
ନୂଆଦିଲ୍ଲୀ: ବିଶ୍ୱର ସର୍ବଶ୍ରେଷ୍ଠ ସ୍ୱିମର ମାଇକେଲ ଫେଲପ୍ସ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ଭାରତ ଗସ୍ତରେ ସେ କ୍ରିକେଟର ପୂରା ମଜା ଉଠାଇଛନ୍ତି। କିନ୍ତୁ ଏହି ଖେଳକୁ ଫେଲପ୍ସ କେବେବି ପେସାଦାର ଭାବେ ଗ୍ରହଣ କରିପାରିବେ ନାହିଁ। ଏହି ଅବସରରେ ସେ ଆଇପିଏଲ ଫ୍ରାଞ୍ଜାଇଜି ଦିଲ୍ଲୀ ଡେୟାରଡେଭିଲ୍ସ ଟିମ ସହ ବୁଧବାର ସମୟ ବିତାଇଛନ୍ତି।
ତାଙ୍କୁ ଦିଲ୍ଲୀର ବାମହାତୀ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ବ୍ୟାଟ୍ ଧରିବା ଶିଖାଇଛନ୍ତି। ଏହାଛଡ଼ା ସେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ ମୋରିସ ଓ ପେସ ବୋଲର ଈଶାନ୍ତ ଶର୍ମାଙ୍କ ସହ ସାକ୍ଷାତ କରିଛନ୍ତି। ଫେଲପ୍ସ କହିଛନ୍ତି, ମୁଁ ଏହି ଖେଳାଳିଙ୍କଠାରୁ କିଛି ବ୍ୟାଟିଂ ଟିପ୍ସ ନେଇଛି। ପ୍ରଥମେ ମୁଁ ବ୍ୟାଟ ଧରିବା ଶିଖିଲି। ମୁଁ ନିଶ୍ଚିତ ଯେ, ପରବର୍ତ୍ତୀ ଭାରତ ଗସ୍ତ ସମୟରେ ମୁଁ ବ୍ୟାଟ ଚଲାଇବା ଶିଖି ଯାଇଥିବି ବୋଲି ଫେଲପ୍ସ କହିଛନ୍ତି।
ଏହା ପୂର୍ବରୁ ମଙ୍ଗଳବାର ଫେଲପ୍ସ ଫିରୋଜ ଶାହ କୋଟଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମ୍ୟାଚ ଦେଖିଥିଲେ। ମ୍ୟାଚ୍ ଦେଖିବା ପରେ ଫେଲପ୍ସ କହିଥିଲେ, ଷ୍ଟାଡିୟମରେ ଦର୍ଶକଙ୍କ ରୋମାଞ୍ଚ, ରନ ପାଇଁ ଦୌଡିକା ଏବଂ ରନଆଉଟ୍ ହେବା ଦେଖି ମୋତେ ବହୁତ ଖୁସି ଲାଗିଲା। ବିଶେଷକରି ଛକା ଦେଖିବା ଭଲ ଲାଗିଲା ବୋଲି ଫେଲପ୍ସ କହିଛନ୍ତି।
ସୂଚନାଯୋଗ୍ୟ, ଫେଲପ୍ସଙ୍କ ନାମରେ ଅଲିମ୍ପିକ୍ସରେ ରେକର୍ଡ ୨୮ (୨୩ ସ୍ୱର୍ଣ୍ଣ, ୩ ରୌପ୍ୟ, ୨ ବ୍ରୋଞ୍ଜ) ପଦକ ରହିଛି। ସେ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ୬ ସ୍ୱର୍ଣ୍ଣ, ୨ ବ୍ରୋଞ୍ଜ, ୨୦୦୮ରେ ୮ ସ୍ୱର୍ଣ୍ଣ, ୨୦୧୨ରେ ୪ ସ୍ୱର୍ଣ୍ଣ, ୨ ରୌପ୍ୟ, ୨୦୧୬ରେ ୬ ସ୍ୱର୍ଣ୍ଣ, ୧ ରୌପ୍ୟ ପଦକ ଜିତିଛନ୍ତି।
from Odisha Reporter https://ift.tt/2UXxgt6
No comments:
Post a Comment