
ବରଗଡ଼(ଦୀପକ ଶର୍ମା): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବରଗଡ଼ରେ ରଣହୁଙ୍କାର ଦେଇଛନ୍ତି। ଚିଟ୍ଫଣ୍ଡ, ଖଣି ଦୁର୍ନୀତି ସହ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ରାହୁଲ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଓଡ଼ିଶାରେ ଚିଟ୍ଫଣ୍ଡ ସ୍କାମ୍ରେ ୫ ହଜାର କୋଟି ଓ ମାଇନିଂ ସ୍କାମ୍ରେ ୫୦ ହଜାର କୋଟି ଟଙ୍କା ଲୁଟ୍ ହୋଇଛି। ଯେଉଁଠି ବି ଲୋକଙ୍କ ପଇସା ଲୁଟ ହୋଇଛି ତା ଉପରେ କାର୍ଯ୍ୟନୁଷ୍ଠାନ ହେବ ଓ ଲୋକଙ୍କୁ ନ୍ୟାୟ ମିଳିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି, “ଓଡ଼ିଶା ଏବେ ବେରୋଜଗାରୀର ସେଣ୍ଟର ହୋଇଛି। ରାଜକୋଷ ଶୂନ୍ୟ ପଡ଼ିଛି, ଦେଢ଼ ଲକ୍ଷ ପଦବୀ ଖାଲି ପଡ଼ିଛି। ଶୀତଳଭଣ୍ଡାର, ଫୁଡ୍ ପ୍ରସେସିଂ ପ୍ଲାଣ୍ଟ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଘରୋଇକରଣରେ ଲାଗିଛନ୍ତି।”
ସେ କହିଛନ୍ତି, “ବରଗଡ଼ ଓଡ଼ିଶାର ଭାତ ହାଣ୍ଡି ବୋଲି କୁହାଯାଉଥିଲା। ଆଜି ଏଠାର ଚାଷୀ ଦୈନିକ ଆତ୍ମହତ୍ୟା କରୁଛନ୍ତି। କୌଣସି ଏମିତି ଦିନ ନାହିଁ ଯେଉଁଦିନ ଚାଷୀ ଆତ୍ମହତ୍ୟା କରୁନାହାନ୍ତି। ନିର୍ବାଚନ ପୂର୍ବରୁ ଋଣ ଛାଡ଼ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲୁ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଋଣ ଛାଡ଼ କରିଛୁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫ ଶହ ଟଙ୍କା କରିବୁ ବୋଲି କହିଥିଲୁ। ୨ ଦିନ ମଧ୍ୟରେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୨୫ ଶହ ଦେଇଛୁ।”
ବରଗଡ଼ରେ ରାହୁଲଙ୍କ ଏଭଳି ଆକ୍ରମଣର ଜବାବ ରଖିଛନ୍ତି ଉଭୟ ବିଜେଡି ଓ ବିଜେପି।
ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି, “ଓଡ଼ିଶାରେ ସବୁଠାରୁ ଅଧିକ ଚାଷୀ ବରଗଡ଼ ଜିଲ୍ଲାରେ ଆତ୍ମହତ୍ୟା କରିଛନ୍ତି। ଏହି ଜିଲ୍ଲାର ଲୋକମାନେ ଲମ୍ୱା ସମୟ ଧରି କଂଗ୍ରେସକୁ ଭୋଟ ଦେଇ ଜିତାଇ ଆସିଛନ୍ତି। ଓଡ଼ିଶାରେ ବହୁ ବର୍ଷ ଧରି କଂଗ୍ରେସ ଶାସନ ଗାଦିରେ ରହିଛି। ସେହିପରି କେନ୍ଦ୍ରରେ ମଧ୍ୟ କଂଗ୍ରେସ ବହୁ ବର୍ଷ ଧରି ରହିଛି। ଏ କଥା ବୋଧ ହୁଏ ରାହୁଲ ଗାନ୍ଧିଙ୍କୁ ଜଣା ନାହିଁ।”
ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଯିଏ ସମଗ୍ର ଭାରତବର୍ଷକୁ ଦୁର୍ନୀତିରେ ଉବୁଟୁବୁ କରାଇଥିଲେ, ସିଏ ଆଜି ଦୁର୍ନୀତି ଉପରେ ଭାଷଣ ଦେବାଟା ଲଙ୍କାରେ ହରି ଶବ୍ଦ ପରି ଲାଗୁଛି।”
କଂଗ୍ରେସ ସଭାପତି ରାହୁଲ ଗାନ୍ଧି ବରଗଡ଼ ଗସ୍ତକୁ ନେଇ ଆଜି ବେଶ୍ ଉତ୍ସାହିତ ଥିଲେ କଂଗ୍ରେସ ନେତା ଓ କର୍ମୀ। ବରଗଡ଼ ସରସରା ପଡ଼ିଆରେ ହେଲିକପ୍ଟରରେ ରାହୁଲ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ସହ ବହୁ ପଶ୍ଚିମ ଓଡ଼ିଶାର ଅନେକ ନେତା।
from Odisha Reporter https://ift.tt/2O5BwUG
No comments:
Post a Comment