ବୁଲିବୁଲି ଆତଙ୍କୀ ପାଣ୍ଠି ସଂଗ୍ରହ କରିଥିଲା ମାସୁଦ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ବୁଲିବୁଲି ଆତଙ୍କୀ ପାଣ୍ଠି ସଂଗ୍ରହ କରିଥିଲା ମାସୁଦ୍

ନୂଆଦିଲ୍ଲୀ: ମୃତ୍ୟୁର ସୌଦାଗର ମାସୁଦ୍ ଆଝାରକୁ ନେଇ ଲଗାତାର ଆଶ୍ଚର୍ଯ୍ୟଜନକ ତଥ୍ୟ ସବୁ ଆସିବାରେ ଲାଗିଛି। ସେ କଶ୍ମୀର ଉପତ୍ୟକାରେ ଅସ୍ଥରତା ସୃଷ୍ଟି କରିବା ପାଇଁ ଇଂଲଣ୍ଡକୁ ୧ ମାସର ଗସ୍ତ କରିଥିଲା ଏବଂ ସେଠାରୁ ପାକିସ୍ତାନ ମୂଦ୍ରାରେ ୧୫ ଲକ୍ଷ ଟଙ୍କା ସଂଗ୍ରହ କରିଥିଲା ବୋଲି ତଥ୍ୟ ମିଳିଛି। ୧୯୯୪ ମସିହାରେ ସେ ଭାରତ ପହଞ୍ଚିବା ପୂର୍ବରୁ ସାରଜା ଏବଂ ସାଉଦି ଆରବ ଆଦି ଦେଶ ମଧ୍ୟ ଗସ୍ତ କରି ନିରାଶ ହୋଇ ଫେରିଥିଲା।

ଜୈଶ୍-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ୍ ୨୦୦୧ ଭାରତୀୟ ସଂସଦ ଆକ୍ରମଣର ମାଷ୍ଟର ମାଇଣ୍ଡ ଏବଂ ୪୦ ଜଣ ସିଆରିପିଏଫ୍ ଯବାନ ସହିଦ ହୋଇଥିବା ପୁଲ୍‌ୱାମା ଆକ୍ରମଣର ମଧ୍ୟ ମାଷ୍ଟରମାଇଣ୍ଡ। ୧୯୮୬ ମସିହାରେ ସେ ତା’ର ପ୍ରକୃତ ନାମ ଏବଂ ପ୍ରକୃତ ଠିକଣା ସହିତ ପାକିସ୍ତାନୀ ପାଶ୍ପୋର୍ଟ ହାତେଇଥିଲା। ସେ ଆଫ୍ରିକୀୟ ଦେଶ ବ୍ୟତୀତ ବିଭିନ୍ନ ଗଲ୍ଫ ଦେଶ ମଧ୍ୟ ଗସ୍ତ କରିଥିଲା। କିନ୍ତୁ ସେ ନିରାଶ ହୋଇଥିଲା ଯେ, ଆରବୀୟ ଦେଶମାନେ କଶ୍ମୀର ପ୍ରସଙ୍ଗରେ ତାକୁ ସମର୍ଥନ ଦେଇନଥିଲେ।

ସୁରକ୍ଷା କର୍ମୀମାନେ ତାକୁ ପଚରାଉଚରା କରିବା ସମୟରେ ଜାଣିବାକୁ ପାଇଥିଲେ, ସେ ୧୯୯୨ ମସିହା ଅକ୍ଟୋବରରେ ବ୍ରିଟେନ୍‌ ଯାଇଥିଲା।
ଲଣ୍ଡନ୍‌ର ସୌଦେଲ୍‌ଠାରେ ଥିବା ଏକ ମସ୍‌ଜିଦ୍‌ର ମୌଲାନା ମୁଫ୍‌ତି ସିମୈଲ୍‌ ଏହି ଗସ୍ତ ପାଇଁ ଅର୍ଥ ଯୋଗାଇଥିଲା। ଭାରତ ଜନ୍ମିତ ସିମୈଲ୍ କରାଚିର ଦାରୁଲ୍‌-ଇଫ୍‌ତା-ୱାଲ-ଇର୍ଶାଦ୍‌ରେ ପଢ଼ୁଥିବାରୁ ସେ ମାସୁଦ୍‌ ସଂସ୍ପର୍ଶରେ ଆସିଥିଲା।

ମାସୁଦ୍‌ ପଚରାଉଚରା ସମୟରେ ନିଜେ କହିଥିଲା, “ମୁଁ ମୁଫ୍‌ତି ସହିତ ବ୍ରିଟେନ୍‌ରେ ମାସେ କାଳ ରହିଥିଲି। ବର୍ମିଂହାମ୍‌, ନଟ୍ଟିଂହାମ୍, ବୁର୍ଲେ, ଶେଫିଲ୍ଡ, ଡବ୍‌ସିବରି ଏବଂ ଲିସେଷ୍ଟରର ବିଭିନ୍ନ ମସଜିଦ୍‌ ବୁଲି କଶ୍ମୀର (ଆତଙ୍କବାଦୀ) ପାଇଁ ସହାୟତା ମାଗିଥିଲି। ମୁଁ ୧୫ ଲକ୍ଷ ଟଙ୍କା ଏହି ବାଟରେ ସଂଗ୍ରହ କରିଥିଲି।” ଏହି ଆତଙ୍କୀ ମାଷ୍ଟରମାଇଣ୍ଡ ବ୍ରିଟେନ୍‌ଠାରେ ମୌଲାନା ଲାମେଲ୍‌କୁ ମଧ୍ୟ ଭେଟିଥିଲା। ଲାମେଲ୍‌ ଭାରତୀୟ ବଂଶୋଦ୍ଭବ ଏବଂ ସେ ମଙ୍ଗୋଲିଆ ଓ ଆଲବାନିଆରେ ମସଜିଦ୍‌ ଓ ମଦ୍ରାସା ନିର୍ମାଣ କରି ଇସ୍‌ଲାମ ପ୍ରଚାର କରିଥାଏ ବୋଲି ଜଣାପଡ଼ିଛି।

୯୦ ମସିହା ବେଳକୁ ସେ ସାଉଦି ଗସ୍ତ କରିଥିଲା। ସେଠାରେ ସାଉଦି ଆରବ, ଅବୁ ଧାବି, ସାରଜା, କେନିଆ ଏବଂ ଜାମ୍ବିଆ ଆଦି ଗସ୍ତ କରି ପାଣ୍ଠି ସଂଗ୍ରହ କରିଥିଲା। ସେ ସେଠାରେ ଜମାତ୍‌-ଏ-ଇସ୍‌ଲାମିର ସହଯୋଗୀ ଜମିଆତ୍‌-ଉଲ୍‌-ଇସ୍‌ଲା ସମେତ ୨ଟି ସଂଗଠନକୁ ଭେଟିଥିଲେ ମଧ୍ୟ ସଫଳତା ମଳିନଥିଲା। ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ସହିତ ଜମାତ୍‌ର ସମ୍ପର୍କ ରହିଥିବାରୁ ଏହା ମାସୁଦ୍‌କୁ ସହାୟତା ଦେଇନଥିଲା ବୋଲି ସେ କହିଥିଲା। ଆରବୀୟ ରାଷ୍ଟ୍ରମାନେ କଶ୍ମୀର ପ୍ରସଙ୍ଗରେ ଏତେ ମଧ୍ୟ ଆଗ୍ରହ ଦେଖାଇ ନଥିଲେ।

ଆବୁ ଧାବିରେ ମାସୁଦ୍ ୩ ଲକ୍ଷ ଟଙ୍କା, ସାରଜାରେ ୩ ଲକ୍ଷ ଟଙ୍କା ଏବଂ ସାଉଦିକୁ ଦ୍ୱିତୀୟ ଥର ଗସ୍ତ କରି ୨ ଲକ୍ଷ ଟଙ୍କା ଆଣିଥିଲା। ଆଝାର ୧୯୯୪ରେ ନକଲି ପର୍ତ୍ତୁଗୀଜ୍‌ ପାଶ୍‌ପୋର୍ଟରେ ନୂଆଦିଲ୍ଲୀ ଆସିଥିଲା।ସେ ଦିଲ୍ଲୀର ସମ୍ଭ୍ରାନ୍ତ ଅଞ୍ଚଳ ଚାଣକ୍ୟପୁରୀର ଅଶୋକ ହୋଟେଲଠାରେ ଥିବା ‘ଡିପ୍ଲୋମାଟିକ୍ ଏନ୍‌କ୍ଲେଭ୍‌’ରେ ଇମିଗ୍ରେସନ୍‌ ଅଧିକାରୀଙ୍କୁ ଭୁଆଁ ବୁଲାଇବାରେ ସଫଳ ହୋଇଥିଲା। ସେ ଗୁଜରାଟ ଜନ୍ମିତ କହି ଠକିଥିଲା।

ଏହାର ୨ ସପ୍ତାହ ପରେ ଜମ୍ମୁକଶ୍ମୀରଠାରେ ଗିରଫ ହେବା ପୂର୍ବରୁ ଲକ୍ଷ୍ନୌ,, ଶାହରନ୍‌ପୁର ଏବଂ ଉତ୍ତରପ୍ରଦେଶର ଦେଓବନ୍ଦଠାରେ ଥିବା ଶିକ୍ଷାନୁଷ୍ଠାନ ଦାରୁଲ-ଉଲୁମ୍‌ ମଧ୍ୟ ଯାଇଥିଲା।

ସେ ଢାକାରେ ୨ ଦିନ ବିତାଇବା ପରେ ୧୯୯୪ ଜାନୁଆରୀ ୨୯ରେ ବାଂଲାଦେଶ ଏୟାରଲାଇନ୍ସରେ ଦିଲ୍ଲୀ ଫେରିଥିଲା। ସେଠାରେ ଇମିଗ୍ରେସନ୍‌ ଅଧିକାରୀମାନେ ମାସୁଦ୍‌ ପର୍ତ୍ତୁଗୀଜ୍‌ ଭଳି ଦିଶୁନି ବୋଲି ସନ୍ଦେହ କରିଥିଲେ। କିନ୍ତୁ ସେ ଗୁଜରାଟ ଜନ୍ମିତ କହିବା ପରେ ତାଙ୍କ ପାଶ୍‌ପୋର୍ଟକୁ ଅନୁମୋଦନ ମିଳିଥିଲା। ସେଠାରେ କିଛି ଦିନ ରହଣି ପରେ ଫେବୃଆରୀ ୯ ତାରିଖରେ ସେ ଶ୍ରୀନଗର ଯାଇଥିଲା। ସେଠାରେ ଆତଙ୍କବାଦୀ ସଂଗଠନ ହରକତ୍‌-ଉଲ୍‌-ଜିହାଦ୍‌-ଉଲ୍-ଇସଲାମୀର ସଜାଦ୍‌ ଆଫଗାନୀ ଏବଂ ତା’ର ସହଯୋଗୀ ଅମ୍‌ଜାଦ୍‌ ବିଲାଲ ମାସୁଦ୍‌କୁ ଭେଟିଥିଲେ।

ଫେବୃଅଆରୀ ୧୦ ତାରିଖରେ ମାଟିଗଣ୍ଡଠାରେ ପାକିସ୍ତାନୀ ଏବଂ ପିଓକେର ଆତଙ୍କବାଦୀମାନେ ଏକାଠି ହୋଇଥିଲେ। ସେଠାରେ ମାସୁଦ୍‌ର ଉପସ୍ଥିତିରେ ହରକତ୍‌-ଉଲ୍‌-ଜିହାଦ୍‌-ଉଲ୍-ଇସଲାମୀର ହରକତ୍‌-ଉଲ୍‌-ମୁଜାହିଦ୍ଦିନ୍ ସହିତ ମିଶ୍ରଣ ହୋଇଥିଲା।

ସେଠାରୁ ଫେରିବା ସମୟରେ କୌଣସି କାରଣରୁ ଗାଡ଼ିଟି ଖରାପ ହୋଇଯାଇଥିଲା। ଫଳରେ ଏକ ଅଟୋ ଯୋଗେ ସେମାନେ ଅନନ୍ତନାଗ ଆଡ଼କୁ ଆସିଥିଲେ। ୨ରୁ ୩ କିଲୋମିଟର ଯିବାପରେ ସେମାନଙ୍କୁ ସେନା ଅଧିକାରୀ ଅଟକାଇଥିଲେ। ସେମାନଙ୍କ ସହିତ ଫାରୁକ୍‌ ନାମକ ଜଣେ ଆତଙ୍କୀ ବନ୍ଧୁକ ସହିତ ଥିଲା, ଯେକି ଦୌଡ଼ିବା ସହିତ ଗୁଳିମାଡ଼ କରିଥିଲା। ଫାରୁକ୍‌ ଖସିଯାଇଥିଲା, କିନ୍ତୁ ମାସୁଦ୍‌ ଏବଂ ଫାରୁକ୍‌ ଗିରଫ ହୋଇଥିଲେ।

୧୯୯୯ ମସିହାରେ କାନ୍ଦାହାର ବିମାନ ଅପହରଣ ଘଟଣାରେ ପଣବନ୍ଦୀଙ୍କ ବିନିମୟରେ ସେ ଏବଂ ୨ ଜଣ ଆତଙ୍କବାଦୀଙ୍କୁ ଛଡ଼ାଯାଇଥିଲା। ଏହାପରେ ହିଁ ୨୦୦୧ ମସିହାରେ ତାର ସଂଗଠନ ସଂସଦ ଉପରେ ଆକ୍ରମଣ କରିଥିଲା।



from Odisha Reporter https://ift.tt/2Jk6N7x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages