
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁଇ ଦଶନ୍ଧି ଧରି କ୍ଷମତାରେ ଥିବା ବିଜେଡିର ସାଂଗଠନିକ ଅପାରଗତା ପଦାରେ ପଡ଼ିଛି। ସିଟ୍ ହାତଛଡ଼ା ହେବା ଭୟରେ ଆଜି ବି ବାକିଥିବା ସମସ୍ତ ୯ଟି ଆସନର ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ଜାରି କରିପାରିନି। ଏପରିକି ପରିବାରବାଦ ଚାପରେ ଚେପା ହୋଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୁଇଟି ଆସନକୁ ଟେକି ଦେବାକୁ ବାଧ୍ୟ ହୋଇଛନ୍ତି। ଆଉ ସିଟ୍ ହାତଛଡ଼ା ହେବା ଭୟରେ ଦ୍ୱିତୀୟ ପର୍ଯ୍ୟାୟର ବାକିଥିବା ଦୁଇଟି ଆସନ ଫୁଲବାଣୀ ଓ ବୀରମିତ୍ରପୁର ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନାହାନ୍ତି।
ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟର ବାକି ଥିବା ୪ଟି ବିଧାନସଭା ଆସନ: ଲାଞ୍ଜିଗଡ଼- ପ୍ରଦୀପ କୁମାର ଦିଶାରୀ, ଝରିଗାଁ- ପ୍ରକାଶ ଚନ୍ଦ୍ର ମାଝୀ , ପଟାଙ୍ଗୀ-ପ୍ରୀତମ ପାଢ଼ୀ ,ମାଲକାନଗିରି – ମୁକୁନ୍ଦ ସୋଡ଼ିଙ୍କୁ ଦଳୀୟ ପ୍ରାର୍ଥୀ କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟର ବାକି ଥିବା ୫ଟି ଆସନ ମଧ୍ୟରୁ ମାତ୍ର ୩ଟି ଆସନ ଯଥା ବ୍ରଜରାଜନଗର- କିଶୋର ମହାନ୍ତି, ଲୋଇସିଂହା- ପ୍ରଦୀପ ବେହେରା, ବଲାଙ୍ଗିର – ଅର୍କେଶ ନାରାୟଣ ସିଂହଦେଓଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।
ତେବେ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ମଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା ହେବାର ଥିଲେ ମଧ୍ୟ ଫୁଲବାଣୀ ଓ ବୀରମିତ୍ରପୁର ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିନାହିଁ। ଅବଶ୍ୟ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ୍ ପାଇଁ ସମ୍ବଲପୁର ବିଧାନସଭା ଆସନ ନିମନ୍ତେ ଡଃ ରାସେଶ୍ୱରୀ ପାଣିଗ୍ରାହୀ ଓ ରେଢାଖୋଲ ଆସନ ନିମନ୍ତେ ରୋହିତ ପୂଜାରୀଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି।
ଗତ ୧୮ତାରିଖରେ ବିଜେଡି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ୯ଟି ଲୋକସଭା ଓ ଏହା ଅନ୍ତର୍ଗତ ୫୪ଟି ବିଧାନସଭା ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। କିନ୍ତୁ ଦଳୀୟ କନ୍ଦଳ ଓ ସିଟ୍ ହାତଛଡ଼ା ହେବା ଆଶଙ୍କାରେ ୯ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନଥିଲା। ବାକିଥିବା ଆସନରୁ ଆଜି ୭ଟି ବିଧାନସଭା ନିମନ୍ତେ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି।
ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାରେ ପରିବାରବାଦକୁ ପ୍ରୋତ୍ସାହନ ଦିଆଯାଇଛି। ବଲାଙ୍ଗିର ଲୋକସଭା ଆସନ ପାଇଁ ପୂର୍ବରୁ କଳିକେଶ ସିଂହଦେଓଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଆଜି ବଲାଙ୍ଗିର ବିଧାନସଭା ସିଟରୁ ତାଙ୍କ ସାନ ଭାଇ ଅର୍କେଶ ସିଂହଦେଓଙ୍କୁ ପ୍ରାର୍ଥୀ କରାଯାଇଛି। ସାନପୁଅ ଅର୍କେଶଙ୍କ ଟିକେଟ ପକ୍କା କରିବା ପାଇଁ ତାଙ୍କ ପିତା ଏୟୁ ସିଂହଦେଓ ଗତ କିଛିଦିନ ଧରି ଭୁବନେଶ୍ୱରରେ ବସି ରହିଥିଲେ। ସେହିପରି ନବରଙ୍ଗପୁର ଲୋକସଭା ଆସନରୁ ରମେଶ ଚନ୍ଦ୍ର ମାଝୀଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଝରିଗାଁ ବିଧାନସଭା ଆସନରୁ ତାଙ୍କ ଭାଇ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ପ୍ରାର୍ଥୀ କରାଯାଇଛି।
ମାଲକାନଗିରିରେ ବର୍ତ୍ତମାନର ବିଧାୟକ ମାନସ ମାଡ଼କାମୀଙ୍କ ବଦଳରେ ବିଜେପିରୁ ଆସିଥିବା ମୁକୁନ୍ଦ ସୋଡ଼ିଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ପଟାଙ୍ଗୀରେ ବର୍ତ୍ତମାନର ବିଧାୟକ ପ୍ରଫୁଲ୍ଲ ପାଙ୍ଗୀଙ୍କ ପରିବର୍ତ୍ତେ ପ୍ରୀତମ ପାଢ଼ୀ, ଲାଞ୍ଜିଗଡ଼ରେ ବିଧାୟକ ବଳଭଦ୍ର ମାଝୀଙ୍କ ପରିବର୍ତ୍ତେ ନିକଟରେ ଦଳରେ ମିଶିଥିବା ପ୍ରଦୀପ କୁମାର ଦିଶାରୀଙ୍କୁ ପ୍ରାର୍ଥୀ କରାଯାଇଛି। ଲୋଇସିଂହାରୁ ବିଧାୟକ ଥିବା ଯୋଗେନ୍ଦ୍ର ବେହେରାଙ୍କ ପୁଅକୁ ଟିକେଟ୍ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସରକାରୀ ଚାକିରିରୁ ଇସ୍ତଫା ଦେଇଥିବା ଜଣେ ଯନ୍ତ୍ରୀ ପ୍ରଦୀପ ବେହେରାଙ୍କୁ ସେଠାରେ ପ୍ରାର୍ଥୀ କରାଯାଇଛି।
from Odisha Reporter https://ift.tt/2TphbL6
No comments:
Post a Comment