୨୧ ତୋପ ସଲାମୀ ସହ ପାରିକରଙ୍କୁ ଅଶ୍ରୁଳ ବିଦାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

୨୧ ତୋପ ସଲାମୀ ସହ ପାରିକରଙ୍କୁ ଅଶ୍ରୁଳ ବିଦାୟ

ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ଆଜି ସାରା ଦେଶ ଅଶ୍ରୁଳ ବିଦାୟ ଦେଇଛି। ଆଜି ସନ୍ଧ୍ୟାରେ ଶ୍ରୀ ପାରିକରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ୨୧ ତୋପ ସଲାମୀ ସହ ବିଦାୟ ଦିଆଯାଇଛି। ପାଞ୍ଜିମର ମିରାମାର ବିଚ୍‌ରେ ତାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଯାଇଛି।

ପାରିକରଙ୍କୁ ଶେଷ ସମ୍ମାନ ଜଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ। ‘କଲା ଏକାଡେମୀ’ରୁ ଏକ ବିରାଟ୍‌ ପଟୁଆରରେ ଭାରତୀୟ ରାଜନୀତିର ଏହି ଲୋକପ୍ରିୟ ନେତାଙ୍କ ମରଶରୀରକୁ ମିରାମାର ବିଚ୍‌କୁ ଅଣାଯାଇଥିଲା। ସେଠାରେ ଏକ ଶୋକାକୂଳ ପରିବେଶ ଭିତରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଯାଇଛି। ତାଙ୍କ ପୁଅ ଉତ୍ପଳ ହିଁ ମୁଖାଗ୍ନୀ ଦେଇଥିଲେ।

ପାରିକରଙ୍କ ସମ୍ମାନରେ ଆଜି ସାରା ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଥିବା ବେଳେ ଗୋଆରେ ୭ ଦିନିଆ ଶୋକ ପାଳନ କରିବାକୁ ନିଷ୍ପତ୍ତି ହୋଇଛି।

ଗଲା କିଛି ଦିନ ଧରି ପାନକ୍ରିୟାଟିକ୍ କ୍ୟାନସରରେ ପୀଡ଼ିତ ଥିବା ପାରିକର ଗତକାଲି ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଗତକାଲି ରାତିରୁ ହିଁ ପାରିକରଙ୍କୁ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଆଜି ସକାଳେ ପାରିକରଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଜେପି କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏକାଠି ହୋଇଥିଲେ। ପାରିକରଙ୍କ ଶେଷ ଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ନୀତୀନ ଗଡ଼କରୀ, ସ୍ମୃତି ଇରାନୀ ପ୍ରମୁଖ ପାଣାଜି ଯାଇଥିଲେ।

ସାଧାରଣ ଜନତାଙ୍କ ଶେଷ ଦର୍ଶନ ନିମନ୍ତେ ପାରିକରଙ୍କ ମରଶରୀରକୁ ପାଣାଜି ପାର୍ଟି ଅଫିସରୁ କଳା ଏକାଡେମୀକୁ ନିଆଯାଇଥିଲା। ସେଠାରେ ପହଞ୍ଚି ଥିବା ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ। ଅପରାହ୍ଣ ୪ଟାରେ ଏକ ବିରାଟ୍‌ ପଟୁଆରରେ ତାଙ୍କ ପାର୍ଥିବ ଶରୀରକୁ ମିରାମାର ବିଚ୍‌କୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା।

ପାରିକର ବଞ୍ଚିଥିବା ବେଳେ ବିଭିନ୍ନ ସଭା ସମିତିରେ ଲୋକମାନଙ୍କୁ ପଚାରୁଥିଲେ ‘ହାଓ ଇଜ୍‌ ଦି ଜୋଶ’। ଆଜି ତାଙ୍କୁ ଅନ୍ତିମ ବିଦାୟ ଦେଲା ବେଳେ ଲୋକମାନଙ୍କ ମନରେ ମଧ୍ୟ ଅଜସ୍ର ଜୋଶ ଭରି ରହିଥିଲା। ନିଜର ପ୍ରିୟ ଜନନାୟକଙ୍କ ଅନ୍ତିମ ଯାତ୍ରାରେ ହଜାର ହଜାର ଜନତା ସାମିଲ ହୋଇଥିଲେ। ସମସ୍ତଙ୍କ ମୁହଁରେ ବିଷାଦ ଆଉ ଆଖିରେ ଲୁହ ରହିଥିଲା।

ଚାରି ଚାରି ଥର ଗୋଆର ମୁଖ୍ୟମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଭାବେ ପାରିକର ଦେଶବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ନୂଆ ଗୋଆ ନିର୍ମାଣ, ସେନା ବାହିନୀର ଆଧୁନିକୀକରଣ ଓ ପୂର୍ବତନ ସେନା କର୍ମଚାରୀଙ୍କ କଲ୍ୟାଣ ପାଇଁ ଓଆରଓପିର ପ୍ରଚଳନ କରିବା କ୍ଷେତ୍ରରେ ପାରିକର ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

୨୦୧୬ରେ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ ଯୋଗୁ ପାରିକର ସମସ୍ତଙ୍କ ହୃଦୟ ଜିଣିଥିଲେ। ଜଣେ ବାଗ୍ମୀ ଛାତ୍ର, ଯୁବ ଉଦ୍ୟୋଗୀ, ଦକ୍ଷ ସଂଗଠକ ଏବଂ ପରବର୍ତ୍ତୀ ଅବସ୍ଥାରେ ନିଜକୁ ସଫଳ ରାଜନୀତିଜ୍ଞ ଭାବେ ନିଜକୁ ପ୍ରମାଣିତ କରିପାରିଥିବା ପାରିକରଙ୍କୁ ‘ସାଧାରଣ ଜନତାଙ୍କ ମୁଖ୍ୟମନ୍ତ୍ରୀ’ ବୋଲି କୁହାଯାଉଥିଲା।

ସବୁଥିରେ ସଫଳତା ସାଉଁଟି ଥିବା ପାରିକର କର୍କଟ ରୋଗରେ ପୀଡ଼ିତ ଥିଲେ ହେଁ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାରେ ପଛଘୁଞ୍ଚା ଦେଇ ନଥିଲେ। ନାକରେ ପାଇପ୍‌ ଲଗାଇ ସେ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ନିଜର ଦାୟିତ୍ୱ ନିର୍ବାହ କରିଥିଲେ।



from Odisha Reporter https://ift.tt/2FmWHit

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages