
ନୂଆଦିଲ୍ଲୀ: ରବିବାର ‘ମୈ ଭି ଚୌକିଦାର’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବିଜେପି ସରକାର କରିବା ବାବଦରେ ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି। ସେ କହିଛନ୍ତି ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ଫଳାଫଳ ସମଗ୍ର ଦେଶବାସୀଙ୍କୁ ବିସ୍ମିତ କରିବ। ତ୍ରିପୁରାରେ ମାଣିକ ସରକାରଙ୍କ ୨୦ ବର୍ଷର ସରକାରକୁ ମାତ୍ ଦେଇ ପୂର୍ଣ୍ଣ ବହୁମତ ହାସଲ କରିବା ପରି ଓଡ଼ିଶାରେ ମଧ୍ୟ ୨୦ ବର୍ଷର ସରକାର ବିରୋଧରେ ଜନମତ ହେବ। ଅର୍ଥାତ ୨୦୧୯ରେ ବିଜେପି ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ କଥା ହେଲା ବେଳେ ପ୍ରଧାନମନ୍ତ୍ରୀ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ବିଜେପିକୁ ଦୁର୍ବଳ ମନେ କରାଯାଉଥିଲା ଏଥର କିନ୍ତୁ ଫଳାଫଳ ଚକିତ କରିଦେବା ଭଳି ହେବ। ଗତ କିଛି ଦିନ ହେବ ଖୁବ୍ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିଯାନ ପାଇଁ ଆଜି ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୋଦି ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୬୨ଟି ସ୍ଥାନ ସମେତ ଦେଶର ପ୍ରାୟ ୫ଶହଟି ସ୍ଥାନ ସାଧାରଣ ଲୋକ ଓ ବିଜେପି କର୍ମୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ମତବିନିମୟ କରିଥିଲେ।
ସୂଚନାଯୋଗ୍ୟ ଯେ ପୂର୍ବରୁ ବିଜେପି ବର୍ତ୍ତମାନର ଶାସକ ଦଳ ବିଜେଡି ସହିତ ଓଡ଼ିଶାରେ ମେଣ୍ଟ ସରକାର କରିଥିଲା। କିନ୍ତୁ ୨୦୦୮ ମସିହା ୨୩ ଅଗଷ୍ଟରେ ହିନ୍ଦୁ ଧର୍ମଗୁରୁ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଏବଂ ଏହାପରେ ସଂଘଟିତ ଦଙ୍ଗା କାରଣରୁ ଏହି ମେଣ୍ଟରେ ମତ ଭେଦ ସୃଷ୍ଟି ହୋଇଥିଲା। ୨୦୦୯ ମସିହାରେ ଏହି ମେଣ୍ଟର ଅନ୍ତ ଘଟିଥିଲା।
ଆଜି ଓଡ଼ିଶା ସମ୍ପର୍କି ଏବଂ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ଅବସରରେ ମୋଦି କହିଥିଲେ, ଦେଶ ଆଉ ରାଜା ମହାରାଜାଙ୍କ ସରକାର ଚାହୁଁନି। ମୋତେ ଖୁସି ଅନୁଭବ ହେଉଛି ଯେ, ଚୌକିଦାରକୁ ନେଇ ଲୋକଙ୍କର ମନୋଭାବ ବଢ଼ିବାରେ ଲାଗିଛି। ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ମୁଁ ଜେଲ୍ରେ ପୁରାଇ ଆସିଛି। ୨୦୧୯ ପରେ ସେମାନେ ସମସ୍ତେ ଜେଲ୍ ଭିତରେ ହିଁ ରହିବେ।
ସେ ଆହୁରି ମଧ୍ୟ କହିଥିଲେ, କିଛି ଲୋକଙ୍କର ଭାବନା ରହି ଆସିଛି ଚୌକିଦାରର ଅର୍ଥ ଏକ ୟୁନିଫର୍ମ, କ୍ୟାପ୍ ଏବଂ ହ୍ୱିସିଲ୍। ଭାରତୀୟ ସେନା ପ୍ରତି ମୋର ବିଶ୍ୱାସ ରହିଛି। ମୋତେ ସେମାନଙ୍କ ଉପରେ ଏବଂ ସେମାନଙ୍କ ଶୃଙ୍ଖଳା ଉପରେ ବିଶ୍ୱାସ ରହିଛି। ସେମାନେ ଏଭଳି କାମ କେବେ ମଧ୍ୟ କରିବେନି, ଯାହା ଆମକୁ ଲଜ୍ଜିତ କରିବ।
ସେ କହିଛନ୍ତି ଗତ ୫ ବର୍ଷ ହେଲା ସମଗ୍ର ଦେଶରୁ ସମର୍ଥନ ମିଳିଛି। ଆଜି ସବୁଠି ମୁଁ ଚୌକିଦାରଙ୍କୁ ଦେଖିବାକୁ ପାଉଛି। ୨୦୧୯ ମସିହାରେ ସେମାନେ ହିଁ ନିର୍ବାଚନ ଲଢ଼ିବେ। ମୁଁ ବିଶ୍ୱାସ କରେ ଦେଶର ନାଗରିକ ଚୌକିଦାରଙ୍କ ପରି।
୨୦୧୪ ମସିହାରେ ସେ ସମସ୍ତଙ୍କ ନିକଟରେ ପରିଚିତ ନଥିଲେ, ତାଙ୍କ ସମାଲୋଚକମାନେ ହିଁ ତାଙ୍କୁ ପ୍ରସିଦ୍ଧି ଦେଇଛନ୍ତି ବୋଲି ସେ କହିଥିଲେ। ସମାଲୋଚନା ପାଇଁ ହିଁ ଲୋକେ ଜାଣିବାକୁ ଚାହିଁଥିଲେ ମୋଦି କିଏ, ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହିଁ ଥିଲେ ବୋଲି ସେ କହିଛନ୍ତି। ବାଲାକୋଟ୍ ଷ୍ଟ୍ରାଇକ୍ କ’ଣ ବିଫଳ ହୋଇଥିଲା ବୋଲି ପ୍ରଶ୍ନ କରାଯିବାରୁ ସେ କହିଥିଲେ, ଏହି ଷ୍ଟ୍ରାଇକ୍ ମୁଁ କରିନଥିଲି। ଦେଶର ଯବାନମାନେ ହିଁ କରିଥିଲେ। ଆମ ସୁରକ୍ଷା କର୍ମୀମାନେ ଏହା କରିଛନ୍ତି। ମୁଁ ସେମାନଙ୍କୁ ସାଲ୍ୟୁଟ୍ କରୁଛି।
from Odisha Reporter https://ift.tt/2HQNIs0
No comments:
Post a Comment