ତଥାଗତଙ୍କ ଅପ୍ରତ୍ୟାଶିତ ଅବସର: ପୁଅର ଚାପ ନା ରାଜନୀତିକ ବାଧ୍ୟବାଧକତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ତଥାଗତଙ୍କ ଅପ୍ରତ୍ୟାଶିତ ଅବସର: ପୁଅର ଚାପ ନା ରାଜନୀତିକ ବାଧ୍ୟବାଧକତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେଡି ସାଂସଦ ତଥାଗତ ସତପଥୀ ଅପ୍ରତ୍ୟାଶିତ ଭାବେ ସକ୍ରିୟ ରାଜନୀତିରୁ ଅବସର ନେବାକୁ ଘୋଷଣା କରିଛନ୍ତି। ନିଜର ୧୩ବର୍ଷର ପୁଅ ଚାପରେ ସେ ରାଜନୀତି ଛାଡ଼ି ସାମ୍ବାଦିକତାରେ ମନୋନିବେଶ କରିବେ ବୋଲି ଶ୍ରୀ ସତପଥୀ ଗଣମାଧ୍ୟମକୁ କହିଛନ୍ତି। ଏହାସହିତ ତାଙ୍କ ଅଫିସ ଦ୍ୱାରା ପରିଚାଳିତ ହେଉଥିବା ଟ୍ୱିଟର ହ୍ୟାଣ୍ଡଲରେ ମଧ୍ୟ ତଥାଗତଙ୍କୁ ଢେଙ୍କାନାଳର ପୂର୍ବତନ ସାଂସଦ ବୋଲି ଉଲ୍ଲେଖ କରାଯାଇଛି। ତେବେ ନିର୍ବାଚନକୁ ଆଉ ଦିନ କେଇଟା ଥିବାବେଳେ ତଥାଗତଙ୍କ ଏଭଳି ନିଷ୍ପତ୍ତି ବାସ୍ତବରେ ପୁଅର ଚାପ ନା ରାଜନୀତିକ ବାଧ୍ୟବାଧକତା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଗଣମାଧ୍ୟମକୁ ଆଜି ଶ୍ରୀ ସତପଥୀ ଦେଇଥିବା ସୂଚନା ଅନୁସାରେ ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ତଥା ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନେଇଥିବା ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ଭାବେ ଅବଗତ କରାଇବେ। କୌଣସି ରାଜନୀତିକ ଦଳରେ ସାମିଲ ହେବେ ନାହିଁ ଓ ତାଙ୍କ ମାଲିକାନାରେ ଥିବା ସମ୍ବାଦପତ୍ର ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିବେ ବୋଲି କହିଛନ୍ତି। ଏହାବ୍ୟତୀତ ବିଜେପିରେ ସାମିଲ ହେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚାକୁ ମଧ୍ୟ ଶ୍ରୀ ସତପଥୀ ଖଣ୍ଡନ କରିଛନ୍ତି।

ଏପଟେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ପ୍ରସଙ୍ଗରେ ନିଜର ରୋକଠୋକ୍ ମତ ପୋଷଣ କରି ଶ୍ରୀ ସତପଥୀ ଅନେକ ସମୟରେ ଦଳରେ ବିବାଦୀୟ ହୋଇପଡ଼ିଥିଲେ। ଦଳୀୟ ମତର ଊର୍ଦ୍ଧ୍ୱରୁ ଉଠି ଗଞ୍ଜେଇ ଚାଷ, ଜିଏସଟି, ବିମୁଦ୍ରାକରଣ, ବିଜେପି ସହ ମେଣ୍ଟ ଆଦି ପ୍ରସଙ୍ଗରେ ଶ୍ରୀ ସତପଥୀ ଭିନ୍ନ ମତପୋଷଣ କରିଥିଲେ,ଯାହାକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କ୍ଷୁବ୍ଧ କରିଥିଲା। ଏସବୁ ବ୍ୟତୀତ ସେ ଗତ କିଛିମାସ ପୂର୍ବରୁ ବିଜେଡି ଓ ବିଜେପି ମେଣ୍ଟ ସମ୍ପର୍କରେ ନିଜର ମତ ରଖିଥିଲେ ଯାହା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଅନ୍ୟପକ୍ଷରେ ବିଜେଡିର ଏକ ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ବିଜେଡି ପକ୍ଷରୁ ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀକୁ ନେଇ ହୋଇଥିବା ବିଭିନ୍ନ ପର୍ଯ୍ୟାୟର ସର୍ଭେରେ ସାଂସଦ ଭାବେ ଶ୍ରୀ ସତପଥୀଙ୍କ କାର୍ଯ୍ୟରେ ସାଧାରଣ ଲୋକେ ଅସନ୍ତୁଷ୍ଟ ଥିବାର ରିପୋର୍ଟ ଆସିଥିଲା। ଏପରିକି ଢେଙ୍କାନାଳ ଲୋକସଭା ଆସନ ଅନ୍ତର୍ଗତ ସମସ୍ତ ୭ଟି ଯାକ ବିଧାନସଭାରେ ବିଜେଡି ବିଧାୟକ ଥିଲେ ମଧ୍ୟ କେବଳ ହିନ୍ଦୋଳ ବିଧାୟିକା ସୀମା ନାୟକଙ୍କୁ ଛାଡ଼ିଦେଲେ, ଅନ୍ୟ ସମସ୍ତ ବିଧାୟକ ସାଂସଦ ଶ୍ରୀ ସତପଥୀଙ୍କ କାର୍ଯ୍ୟଶୈଳୀ ବିରୋଧରେ ଦଳୀୟ ନେତୃତ୍ୱଙ୍କ ପାଖରେ ଅଭିଯୋଗ କରୁଥିଲେ।

ତିନି ଦିନ ପୂର୍ବରୁ ଢେଙ୍କାନାଳ ଜିଲ୍ଲାର ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ବିଜେଡି ନେତୃତ୍ୱ କରିଥିବା ପ୍ରାରମ୍ଭିକ ବୈଠକରେ ହିଁ ଶ୍ରୀ ସତପଥୀଙ୍କୁ ‘ରିପ୍ଲେସ୍’ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଯାହାର ଆଭାସ ଶ୍ରୀ ସତପଥୀ ପାଇବା ପରେ ଏଭଳି ନିଷ୍ପତ୍ତି ନେଇଥିବା ବିଜେଡି ସୂତ୍ରରୁ ସୂଚନା ମିଳିଛି। ଏହି ସୂତ୍ରର କହିବା ଅନୁସାରେ, ଶ୍ରୀ ସତପଥୀ ନିଜ ପତ୍ନୀ ଆଦ୍ୟାଶାଙ୍କୁ ଢେଙ୍କାନାଳ ଲୋକସଭା ଆସନରୁ ବିଜେପି ଟିକେଟରେ ଲଢ଼େଇବା ପାଇଁ ପ୍ରୟାସ କରୁଛନ୍ତି।

ଏହି ସମସ୍ତ ପ୍ରସଙ୍ଗ ବ୍ୟତୀତ ନିଜର କଟ୍ଟରବିରୋଧୀ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ସାମିଲ ହୋଇ ସାଂସଦ ହେବା ଓ ତାଙ୍କୁ ଅପେକ୍ଷାକୃତ ଗୁରୁତ୍ୱ ମିଳିବାକୁ ମଧ୍ୟ ଶ୍ରୀ ସତପଥୀ ସହଜରେ ହଜମ କରିପାରୁନଥିଲେ।

ତେବେ ଢେଙ୍କାନାଳ ସଦର ନିର୍ବାଚନମଣ୍ଡଳରୁ ବିଧାୟକ ଭାବେ ଜନତା ଦଳ ଟିକେଟରୁ ବିଜୟୀ ହୋଇ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ସତପଥୀ ୧୯୯୮, ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ବିଜେଡି ଟିକେଟରେ ସାଂସଦ ଭାବେ ବିଜୟୀ ହୋଇଥିଲେ। ଲୋକସଭାରେ ଶ୍ରୀ ସତପଥୀଙ୍କ ପ୍ରଦର୍ଶନ ଉଚ୍ଚସ୍ତରର ରହିଥିଲା ଓ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ବକ୍ତବ୍ୟ ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲା।

(ଦେଖନ୍ତୁ ତଥାଗତଙ୍କ ସହ exclusive ସାକ୍ଷାତକାର)



from Odisha Reporter https://ift.tt/2NHDjz4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages