
ଜଳେଶ୍ୱର (ଅଜିତ କୁମାର ଦାସ): ଶିକ୍ଷାଦାନ ଏକ ମହତ କର୍ମ। ଏହାକୁ ମର୍ମେ ମର୍ମେ ବୁଝିଛନ୍ତି ରବୀନ୍ଦ୍ର ସାର୍। ଯେଉଁଥିପାଇଁ ସେ ଅବସର ପରେ ବି ସ୍କୁଲ ଯାଇ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। କିନ୍ତୁ ପରିଣତ ବୟସରେ ବି ସେ ଥକି ପଡ଼ିନାହାନ୍ତି। ଧଳା ଖଦି ଓ ପଞ୍ଜାବି ପିନ୍ଧି ପ୍ରତ୍ୟେକ ଦିନ ସ୍କୁଲ ଯାଇ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ଯାହା ତାଙ୍କର ଏବେ ନିଶା ଓ ପେଶାରେ ପରିଣତ ହୋଇଯାଇଛି।
ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ପାଇକସିଦା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ରବୀନ କୁମାର ମିଶ୍ରଙ୍କ ବିଷୟରେ। ସେ ୧୯୭୬ ମସିହାରେ ଶିକ୍ଷକତା ଭାବେ ଜୀବନ ଆରମ୍ଭ କରିଥିଲେ। ୨୦୧୭ ମସିହାରେ ଅବସର ନେଇଥିଲେ। ହେଲେ ଘରେ ରହିବାକୁ ପସନ୍ଦ କଲେନାହିଁ। ପ୍ରତ୍ୟେକ ଦିନ ସ୍କୁଲ ଆସି ଶିକ୍ଷାଦାନ କରୁଛନ୍ତି। ସ୍କୁଲରେ ଶିକ୍ଷକ ଅଭାବ ଯୋଗୁ ପିଲାଙ୍କ ପଢ଼ାରେ ଯେପରି ବ୍ୟାଘାତ ହେବ, ସେଥିପାଇଁ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ବିନା ପାରିଶ୍ରମିକରେ ସେ ପିଲାଙ୍କୁ ପାଠ ପଢ଼ାଉଛନ୍ତି।
ଏନେଇ ରବୀନ୍ଦ୍ର ସାର୍ କୁହନ୍ତି-“ପ୍ରତିବର୍ଷ ପିଲାମାନେ କହୁଛନ୍ତି, ଆମ ବ୍ୟାଚ୍ ସରିଲା ପରେ ଆପଣ ସ୍କୁଲ ନ ଆସିଲେ ଚଳିବ। ସେହି ବ୍ୟାଚ୍ ଗଲା ପରେ ନୂଆ ପିଲାମାନେ ଆସିଲେ ସେମାନେ ମଧ୍ୟ ସମାନ ଅନୁରୋଧ କରୁଛନ୍ତି। ତେଣୁ ପିଲାମାନଙ୍କ ଅନୁରୋଧକୁ ଏଡାଇ ଦେଇପାରୁ ନାହିଁ। ତେଣୁ ଭାବୁଝି, ଯେ ପର୍ଯ୍ୟନ୍ତ ଭଗବାନ ଶକ୍ତି ଦେଇଛନ୍ତି, ସେ ପର୍ଯ୍ୟନ୍ତ ପିଲାମାନଙ୍କୁ ପାଠ ପଢ଼ାଇ ଚାଲିବି।”
ସରକାରୀ ନିୟମ ଅନୁସାରେ କୌଣସି ଶିକ୍ଷକ ଅବସର ପରେ ଗେଷ୍ଟ ଟିଚର୍ ଭାବେ ରହିପାରିବେ। ଏଥିପାଇଁ ମାସିକ ବେତନ ମଧ୍ୟ ପାଇବେ। ମାତ୍ର ତାହାକୁ ନେବା ଲାଗି ରବୀନ୍ଦ୍ର ସାର୍ ମନା କରିଦେଇଛନ୍ତି। ରବୀନ ସାର୍ଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ଓ ଗ୍ରାମବାସୀ।
ଅବସର ପରେ ବି ପିଲାଙ୍କ ଉତ୍ତମ ଭବିଷ୍ୟତ ପାଇଁ ରବୀନ ସାର୍ଙ୍କ ଉଦ୍ୟମକୁ ଭୂରି ଭୂରି ପ୍ରଶଂସା କରୁଛନ୍ତି ବୁଦ୍ଧିଜୀବୀ।
from Odisha Reporter https://ift.tt/2TyV7m0
No comments:
Post a Comment