
ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ସୋଶାଲ୍ ମିଡିଆ କମ୍ପାନୀ ଫେସବୁକ, ଟୁଇଟର ଓ ଶେୟାରଚାଟ ଭଳି କମ୍ପାନୀ ଉପରେ କଡ଼ା ନଜର ରଖିବ ନିର୍ବାଚନ କମିଶନ। ଗତକାଲି ସୋଶାଲ୍ ମିଡିଆର ପ୍ରମୁଖ ଅଧିକାରୀ ଓ ନିର୍ବାଚନ କମିଶନଙ୍କ ମଧ୍ୟରେ ବୈଠକ ବସିଥିଲା। ଏହାପରେ ସୋଶାଲ୍ ମିଡିଆ କମ୍ପାନୀ ସେମାନେ ଆଚରଣ ବିଧି ଅଧୀନରେ ଆସିବେ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହ କିଭଳି ଗୁଜବ ଖବର ଓ ପେଡ୍ ନ୍ୟୁଜକୁ ରୋକାଯାଇପାରିବ, ସେ ନେଇ ପ୍ରସ୍ତୁତ ଥିବା ନିର୍ବାଚନ କମିଶନଙ୍କୁ କହିଛନ୍ତି ସୋସାଲ ମିଡ଼ିଆ କମ୍ପାନୀ। ଇଣ୍ଟରନେଟ ଏବଂ ମୋବାଇଲ ଆସୋସିଏସନ ଅଫ୍ ଇଣ୍ଡିଆ ମଧ୍ୟ ଏପରି ନିଷ୍ପତ୍ତିକୁ ସ୍ଵାଗତ କରିଛି।
ସୂଚନାଯୋଗ୍ୟ, ନିର୍ବାଚନ ବେଳେ ଜନମତକୁ ପ୍ରଭାବିତ କରୁଥିବା ଅନେକ ମିଛ ଖବର ପ୍ରମୁଖ ସୋଶାଲ୍ ମିଡିଆ ଫେସବୁକ, ଟ୍ଵିଟର ଏବଂ ଶେୟାର ଚାଟରେ ଘୁରି ବୁଲୁଛି ବୋଲି ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କ ନିକଟରେ ପୂର୍ବରୁ ଅଭିଯୋଗ କରିଥିଲେ। ତେଣୁ ଚଳିତ ନିର୍ବାଚନ ବେଳେ ସୋଶାଲ୍ ମିଡିଆକୁ ନିର୍ବାଚନ ମଡେଲ ଆଚରଣ ବିଧି ଅଧୀନରେ ଆଣିବାରେ ସକ୍ଷମ ହୋଇଛନ୍ତି ନିର୍ବାଚନ କମିଶନ।
ଜନମତକୁ ପ୍ରଭାବିତ ବା ବିଭ୍ରାନ୍ତ କରିବା ପାଇଁ ଯଦି କୌଣସି ସୂଚନା ବା ଫେକ ନ୍ୟୁଜ ଘୁରି ବୁଲୁଥିବା ନଜରକୁ ଆସେ, ତେବେ ଉକ୍ତ ପୋଷ୍ଟ ବା ଖବର ଉପରେ ତୁରନ୍ତ ରୋକ ଲଗାଯିବ ବୋଲି ସ୍ପଷ୍ଟ କରିଛନ୍ତି ସୋଶାଲ୍ ମିଡିଆ କମ୍ପାନୀ। ଏଥିସହ କୌଣସି ଖବର ଉପରେ ସନ୍ଦେହ ସୃଷ୍ଟି ହେଲେ ନିର୍ବାଚନ କମିଶନଙ୍କ ନୋଡାଲ ଅଧିକାରୀଙ୍କ ସହ ଯୋଗାଯୋଗ କରିବେ ବୋଲି ଜଣାପଡ଼ିଛି।
ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଆରୋଡ଼ା ସୋଶାଲ୍ ମିଡିଆ କମ୍ପାନୀଙ୍କ ଦୃଷ୍ଟିଭଙ୍ଗୀ ଓ ପଦକ୍ଷେପ ନେବାର ପ୍ରତିଶ୍ରୁତିକୁ ସ୍ଵାଗତ କରିଛନ୍ତି। ଏମିତିକି କୌଣସି ନିର୍ବାଚନ ସଂକ୍ରାନ୍ତ ବିଜ୍ଞାପନ ସୋଶାଲ୍ ମିଡିଆରେ ଦିଆଯାଇଥିଲେ କିଏ ଦେଇଛି, କେତେ ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଛି, ଇତ୍ଯାଦି ବାବଦରେ ନିର୍ବାଚନ କମିଶନଙ୍କୁ ସମ୍ପୁର୍ଣ୍ଣ ତଥ୍ଯ ଦିଆଯିବ ବୋଲି ନିର୍ଦ୍ଦେଶ ରହିଛି।
ସୋଶାଲ୍ ମିଡିଆ କମ୍ପାନୀମାନେ ମିଡିଆ ସାର୍ଟିଫିକେସନ ଏବଂ ମନିଟରିଂ କମିଟି(ଏମସିଏମସି) ନାମକ ଏକ ଟେକ୍ନୋଲଜିକୁ ବିକାଶ କରିଛନ୍ତି ଯାହାଦ୍ଵାରା ପେଡ୍ ନ୍ୟୁଜ ବା ବିଜ୍ଞାପନ ବାବଦରେ ସୂଚନା ମିଳିବ।
from Odisha Reporter https://ift.tt/2U5nBDm
No comments:
Post a Comment