
ଇସ୍ଲାମାବାଦ୍: ଜୈଶ୍-ଏ-ମହମ୍ମଦ ମୁଖ୍ୟ ତଥା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ୍ ଆଝାର ନିଜ ମୃତ୍ୟୁ ଉପରୁ ରହସ୍ୟର ପରଦା ନିଜେ ଉଠାଇଛି। ତା’ର ଆତଙ୍କୀ ସଂଗଠନ ଜୈଶ୍ର ମୁଖପତ୍ରରେ ସେ ଏହି ବିଷୟରେ ଘୋଷଣା କରି କହିଛି, ମୁଁ ବଞ୍ଚିଛି ଏବଂ ସୁସ୍ଥ ଅଛି। ସେ ନିଜ ପେନ୍ ନେମ୍ ବା ଛଦ୍ମନାମ ‘ସା’ଆଦି’ ନାମରେ ଏହି ଲେଖା ଲେଖିଛି, ଯାହାକି ଜୈଶ୍ର ମୁଖପତ୍ର ‘ଅଲ୍-କଲାମ୍’ରେ ପ୍ରକାଶ ପାଇଛି।
ଚଳିତ ମାସରେ ହିଁ ମାସୁଦ୍ର ମୃତ୍ୟୁ ବାବଦରେ ଗୁଜବ ପ୍ରଚାରିତ ହୋଇଥିଲା। କୁହାଯାଉଥିଲା ତା’ର ଲିଭର ଏବଂ କିଡ୍ନୀ କାମ କରୁନି। ଏପରିକି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମେହମ୍ମୁଦ୍ କ୍ୟୁରେସିଙ୍କ ମନ୍ତବ୍ୟ ଏହି ସନ୍ଦେହକୁ ଆହୁରି ଘନୀଭୂତ କରିଥିଲା। ସୋଶାଲ ମିଡିଆରେ ତା’ର ମୃତ୍ୟୁ ଖବର ଘୂରି ବୁଲୁଥିଲେ ମଧ୍ୟ କୌଣସି ଠୋସ୍ ଖବର ମିଳିପାରିନଥିଲା।
‘ଅଲ୍-କାଲାମ୍’ରେ ଲିଖିତ ଏହି ଆଲେଖ୍ୟରେ ମାସୁଦ୍ ନିଜେ ଗୁଜବକୁ ଖଣ୍ଡନ କରିଛି। ଅନ୍ୟପକ୍ଷରେ ପୁଲ୍ୱାମା ଆକ୍ରମଣକୁ ଅତିରଞ୍ଜିତ କରି ପ୍ରଶଂସା କରିଛି ମାସୁଦ୍। ସେ କହିଛି ଫେବୃଆରୀ ୧୪ ତାରିଖରେ ସିଆରପିଏଫ୍ ଗାଡ଼ି ଉପରେ ହୋଇଥିବା ଏହି ଆକ୍ରମଣ କଶ୍ମୀରରେ ଏକ ମହାନ କାମ।
ଏପରିକି ସେ ଆତ୍ମଘାତୀ ଆତଙ୍କବାଦୀ ଆଦିଲ ଅହମ୍ମଦ ଦର୍ର ନାମ ନେଇ କହିଛି, ସେ ଲଗାଇଥିବା ‘ଏହି ନିଆଁ’କୁ ଲିଭିବାକୁ ଦିଆଯିବନି। ଆଦିଲ ହିଁ ଏକ ବିସ୍ଫୋରକ ଖଞ୍ଜା ହୋଇଥିବା ଏସ୍ୟୁଭି ଚଲାଇ ଏକ ବସ୍ ଉଡ଼ାଇ ଦେଇଥିଲା। ଏଥିରେ ସିଆରପିଏଫ୍ର ୪୦ ଜଣ ଯବାନ ସହିଦ୍ ହୋଇଥିଲେ।
ଭାରତୀୟ ବାୟୁସେନା ଏହି ଆକ୍ରମଣରେ ପ୍ରତିଶୋଧ ବାଲାକୋଟ୍ଠାରେ ନେଇଥିଲା। ଭାରତୀୟ ବାୟୁସେନା ଏଲ୍ଓସି ଅତିକ୍ରମ କରି ପାକିସ୍ତାନ ସୀମା ସେପଟେ ଥିବା ପାକିସ୍ତାନ ଅଧିକୃତ କଶ୍ମୀରରେ ଜୈଶ୍ ଆତଙ୍କୀ ତାଲିମ କେନ୍ଦ୍ର ଉପରେ ଆତ୍ମରକ୍ଷା ସ୍ୱରୂପ ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ୨୦୦ରୁ ୩୦୦ ଆତଙ୍କବାଦୀ ନିପାତ ହୋଇଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା।
ଆଝାର ଏହି ଲେଖାରେ ଆହୁରି ମଧ୍ୟ ଦର୍ଶାଇଛି, ଆଫଗାନିସ୍ତାନବାସୀଙ୍କ ଦୁଃଖକଷ୍ଟ ତା’କୁ କୁଆଡ଼େ ଭାରି ବାଧୁଛି। ତେବେ ଏହି ଲେଖାଟି ସେ ନିଜେ ଲେଖିଛି ନା ଅପପ୍ରଚାର ଉଦ୍ଦେଶ୍ୟରେ ଆଉ କେହି ତା’ର ନାମରେ ଲେଖିଛି ତାହା ବର୍ତ୍ତମାନ ମଧ୍ୟ ସନ୍ଦେହ ଘେରରେ ରହିଛି।
from Odisha Reporter https://ift.tt/2FcIyCW
No comments:
Post a Comment