ଏଥର ମଇଦାନ୍‌ରେ ବାପ-ପୁଅ, ପତି-ପତ୍ନୀ ଏବଂ ଭାଇ-ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ଏଥର ମଇଦାନ୍‌ରେ ବାପ-ପୁଅ, ପତି-ପତ୍ନୀ ଏବଂ ଭାଇ-ଭଉଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଥର ବି ରାଜ୍ୟରେ ଦେଖିବାକୁ ମିଳିବ ବଂଶବାଦ ରାଜନୀତିର ଝଲକ୍। କାରଣ ନିର୍ବାଚନୀ ରଣାଙ୍ଗନକୁ ଏଥର ବି ଓହ୍ଲାଉଛନ୍ତି ବାପ-ପୁଅ, ପତି-ପତ୍ନୀ ଏବଂ ଭାଇ-ଭଉଣୀ। ଅଧିକାଂଶ ସ୍ଥାନରେ ବରିଷ୍ଠ ନେତାମାନେ ନିଜେ ଅବସର ନେବା ପୂର୍ବରୁ ପୁଅମାନଙ୍କୁ ରାଜନୈତିକ ମଇଦାନ୍‌କୁ ଓହ୍ଲାଇବା ପାଇଁ ତତ୍ପରତା ଦେଖାଇଛନ୍ତି। ତେବେ କଂଗ୍ରେସ ଭିତରେ ଯେ, ପାରିବାରିକ ରାଜନୀତି ଆଉ ସୀମିତ ନାହିଁ, ତାହା ଏଥର ନିର୍ବାଚନରେ ପ୍ରମାଣିତ କରୁଛି। ଆଉ ଏଥିପାଇଁ ଅଧିକାଂଶ ନେତା ଜୀ-ଜାନ୍ ଲଗାଇଦେଇଛନ୍ତି।

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ତାଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଓହ୍ଲାଇଛନ୍ତି। ନିଜେ ନରସିଂହ ବଲାଙ୍ଗିର ବିଧାନସଭା ପାଇଁ ଲଢ଼ୁଥିବାବେଳେ ପୁଅ ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ନିଜେ କଳାହାଣ୍ଡି ଲୋକସଭା ଆସନ ଏବଂ ରାଜନୀତିର ଧାର୍ ଧାରିନଥିବା ପୁଅ ସାଗରଙ୍କୁ ଭବାନୀପାଟଣା ଲାଗି ଟିକେଟ ବନ୍ଦୋବସ୍ତ କରାଇଛନ୍ତି।

ଜର୍ଜ ତିର୍କୀ ସୁନ୍ଦରଗଡ଼ ଲୋକସଭା ଓ ପୁଅ ରୋହିତ ଯୋଶେଫ୍ ବୀରମିତ୍ରପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ତେବେ ରୋଚକ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅଙ୍କ ମଧ୍ୟରୁ ସୁନୀତା ବିଜେଡି ଟିକେଟରେ ସୁନ୍ଦରଗଡ଼ ଲୋକସଭା ଏବଂ କଂଗ୍ରେସ ଟିକେଟରେ ଅମିତା ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି।

ଏସବୁ ଭିତରେ ଏଥର ବି ଚର୍ଚ୍ଚିତ ଶ୍ୱଶୁର-ଜ୍ୱାଇଁ ଯୋଡ଼ି ସୁରେଶ ରାଉତରାୟ ଓ ପ୍ରସାଦ ହରିଚନ୍ଦନ ହାତେଇଛନ୍ତି ଦଳୀୟ ଟିକେଟ। ସେପଟେ ପୁଅ ସଂଗ୍ରାମଙ୍କ ପାଇଁ ଜୟଦେବ ଜେନା, ନବଜ୍ୟୋତିଙ୍କ ପାଇଁ ନିରଂଜନ ପଟ୍ଟନାୟକ ଓ କୁମାର ଚିରଞ୍ଜୀବୀଙ୍କ ପାଇଁ  ଅନନ୍ତ ସେଠୀ ଟିକେଟ ଲବି କରୁଥିବା ଚର୍ଚ୍ଚା ହେଉଛି।

ବିଜେଡିରେ ବି ଏଥର ଦେଖିବାକୁ ମିଳିପାରେ ବଂଶବାଦ ରାଜନୀତି। ଏହି କ୍ରମରେ ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରଭାବଶାଳୀ ନେତା ତଥା ବିଜେଡି ଉପସଭାପତି ଅନଙ୍ଗ ଉଦୟ ସିଂଦେଓ ଏଥର ସାନ ପୁଅ ଅର୍କେଶଙ୍କ ପାଇଁ ଲବି କରିଥିବା କୁହାଯାଉଛି। ସେହିପରି ବାପା ଯୋଗେନ୍ଦ୍ର ବେହେରା ପୁଅ ନିହାରଙ୍କ ପାଇଁ ଓ ବିଜୟଶ୍ରୀ ରାଉତରାୟ ନିଜ ପୁଅ ବିଷ୍ଣୁବ୍ରତଙ୍କ ପାଇଁ ଟିକେଟ୍ ଲବିରେ ଥିଲେ।

ସେପଟେ ବିଜେଡିରୁ ଡାବୁଗାଁ ଆସନ ପାଇଁ ଭାଇ ମନୋହର ରନ୍ଧାରୀ ଲଢ଼ିବା ପାଇଁ ଟିକେଟ୍‌ ପାଇଥିବା ବେଳେ ଭଉଣୀ ପଦ୍ମିନୀ ଦିଆନ୍ ବିଜେଡି ଟିକେଟ୍‌ରେ କୋଟପାଟରୁ ଲଢ଼ିବେ। ତେବେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଘଟିଛି। ପୁଅ ଋଷଭ ନନ୍ଦ ବାପାଙ୍କ ଠାରୁ ଭିନ୍ନ ଆଦର୍ଶ ରଖି ବିଜେପିରେ ମିଶିଛନ୍ତି। ତେବେ ବିଜେପିରେ ବଂଶବାଦ ରାଜନୀତିର ଝଲକ୍ କମ୍ ସାମ୍ନାକୁ ଆସିଛି।

ଏହାରି ଭିତେରେ ବିଜେପି ନେତା କେ.ଭି.ସିଂଦେଓ ପାଟଣାଗଡ଼ ବିଧାନସଭା ଏବଂ ପତ୍ନୀ ସଂଗୀତା କୁମାରୀ ସିଂଦେଓ ବଲାଙ୍ଗିର ଲୋକସଭା ଆସନରୁ ଲଢ଼ିବାକୁ ଟିକେଟ୍ ଘୋଷଣା ହୋଇଛି। ତିନି ପ୍ରମୁଖ ଦଳରେ ଏଭଳି ପରିବାରବାଦ୍ ରାଜନୀତିକୁ ଭୋଟର୍ କେତେ ଦୂର ସ୍ୱୀକୃତି ଦେଉଛନ୍ତି, ଏବେ ତାକୁ ଅପେକ୍ଷା।



from Odisha Reporter https://ift.tt/2ToTKBv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages