
ପୁରୀ (ମଧୁସୂଦନ ମିଶ୍ର): ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥରେ ସ୍ନାନ କଲେ ମହାପୁଣ୍ୟ ମିଳିଥାଏ ବୋଲି ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମନରେ ଅଖଣ୍ଡ ବିଶ୍ୱାସ ରହିଛି। ତେଣୁ ପଞ୍ଚତୀର୍ଥର ଆଦ୍ୟ ତୀର୍ଥ ମାର୍କେଣ୍ଡେୟ ପୁଷ୍କରିଣୀରେ ବୁଡ଼ ପକାଇବା ପାଇଁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ। ହେଲେ ବର୍ତ୍ତମାନ ସେହି ପୁଷ୍କରିଣୀର ପାଣି ସ୍ନାନ କରିବା ଯୋଗ୍ୟ ହୋଇ ରହିନାହିଁ। ପାଚେରୀ ଭୁଶୁଡି ପଡ଼ିବାରୁ ମଇଳା ଆବର୍ଜନା ପାଣି ପୁଷ୍କରିଣୀରେ ମିଶି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ବିଦେଶୀ ଭକ୍ତମାନେ ଦୁଃଖ ଓ ଉଦବେଗ ପ୍ରକାଶ କରିଛନ୍ତି।
ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ହେଉଛି ଆଦ୍ୟ ତୀର୍ଥ ମାର୍କଣ୍ଡେୟ ପୁଷ୍କରିଣୀ। ଗତବର୍ଷ ରଥଯାତ୍ରା ସମୟରେ ଏହି ପୁଷ୍କରିଣୀର ପାଚେରୀ ଭୁଶୁଡି ପଡ଼ିଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ମରାମତି କରାଯାଇନି। ଫଳରେ ସାହି ଓ ବସ୍ତିର ସମସ୍ତ ମଇଳା ଓ ଆବର୍ଜନାମିଶ୍ରିତ ପାଣି ସିଧାସଳଖ ଯାଇ ପୁଷ୍କରିଣୀରେ ମିଶୁଛି। ଯାହା ଏବେ ପୁଷ୍କରିଣୀର ପବିତ୍ରତା ଉପରେ ପ୍ରଶ୍ନ ଉଠାଇଛି। ପାଣିରେ ମଇଳା ଆବର୍ଜନା ଭାସୁଥିବାରୁ ଭକ୍ତମାନେ ଏଠାରେ ସ୍ନାନ କରିବା ପାଇଁ ଘୃଣା କରୁଥିବା ସ୍ଥାନୀୟ ବାସିନ୍ଦା ଓ ଭକ୍ତମାନେ ଅଭିଯୋଗ କରୁଛନ୍ତି। ଗବେଷକମାନେ ଏଭଳି ସ୍ଥିତି ପାଇଁ ପ୍ରଶାସନ ଓ ରାଜନୀତିକ ଦୂରଦୃଷ୍ଟିର ଅଭାବକୁ ଦୋଷ ଦେଇଛନ୍ତି।
ମାର୍କଣ୍ଡ ପୁଷ୍କରିଣୀ ମହାପ୍ରଭୁ ଜଗନ୍ନାଥଙ୍କର ଅନେକ ନୀତିକାନ୍ତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସୁଦର୍ଶନ ମହାପ୍ରଭୁ ଗମ୍ଭାବେଦୀରେ ବିଜେ ହେବା ପରେ ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ। ସେହିପରି ପୁଷ୍କରିଣୀରେ ମଦନ ମୋହନ ଓ ରାମକୃଷ୍ଣ ବିଜେ ହେବା ପରେ କାଳୀୟ ଦଳନ ନୀତି ସମ୍ପନ୍ନ ହୋଇଥାଏ। ରୁଷି ପଞ୍ଚିମୀରେ ମହାଲକ୍ଷ୍ମୀ ମଧ୍ୟ ଏହି ପୁଷ୍କରିଣୀ ପରିସରରେ ବିଜେ ହେବାର ପରମ୍ପରା ରହିଛି। କିନ୍ତୁ ଏହାର ରକ୍ଷଣାବେକ୍ଷଣ ହେଉନଥିବାରୁ ବିଦେଶୀ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
from Odisha Reporter https://ift.tt/2U3V4OE
No comments:
Post a Comment