦୋରା ସମାଜର ସଭାପତି ବୈଦନାଥ ଗେମେଲ କହିଛନ୍ତି-“ଆଦିବାସୀ ମାନ୍ୟତା ପାଇଁ ବିଜେଡି ସରକାରଙ୍କ ପାଖରେ ବାରମ୍ୱାର ଦାବି ଜଣାଇଛୁ। ମାତ୍ର ଆମର ଦାବି କେହି ଶୁଣୁନାହାନ୍ତି। ସେଥିପାଇଁ ଆମ ସମାଜ ନୋଟାରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛି।”

ଗଜପତି ଜିଲ୍ଲା ମୋହନା ବ୍ଲକ ଗୁରୁଝୋଳି ଓ ଗରଡମା ପଞ୍ଚାୟତରେ ସମସ୍ୟା କିନ୍ତୁ ଭିନ୍ନ। ଏଠାକାର ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ହେଉଛି ପୋଲ। ପୁରୁଣାପାଣି ଓ ପଣସଡିହ ଗାଁ ମଝିରେ ଥିବା ନଈ ଉପରେ ପୋଲ ଖଣ୍ଡେ ଲାଗି ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀଙ୍କ ପାଖରେ ଗୁହାରି କରି କରି ଥକି ଗଲେଣି। ମାତ୍ର ଏମାନଙ୍କ ଦୁଃଖ କାହା କାନରେ ପଡ଼ିଲାନି। ସେହି ଦୃଷ୍ଟିରୁ ଏଥର ଭୋଟ ନଦେବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଦୁଇ ପଞ୍ଚାୟତର ବାସିନ୍ଦା।

ରଙ୍ଗୀନ୍ ପ୍ରତିଶ୍ରୁତି ଦେଇ ଭୋଟ ନେବାର ଯୁଗ ଗଲାଣି। ଭୋଟର ସଚେତନ ହେଲେଣି, ଅଧିକାର ବୁଝିଲେଣି। ମାତ୍ର ଚେତୁନାହାନ୍ତି ନେତା। ଏସବୁ ସଂପ୍ରଦାୟର ହଜାର ହଜାର ଲୋକ ଯଦି ଭୋଟ ନଦିଅନ୍ତି, ତେବେ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଅନ୍ୟପକ୍ଷରେ ଏହା ପ୍ରାର୍ଥୀଙ୍କ ହାର ଜିତକୁ ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ କରିବ।



from Odisha Reporter https://ift.tt/2u6wtKw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages