ବିଜୟ ସମ୍ଭାବନା ସିଟ୍ ହାତଛଡ଼ା କରୁଛି ବିଜେପି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ବିଜୟ ସମ୍ଭାବନା ସିଟ୍ ହାତଛଡ଼ା କରୁଛି ବିଜେପି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରି ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡିକୁ କଡ଼ା ଟକ୍କର ଦେଇଥିବା ବିଜେପିର ପ୍ରାର୍ଥୀ ଚୟନ ଫର୍ମୂଲାକୁ ନେଇ ଏବେ ଦଳ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଶେଷକରି ଦଳର ଜିତିବା ସମ୍ଭାବନା ଥିବା ଆସନଗୁଡ଼ିକରେ ଆଶାୟୀ ପ୍ରାର୍ଥୀଙ୍କୁ ଅଣଦେଖା କରି ଅପ୍ରତ୍ୟାଶିତ ଭାବେ ଅନ୍ୟ ନେତାମାନଙ୍କୁ ସୁଯୋଗ ମିଳିବା ପରୋକ୍ଷରେ ବିଜେପିର ପ୍ରାର୍ଥୀ ଚୟନ ଫର୍ମୂଲା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦଳର ଏଭଳି ନିଷ୍ପତ୍ତି ଯୋଗୁ ବିଜୟ ସମ୍ଭାବନା ଥିବା କଳାହାଣ୍ଡି, ବରଗଡ଼, ସମ୍ବଲପୁର ଓ ବାଲେଶ୍ୱର ଭଳି ଲୋକସଭା ଆସନ ହାତଛଡ଼ା ହେବାର ଆଶଙ୍କା ଦେଖାଦେଇଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଏସବୁ ଲୋକସଭା ନିର୍ବାଚନମଣ୍ଡଳୀରେ ବେଶ୍ ଭଲ ପ୍ରଦର୍ଶନ କରିଥିଲା। ଗତ ୨୦୧୪ ସାଧାରଣ ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନରେ ପ୍ରଦୀପ୍ତ କୁମାର ନାଏକ, ବରଗଡ଼ ପାଇଁ ସୁବାସ ଚୌହାନ ଓ ସମ୍ବଲପୁର ପାଇଁ ସୁରେଶ ପୂଜାରୀ ବିଜେଡିଠୁ ସ୍ୱଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ। ବିଜେପିର ଏହି ପରାଜିତ ନେତାମାନେ ସମ୍ପୃକ୍ତ ଲୋକସଭା ଆସନରେ ଗତ ୫ବର୍ଷ ଧରି ସାଂଗଠନିକ କାର୍ଯ୍ୟ ଜାରି ରଖିଥିବାବେଳେ ଚଳିତ ନିର୍ବାଚନରେ ସେମାନଙ୍କ ସାଂଗଠନିକ କାର୍ଯ୍ୟକ୍ଷେତ୍ରରେ ଅଦଳବଦଳ କରାଯାଇଛି।

ସମ୍ବଲପୁର ଲୋକସଭା ଆସନରେ ବିଜେପିର ସୁରେଶ ପୂଜାରୀ ମାତ୍ର ୩୦,୫୭୬ଟି ଭୋଟ୍ ବ୍ୟବଧାନରେ ବିଜେଡିର ନଗେନ୍ଦ୍ର ପ୍ରଧାନଙ୍କଠୁ ପରାଜିତ ହୋଇଥିବାବେଳେ ଏଥର ତାଙ୍କୁ ସମ୍ବଲପୁର ପରିବର୍ତ୍ତେ ବରଗଡ଼ରୁ ପ୍ରାର୍ଥୀ କରାଯାଇଛି। ଶ୍ରୀ ପୂଜାରୀ ୨୦୧୪ ନିର୍ବାଚନରେ ୩ଲକ୍ଷ ୨୮ହଜାର ଭୋଟ୍ ପାଇଥିଲେ ଓ ଦୀର୍ଘବର୍ଷ ଧରି ସମ୍ବଲପୁରରେ ସାଂଗଠନିକ କାର୍ଯ୍ୟ କରୁଥିବାବେଳେ ବରଗଡ଼ ଏବେ ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ। ସମ୍ବଲପୁରରେ ଦେବଗଡ଼ ବିଧାୟକ ନିତେଶ ଗଙ୍ଗଦେବଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଛି, ଯାହା ତାଙ୍କ ପାଇଁ ବି ସମ୍ପୂର୍ଣ୍ଣ ନୂଆ। ସେହିପରି କଳହାଣ୍ଡି ଆସନରୁ ପ୍ରଦୀପ୍ତ କୁମାର ନାଏକ ୫୬,୩୪୭ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେଡିର ଅର୍କ କେଶରୀ ଦେଓଙ୍କଠୁ ପରାଜିତ ହୋଇଥିଲେ। ପ୍ରଦୀପ୍ତ ୨୦୧୪ ନିର୍ବାଚନରେ ୩ଲକ୍ଷ ୧୪ହଜାର ଭୋଟ୍ ପାଇଥିଲେ ଓ କଳାହାଣ୍ଡି ଲୋକସଭା ପାଇଁ ନିଜକୁ ପ୍ରସ୍ତୁତ କରିଥିବାବେଳେ ତାଙ୍କୁ ଭବାନୀପାଟଣା ବିଧାନସଭାରୁ ପ୍ରାର୍ଥୀ କରାଯାଇଛି। ତାଙ୍କ ସ୍ଥାନରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ କଳାହାଣ୍ଡି ଲୋକସଭାରୁ ପ୍ରାର୍ଥୀ କରାଯାଇଛି।

ସେହିପରି ବରଗଡ଼ରେ ସୁବାସ ଚୌହାନ ୩.୭୨ଲକ୍ଷ ଭୋଟ୍ ପାଇଥିବାବେଳେ ବିଜେଡି ପ୍ରାର୍ଥୀଙ୍କଠୁ ମାତ୍ର ୧୧ହଜାର ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ। ସେ ବରଗଡ଼ରୁ ମୁଖ୍ୟ ଦାବିଦାର ଥିବାବେଳେ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା।

କିନ୍ତୁ ଅନ୍ୟପକ୍ଷରେ ୨୦୧୪ ମସିହା ନିର୍ବାଚନରେ ବିଜେପି ପ୍ରାର୍ଥୀମାନେ ଯେଉଁ ସବୁ ସିଟରେ ଲକ୍ଷାଧିକ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ ସେଗୁଡ଼ିକରେ ଦଳୀୟ ପ୍ରାର୍ଥୀଙ୍କୁ ପୁନର୍ବାର ରିପିଟ୍ କରାଯାଇଛି। ବଲାଙ୍ଗିରରେ ସଙ୍ଗୀତା ସିଂହଦେଓ ୧.୦୪ଲକ୍ଷ ଭୋଟରେ ପରାଜିତ ହୋଇଥିବାବେଳେ ଢେଙ୍କାନାଳରେ ରୁଦ୍ର ପାଣି ୧.୩୭ଲକ୍ଷ ଭୋଟରେ ବିଜେଡି ପ୍ରାର୍ଥୀଙ୍କଠୁ ପରାଜିତ ହୋଇଥିଲେ। ସେହିପରି ବାଲେଶ୍ୱର ଲୋକସଭା ଆସନରେ ପ୍ରତାପ ଷଡ଼ଙ୍ଗୀ ୧.୪୧ଲକ୍ଷ ଭୋଟ୍ ବ୍ୟବଧାନରେ ପରାଜିତ ହୋଇ ନୀଳଗିରି ଉପରେ ଫୋକସ କରିଥିଲେ। କିନ୍ତୁ ତାଙ୍କୁ ସେଠାରୁ କାଢ଼ି ନେଇ ପୁଣିଥରେ ବାଲେଶ୍ୱର ଦିଆଯାଇଛି।

ତେଣୁ ଓଡ଼ିଶାରେ ମିଶନ ୧୨୦+ ଲକ୍ଷ୍ୟରେ ଥିବାବେଳେ ତଥା କେନ୍ଦ୍ରରେ ମୋଦି ସରକାରକୁ ପୁଣି କ୍ଷମତାକୁ ଆଣିବାକୁ ଯୋଜନା କରୁଥିବା ବିଜେପି ରାଜ୍ୟରେ କେଉଁ ଆଧାରରେ ନିଜର ସୁଦୃଢ଼ ସଂଗଠନ ଥିବା ସ୍ଥାନଗୁଡ଼ିକରେ ଏଭଳି ପ୍ରାର୍ଥୀ ଦେଇଛି ତାକୁ ନେଇ କର୍ମୀମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।



from Odisha Reporter https://ift.tt/2WvkUJb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages