
ନୂଆଦିଲ୍ଲୀ: ଦିଲ୍ଲୀରେ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଶାସକ ଦଳ ଆମ୍ ଆଦମି ପାର୍ଟି ସହିତ କଂଗ୍ରେସର ମେଣ୍ଟ ହେବ ନାହିଁ। ଏ ନେଇ କଂଗ୍ରେସ କିମ୍ବା ଅଧ୍ୟକ୍ଷ ରାହୁଲ ଗାନ୍ଧି କୌଣସି ବିଧିବଦ୍ଧ ସୂଚନା ଦେଇନଥିଲେ ମଧ୍ୟ ଗତକାଲି ହୋଇଥିବା ବୈଠକରେ ଏହି ନିର୍ଯାସ ବାହାରିଥିବା ଜଣାପଡ଼ିଛି।
ଦିଲ୍ଲୀରେ ମେଣ୍ଟ ହେବ କି ନାହିଁ, ଏ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଘରେ ବିଳମ୍ବିତ ରାତି ଯାଏ ଦଳର ବରିଷ୍ଠ ନେତା ପିସି ଚାକୋ, କେ.ସି ଭେନୁଗୋପାଳଙ୍କ ସହ ବୈଠକ ବସିଥିଲା। ଏବେ ଆପ ସହ ମେଣ୍ଟ କଲେ ଭବିଷ୍ୟତରେ ଏହା କଂଗ୍ରେସ ପାଇଁ କ୍ଷତିକାରକ ହେବ ବୋଲି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମଧ୍ୟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତୀ ଅବଗତ କରାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଦିଲ୍ଲୀ କଂଗ୍ରେସର କିଛି ନେତା ରାଜ୍ୟରେ ବିଜେପିକୁ ରୋକିବା ପାଇଁ ଆମ ଆଦମି ପାର୍ଟି ସହ ମେଣ୍ଟର ଆବଶ୍ଯକତା ରହିଛି ବୋଲି ମନେ କରି କଂଗ୍ରେସ ହାଇକମାଣ୍ଡକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏହା ଭବିଷ୍ୟତରେ କଂଗ୍ରେସ ପାଇଁ ଭଲ ହେବ ନାହିଁ ବୋଲି ପିସିସି ଅଧ୍ୟକ୍ଷ ଶୀଲୀ ଦୀକ୍ଷିତ ମନେ କରି ପ୍ରଥମରୁ ଏହାକୁ ବିରୋଧ କରୁଥିଲେ। ତେବେ ମେଣ୍ଟ ବାବଦରେ ଆମ ମୁଖ୍ୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସହ ମେଣ୍ଟ ପାଇଁ ଇଚ୍ଛା ପ୍ରକାଶ କରି ବିଭିନ୍ନ ସଭା ଓ ମିଦିଆରେ ପ୍ରତିକ୍ରିୟା ରଖିଥିଲେ। ହେଲେ ଶୀଲା ଦୀକ୍ଷିତଙ୍କୁ ସେ ମେଣ୍ଟ ବାବଦରେ ନ କହି ମିଡିଆରେ କଂଗ୍ରେସକୁ ପ୍ରସ୍ତାବ ଦେବା ଶୈଳୀକୁ ଶୀଲା ଦୀକ୍ଷିତ ଗ୍ରହଣ କରିନଥିବା ଜଣାପଡ଼ିଛି। ଏ କ୍ଷେତ୍ରରେ ଶୀଲା ଦୀକ୍ଷିତ ନିଜ ଜିଦରେ ଅଟଳ ରହିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ମେଣ୍ଚ ନହେବାର ଅନ୍ୟ ଏକ କାରଣ ‘ଆପ’ର ଆସନ ସର୍ତ୍ତ ବୋଲି ମଧ୍ୟ ଜଣାପଡ଼ିଛି। ଆମ ଆଦମି ପାର୍ଟି ଗୋଟିଏ ଆସନ କଂଗ୍ରେସକୁ ଦେବ ବୋଲି ପ୍ରସ୍ତାବ ଦେଇଥିବାବେଳେ କଂଗ୍ରେସ ୩ଟି ଆସନ ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଏହାପରେ ଏନସିପି ସୁପ୍ରିମୋ ଶରଦ ପାୱାର ଦୁଇ ଦଳ ମଧ୍ଯରେ ମଧ୍ୟସ୍ଥି ସାଜିଥିଲେ।
ରାତିରେ ବସିଥିବା ଏହି ବୈଠକରେ ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ୮୦ ଆବେଦନକାରୀଙ୍କ ବାବଦରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି। ସମସ୍ତ ଆସନରେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି। ଗତ ସାଧାରଣ ନିର୍ବାଚନରେ ବିଜେପି ୭ଟି ଲୋକସଭା ଆସନରୁ ୭ଟି ଜିତି କ୍ଲିନ ସୁଇପ କରିଥିଲା।
from Odisha Reporter https://ift.tt/2uKlLtH
No comments:
Post a Comment