ମଙ୍ଗଳବାର ୨ୟ ଦିନିିକିଆ: ବିଜୟଧାରା ବଜାୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 4, 2019

ମଙ୍ଗଳବାର ୨ୟ ଦିନିିକିଆ: ବିଜୟଧାରା ବଜାୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନାଗପୁର: ହାଇଦ୍ରାବାଦରେ ପ୍ରଥମ ଦିନିକିଆ ଜିତିବା ପରେ ଟିମ୍ ଇଣ୍ଡିଆ ମଙ୍ଗଳବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ। ୱାର୍ଲ୍ଡ କପ୍ ଟିମରେ ସ୍ଥାନ ପାଇବାକୁ ଦାବିଦାର ଥିବା କେତେକ ଖେଳାଳିଙ୍କ ନିମନ୍ତେ ଏହି ମ୍ୟାଚ ଦକ୍ଷତା ପ୍ରମାଣ କରିବାର ଆଉ ଏକ ସୁଯୋଗ ହେବ। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଶନିବାର ପ୍ରଭାବୀ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଥିଲା। ଟି-୨୦ ସିରିଜରେ ୦-୨ରେ ପରାଜୟର ସାମ୍ନା କରିଥିବା ଟିମ ଇଣ୍ଡିଆ ପ୍ରଥମ ଦିନିକିଆରେ ବିଜୟ ହାସଲ କରିବା ନିଶ୍ଚିତ ଭାବେ ଦଳର ମନୋବଳ ବଢ଼ାଇଥିବ।

ୱାର୍ଲ୍ଡ କପ୍ ପୂର୍ବରୁ ଭାରତକୁ ଏବେ କେବଳ ଚାରୋଟି ଅନ୍ତର୍ଜାତୀୟ ଦିନିକିଆ ଖେଳିବାକୁ ଅଛି ଏବଂ ସେଥିରେ ପ୍ରଦର୍ଶନ ଭିତ୍ତିରେ ଖେଳାଳି ଚୟନ କରାଯିବ। ଓପ୍ନର ଶିଖର ଧୱନ୍ ହାଇଦ୍ରାବାଦ ଦିନିକିଆରେ ଫେଲ୍ ମାରିଥିଲେ ହେଁ, ତାଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଯଦି ଧୱନ୍ ପୁନର୍ବାର ସୁଯୋଗ ପାଆନ୍ତି, ତାହେଲେ ରାହୁଲଙ୍କୁ ପୁଣିଥରେ ବାହାରେ ବସିବାକୁ ପଡ଼ିବ ।

ଅନ୍ୟତମ ଓପ୍ନର ତଥା ଉପଅଧିନାୟକ ରୋହିତ ଶର୍ମା କୌଣସି ବୋଲିଂ ଆକ୍ରମଣକୁ ମୁକାବିଲା କରିବାର ଦକ୍ଷତା ରଖିଛନ୍ତି ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଅଧିନାୟକ ବିରାଟ କୋହଲିଙ୍କ ସହ ତାଙ୍କ ଯୋଡ଼ି ଜବରଦସ୍ତ ରହିଆସିଛି। କୋହଲି ପ୍ରଥମ ମ୍ୟାଚରେ ୪୪ ରନ୍ କରିଥିଲେ। ରୋହିତ ଓ କୋହଲି ଯଦି ନାଗପୁର ଭିସିଏ ଷ୍ଟାଡିୟମରେ ଏକାଠି କ୍ଲିକ୍ କରନ୍ତି, ତାହେଲେ ଭ୍ରମଣକାରୀ ଟିମ୍ ପାଇଁ ସମସ୍ୟା ବଢ଼ିପାରେ।

ଅମ୍ବାତି ରାୟୁଡୁ ହାଇଦ୍ରାବାଦରେ ବିଫଳ ହୋଇଥିଲେ ସତ, କିନ୍ତୁ ତାଙ୍କ ଦକ୍ଷତାକୁ ଟିମ୍ ମ୍ୟାନେଜମେଣ୍ଟ ଅଣଦେଖା କରିପାରିବ ନାହିଁ। ତେଣୁ ତାଙ୍କୁ ପୁନର୍ବାର ଚତୁର୍ଥ ସ୍ଥାନରେ ବ୍ୟାଟିଂ ମିଳିବାର ସମ୍ଭାବନା ରହିଛି। ମହାରାଷ୍ଟ୍ରର ବ୍ୟାଟ୍ସମ୍ୟାନ୍ କେଦାର ଯାଦବ ପ୍ରଥମ ଦିନିକିଆରେ ଅପରାଜିତ ୮୧ ରନର ଇନିଂସ୍ ଖେଳି ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ଏବଂ ଷଷ୍ଠ ସ୍ଥାନରେ ସେ ନିଜ ସ୍ଥାନ ପ୍ରାୟତଃ ପକ୍କା କରିନେଇଛନ୍ତି। ଏହାବାଦ୍ ଅଫ୍ ସ୍ପିନ୍ ବୋଲିଂ କରିବାର ଦକ୍ଷତା କାରଣରୁ ସେ ଟିମ୍ ପାଇଁ ଅପରିହାର୍ଯ୍ୟ ହୋଇପାରିଛନ୍ତି।

ତାଙ୍କ ସହ ଶତକୀୟ ଭାଗୀଦାରୀ କରିଥିବା ମହେନ୍ଦ୍ର ସିଂହ ଧୋନି ୫୯ ରନର ଅପରାଜିତ ଇନିଂସ୍ ଖେଳିଥିଲେ ଏବଂ ଏହା କୋଚ୍ ରବି ଶାସ୍ତ୍ରୀଙ୍କୁ ଆଶ୍ୱସ୍ତ କରିଛି। ଧୋନି ନିଜର ଏହି ଲଢ଼ୁଆ ଇନିଂସ୍ ଦ୍ୱାରା ପ୍ରମାଣ କରିଛନ୍ତି ଯେ, ତାଙ୍କ ପାଖରେ ଆହୁରି ବହୁତ ଦମ୍ ବାକି ଅଛି। ଶୀର୍ଷକ୍ରମ ବିଫଳ ହେବା ପରେ ଧୋନି ଓ କେଦାର ମଧ୍ୟକ୍ରମରେ ନିର୍ଣ୍ଣାୟକ ଭାଗୀଦାରୀ କରିଥିଲେ। ଧୋନି ଗତ କିଛି ସମୟ ଧରି ଭଲ ଫର୍ମରେ ଅଛନ୍ତି ଏବଂ ପ୍ରତିଟି ଭଲ ପ୍ରଦର୍ଶନ ତାଙ୍କୁ ବିଶ୍ୱକପ୍ ପାଇଁ ସହାୟକ ହେବ।

ଭାରତୀୟ ଟିମର ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିପାରେ। ଶଙ୍କର ପ୍ରଥମ ମ୍ୟାଚରେ ପ୍ରଭାବୀ ବୋଲିଂ କରିପାରିନଥିଲେ। ଭାରତୀୟ ବୋଲିଂ ଆକ୍ରମଣର ନେତୃତ୍ୱ ପୁଣିଥରେ ଜସପ୍ରୀତ ବୁମ୍ରା କରିବେ ଏବଂ ତାଙ୍କୁ ମହମ୍ମଦ ସାମି ସହଯୋଗ କରିବେ। ଚାଇନାମ୍ୟାନ୍ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ସ୍ପିନ୍ ବିଭାଗ ସମ୍ଭାଳିବେ। କିନ୍ତୁ ଦୁହିଁଙ୍କୁ ଚୂଡ଼ାନ୍ତ ଦଳରେ ସ୍ଥାନ ମିଳୁଛି କି ନାହିଁ, ତାହା ମଙ୍ଗଳବାର ଜଣାପଡ଼ିବ। କୁଲଦୀପ ପ୍ରଥମ ମ୍ୟାଚରେ ୨ ୱିକେଟ୍ ନେଇଥିବା ବେଳେ ଜାଡେଜାଙ୍କୁ କୌଣସି ସଫଳତା ମିଳିନଥିଲା। ଏଭଳି ସ୍ଥିତିରେ ଜାଡେଜାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲ୍ ଫେରିପାରନ୍ତି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଟିମ୍ ଭାରତକୁ ୨-୦ର ଅଗ୍ରଣୀ ହେବାରୁ ରୋକିବାକୁ ଚାହିଁବ। କୋଚ୍ ଜଷ୍ଟିନ୍ ଲ୍ୟାଙ୍ଗରଙ୍କ ପାଇଁ ଅଧିନାୟକ ଆରୋନ୍ ଫିଞ୍ଚଙ୍କ ଖରାପ ଫର୍ମ ମୁଖ୍ୟ ଚିନ୍ତାର କାରଣ ହୋଇଛି। ଟି-୨୦ ସିରିଜରେ ଯଥାକ୍ରମେ ୦ ଓ ୮ ରନ୍ କରିଥିବା ଫିଞ୍ଚ୍ ପ୍ରଥମ ଦିନିକଆ ମ୍ୟାଚରେ ମଧ୍ୟ ଖାତା ଖୋଲିପାରି ନଥିଲେ। ଦଳର ଅନ୍ୟ ତାରକା ଉସମାନ୍ ଖ୍ୱାଜା, ଗ୍ଲେନ୍ ମ୍ୟାକ୍ସୱେଲ ଓ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସ୍ ସେଟ୍ ହେବା ପରେ ନିଜ ନିଜର ୱିକେଟ୍ ହରାଇଥିଲେ।

ଆସନ୍ତାକାଲି ସେମାନେ ନିଜର ଭୁଲର ପୁନରାବୃତ୍ତି ନ କରିବାକୁ ଚାହିଁବେ। ଯୁବ ବ୍ୟାଟ୍ସମ୍ୟାନ୍ ପିଟର୍ ହ୍ୟାଣ୍ଡସ୍କମ୍ବ ଓ ୱିକେଟ କିପର ଆଲେକ୍ସ କ୍ୟାରି ମଧ୍ୟ ନିଜ ଛାପ ଛାଡ଼ିବାକୁ ପ୍ରୟାସ କରିବେ। ବୋଲିଂ ବିଭାଗରେ ଲେଗ୍ ସ୍ପିନର ଆଡାମ ଜାମ୍ପା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇଥିଲେ ଏବଂ ଭ୍ରମଣକାରୀ ଦଳ ପୁଣିଥରେ ତାଙ୍କଠାରୁ ଏଭଳି ପ୍ରଦର୍ଶନ ଆଶାରେ ରହିବ। ହେଲେ ତାଙ୍କୁ ମୁଖ୍ୟ ପେସ୍ ବୋଲର ପ୍ୟାଟ୍ କମିନ୍ସ ଓ ନେଥନ କୁଲ୍ଟରନ-ନାଇଲସଙ୍କ ସହଯୋଗ ଆବଶ୍ୟକ ହେବ। ଅଷ୍ଟ୍ରେଲିଆ ଜେସନ୍ ବେହରେନଡର୍ଫଙ୍କ ସ୍ଥାନରେ ଆଣ୍ଡ୍ର‌୍ୟୁ ଟାଇଙ୍କୁ ସୁଯୋଗ ଦେଇପାରେ।



from Odisha Reporter https://ift.tt/2Tu53N1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages