
ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ଟିକେଟ ବଣ୍ଟାକୁ ନେଇ ଆରମ୍ଭ ହୋଇଛି ସବୁ ଦଳରେ ଟେନସନ। ଦେଶର ପ୍ରମୁଖ ୨ ଦଳ ସହିତ ସମାଜବାଦୀ ପାର୍ଟିର କଥାରେ ତାଳମେଳ ରହୁନଥିବା ଦେଖିବାକୁ ମିଳିଛି । ମୁଖ୍ୟତଃ ପରିବାରବାଦ ଓ ବୟସକୁ ନେଇ ଦଳ ମଧ୍ଯରେ ଘଡ଼ିକେ ଘୋଡ଼ା ଛୁଟୁଛି । ରାଜ୍ୟରେ ଗୋଟିଏ ପରିବାରର କେବଳ ଜଣଙ୍କୁ ଟିକଟ ମିଳିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ । ହେଲେ ଏବେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରି ସେ କହିଛନ୍ତି ‘ଗୋଟିଏ ପରିବାରର ଏକାଧିକ ଲୋକ ରାଜନୀତିରେ ଥିଲେ ଟିକେଟ୍ ମିଳିପାରେ, କିନ୍ତୁ ହଠାତ୍ ଆସି ମିଶିଲେ ଟିକେଟ୍ ମିଳିବ ନାହିଁ’।
ସେହିପରି ବିଜେପି ମଧ୍ଯ ଶୁକ୍ରବାର ସନ୍ଧ୍ୟାରେ ବସିଥିବା ସଂସଦୀୟ ଦଳ ବୈଠକରେ ଏଭଳି ନିଷ୍ପତ୍ତିରୁ ଓହରିଥିବାର ସୂଚନା ରହିଛି । ଦଳରେ ଥିବା ଅଧିକ ବୟସ୍କ ନେତାଙ୍କୁ ଟିକେଟ ମିଳିବ ନାହିଁ ଏବଂ ନବାଗତଙ୍କୁ ସୁଯୋଗ ମିଳିବ ବୋଲି କହିଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ । ହେଲେ ଏବେ ରାଜନୈତିକ ପାଣିପାଗକୁ ଦେଖି ନିଜ ନିଷ୍ପତ୍ତିକୁ ଭାଙ୍ଗିବା ପାଇଁ ବିଜେପି ସ୍ଥିର କରିଥିବା କୁହାଯାଇଛି । କିନ୍ତୁ ସେମାନଙ୍କୁ ଦଳ ଭିତରେ କିମ୍ବା ସରକାର ଗଢିଲେ କୌଣସି ପଦପଦବୀ ମିଳିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି।
ସେହିପରି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ପରିବାରବାଦକୁ ନେଇ ଦୁଇ ଫାଳ ହୋଇଥିଲା ଯାଦବ ପରିବାର ନେତୃତ୍ବାଧୀନ ସମାଜବାଦୀ ପାର୍ଟି । ପରିବାରବାଦଠୁ ଦଳ ଏଥର ଉପରେ ରହିବ ଏବଂ ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କ ଧର୍ମପତ୍ନୀ ଡିମ୍ପଲ ଯାଦବଙ୍କୁ ଟିକଟ ମିଳିବନି ବୋଲି ଅଖିଳେଖ ଯାଦବ କହିଥିଲେ । ଛତିଶଗଡ଼ ରାଜଧାନୀରେ ରାୟପୁରକୁ ୨୪ ସେପ୍ଟେମ୍ବର ୨୦୧୭ରେ ଆସିଥିବା ବେଳେ ଏ କଥା ଗଣମାଧ୍ୟମକୁ କହିଥିଲେ ଅଖିଳେଶ ଯାଦବ । ହେଲେ ଏବେ ସେ ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। କାରଣ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ କନୌଜରୁ ସାଂସଦ ପ୍ରାର୍ଥୀ ହେବେ ବୋଲି ଶୁକ୍ରବାର ସମାଜବାଦୀ ପାର୍ଟି ସ୍ପଷ୍ଟ କରିଛି ।
from Odisha Reporter https://ift.tt/2HcTsfm
No comments:
Post a Comment