
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି। ଟିକଟ ପାଇଁ ଛକାପଞ୍ଝା ଲାଗି ରହିଥିବା ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ କେତେକ ନିରାଶ ହୋଇଥିବା ବେଳେ ଅନ୍ୟ କେତେକ ପ୍ରାର୍ଥୀଙ୍କୁ ଆଶ୍ୱସ୍ତି ମିଳିଛି।
ତେବେ ଆପଣଙ୍କୁ ଜଣାଥିବ ନବୀନ ବାବୁ ଆସ୍କା ଲୋକସଭା ନିର୍ବାଚନୀ ମଣ୍ଡଳୀ ପାଇଁ ପ୍ରମିଳା ବିଶୋଇ ନାମରେ ଜଣେ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି। ପ୍ରମିଳା ଜଣେ ଟାଣୁଆ ନେତା ନୁହଁନ୍ତି କିମ୍ୱା ପୂର୍ବରୁ ତାଙ୍କ ନାମ ବହୁତ କମ୍ ଲୋକ ମଧ୍ୟ ଜାଣିଛନ୍ତି। ପ୍ରମିଳା ଲୋକସଭା ପ୍ରାର୍ଥୀ ହେବା ପରେ ସମସ୍ତଙ୍କୁ ଏହି କଥା ଆଶ୍ଚର୍ଯ୍ୟ କରିଛି।
କିଏ ଏହି ପ୍ରମିଳା
ପ୍ରମିଳା ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଚେରମାରିଆ ଗାଁର ମିଶନ ଶକ୍ତିର ଜଣେ ସଦସ୍ୟ । ଏହା ସହିତ ସେ ଚେରମାରିଆ ପ୍ରାଥମିକ ବିଦ୍ୟାଳୟରେ ପାଚିକା ଭାବରେ କାର୍ଯ୍ୟ କରନ୍ତି। ସେ ମହିଳା ସଶକ୍ତିକରଣ ସହ ବନ ସୁରକ୍ଷା ଓ ଲୋକକଳା ସଂସ୍କୃତିର ପ୍ରଚାର କରିବା ପାଇଁ ସର୍ବଦା ଚେଷ୍ଟା କରି ଆସିଛନ୍ତି। ଜଣେ ଚାଷୀ ପରିବାରରୁ ଆସିଥିବା ପ୍ରମିଳା ଦୀର୍ଘ ୧୮ ବର୍ଷ ଧରି ସ୍ୱୟଂ ସହାୟକ ଗୋଷ୍ଠୀରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ବନ ସୁରକ୍ଷା ପାଇଁ ପ୍ରମିଳା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି।
ତେବେ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବେ ବୋଲି ଘୋଷଣା କରିଥିଲେ। ଯାହା ନିଶ୍ଚିନ୍ତ ରୂପେ ମହିଳାମାନଙ୍କ ପାଇଁ ଏକ ସମ୍ମାନଯୋଗ୍ୟ ପଦକ୍ଷେପ। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀ ଏଥର ନିର୍ବାଚନରେ ମହିଳା ସଶକ୍ତିକରଣ କରିବା ନାଁରେ ଏକ ମାଷ୍ଟର ଷ୍ଟ୍ରୋକ୍ ଖେଳୁ ନାହାନ୍ତି ତ?
ସାଧାରଣ ଜନତାଙ୍କ ମଧ୍ୟରେ ଏପରି ଦ୍ୱନ୍ଦ୍ୱ ଉଠିବା ଏକ ସ୍ୱଭାବିକ କଥା।
ଲୋକସଭା ପ୍ରାର୍ଥୀ ହେବା ପାଇଁ ଯଦିଓ ପ୍ରମିଳାଙ୍କ ପାଖରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନାହିଁ ବୋଲି କେତେକ ଅଭିଯୋଗ କରୁଛନ୍ତି ତଥାପି କିଛି ରାଜନୈତିକ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ ଏପରି କରିଥିବା କୁହାଯାଇପାରେ।
ତେବେ ପ୍ରମିଳାଙ୍କ ହାତରେ ଥିବା ଭୋଟ ବ୍ୟାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି। ପ୍ରମିଳାଙ୍କ ବୟସ ଏବେ ୭୦। ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ତାଙ୍କ ସମୟରେ ସେ ଦ୍ୱିତୀୟ କିମ୍ୱା ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ତେବେ ଭୋଟ ବ୍ୟାଙ୍କର ଏହି ରାଜନୀତିରେ ପ୍ରମିଳା ପରି ଜଣେ ସାଧାରଣ ମହିଳା କିପରି ଲୋକସଭାରେ ରାଜ୍ୟର ପ୍ରତିନିଧିତ୍ୱ କରିବେ, ତାହା ଏବେ ଏକ ବଡ଼ ପ୍ରଶ୍ନ।
from Odisha Reporter https://ift.tt/2HHMqPf
No comments:
Post a Comment