
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଉଷ୍ମତା ବଢ଼ିଥିବାବେଳେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ନିଷ୍ପତ୍ତିକୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ପୁଣିଥରେ ଝୁଲାଇ ରଖିଛନ୍ତି। ଦିନେ-ଦୁଇଦିନ ଭିତରେ ସେ ଯେକୌଣସି ଦଳରେ ସାମିଲ ହେବେ ବୋଲି ଡାକ୍ତର ରାଉତ ଗଣମାଧ୍ୟମକୁ ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିତୀୟ ରାଉଣ୍ଡ ଆଲୋଚନା ପାଇଁ ଆଜି ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମକୁ ଡାକ୍ତର ରାଉତ ବାତିଲ କରିବା ପରେ ସେ ବିଜେପିରେ ସାମିଲ ହେଉନଥିବା ଚର୍ଚ୍ଚା ଜୋର ଧରିଥିଲା।
ଆଜି ଡାକ୍ତର ରାଉତ ତାଙ୍କର ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିବା ଓ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କ ସହ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଆଲୋଚନାକୁ ଆଧାର କରି ଡାକ୍ତର ରାଉତ ଆଉ ବିଜେପିରେ ଯୋଗ ନଦେଇପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପରୁ ଦଳୀୟ ଟିକେଟ୍ ଦେଇ ପିତା ଡାକ୍ତର ରାଉତଙ୍କୁ ବିଜେଡିକୁ ମ୍ୟାନେଜ କରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଥିଲା। ତେବେ ଗଣମାଧ୍ୟମରେ ଏହି ଚର୍ଚ୍ଚା ଜୋର ଧରିବା ପରେ ଡାକ୍ତର ରାଉତ ଏନେଇ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଉଭୟ କଂଗ୍ରେସ ଓ ବିଜେପି ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି ତଥା ସେମାନଙ୍କ ସହ ଆଲୋଚନା ଚାଲିଛି। ଆଜି ମଧ୍ୟ ସେ ବିଜେପି ଶୀର୍ଷ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ପତ୍ନୀ ଅସୁସ୍ଥ ଥିବାରୁ ସେ ଗଲେ ନାହିଁ। କଂଗ୍ରେସରେ ସାମିଲ ହେବା ପାଇଁ ପିସିସି ସଭାପତି ତାଙ୍କୁ ମଧ୍ୟ ବାରମ୍ବାର ଫୋନ୍ କରୁଛନ୍ତି। ସେ ଦିନେ ଦୁଇଦିନ ମଧ୍ୟରେ ଯେକୌଣସି ଦଳରେ ସାମିଲ ହେବେ। ମାତ୍ର ପୁଅ ଓ ଝିଅଙ୍କୁ ଟିକେଟ୍ ଦେବା ପାଇଁ ସେ କାହାରିକୁ ଅନୁରୋଧ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଅନ୍ୟପକ୍ଷରେ ବିଜେଡିର ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡାକ୍ତର ରାଉତଙ୍କ ପୁଅ ସମ୍ବିତଙ୍କୁ ଦଳ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥଇଥାନ କରିବ ବୋଲି ପ୍ରସ୍ତାବ ଦେଇଛି। ପାରାଦୀପରୁ ତାଙ୍କୁ ଟିକେଟ୍ ଦେଲେ ସେଠାରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାର ଆଶଙ୍କା ଥିବା ତଥା ଆସନଟି ବିଜେଡି ହାତରୁ ଖସିଯିବାର ଆଶଙ୍କା ରହିଛି ବୋଲି ବୁଝାଇ ଦିଆଯାଇଥିଲା। ତେଣୁ ନିର୍ବାଚନ ପରେ ସମ୍ବିତଙ୍କୁ ଓ ତାଙ୍କ ଭଉଣୀ ପ୍ରୀତିନନ୍ଦା ରାଉତରାୟଙ୍କୁ ଦଳ ପକ୍ଷରୁ ନିଶ୍ଚିତ ଭାବେ ସରକାରୀ ପଦପଦବୀରେ ଅବସ୍ଥାପିତ କରାଯିବ ଓ ତା’ବଦଳରେ ତାଙ୍କୁ ନିଜ ପିତା ଡାକ୍ତର ରାଉତଙ୍କୁ ମ୍ୟାନେଜ୍ କରିବାକୁ କୁହାଯାଇଥିଲା। କିନ୍ତୁ ପାରାଦୀପରୁ ତାଙ୍କୁ ଦଳୀୟ ଟିକେଟ୍ ନମିଳିଲେ ପିତା ଡାକ୍ତର ରାଉତଙ୍କୁ ବୁଝାଇବା ସହଜ ହେବନି ବୋଲି ସମ୍ବିତ ବିଜେଡି ନେତୃତ୍ୱଙ୍କୁ ଅବଗତ କରାଇଛନ୍ତି। ଏହାପରେ ବିଜେଡି ନେତୃତ୍ୱ ନିଜର ନିଷ୍ପତ୍ତି ଦିନେ-ଦୁଇଦିନ ମଧ୍ୟରେ ଜଣାଇବେ ବୋଲି ସୂଚନା ମିଳିଛି।
ତେଣୁ ବିଜେଡି ସହ ମୂଲଚାଲ୍ ଛିଡ଼ୁନଥିବାରୁ ଡାକ୍ତର ରାଉତଙ୍କ ଅନ୍ୟ ଦଳରେ ମିଶିବାରେ ବିଳମ୍ବ ହେଉଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।
from Odisha Reporter https://ift.tt/2UugktU
No comments:
Post a Comment