
କଟକ (ବିବର୍ତ୍ତନ ପଣ୍ଡା): କଟକ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ସବୁ ବତକଙ୍କୁ ବାର୍ଡ ଫ୍ଲୁ ହେବା ପରେ ଏବେ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସ୍କାନରରେ ରହିଛି ପୂରା କଟକ ସହର। ସହରର ସମସ୍ତ କୁକୁଡ଼ା ଏବଂ ଅଣ୍ଡା ଦୋକାନ ଯାଞ୍ଚ କରାଯିବା ସହ ସନ୍ଦେହ ହେଉଥିବା ସ୍ଥାନରେ କୁକୁଡ଼ା ଏବଂ ଅଣ୍ଡାକୁ ନଷ୍ଟ କରାଯାଇଛି। ଏହା ଚାରି/ପାଞ୍ଚ ଦିନ ପାଇଁ ସହରରେ କୁକୁଡ଼ା ଓ ଅଣ୍ଡା ବିକ୍ରିକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।
ଅନ୍ୟପକ୍ଷରେ ଖପୁରିଆ ଆଖପାଖ ୧ କିମି ପରିଧିରେ ଥିବା ସମସ୍ତ କୁକୁଡ଼ା ଏବଂ ଅଣ୍ଡା ଦୋକାନ ୩ ମାସ ପର୍ଯ୍ୟନ୍ତ ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ତା’ସହିତ ୧୦ କି.ମି ପରିଧି ମଧ୍ୟରେ ପ୍ରାଣୀ ଚିକିତ୍ସାଧିକାରୀଙ୍କ ନେତୃତ୍ୱରେ ୧୦ ଟି ଟିମ୍ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛି।
ଏଡିଆର୍ଆଇର ଯୁଗ୍ମ ନିର୍ଦ୍ଦେଶକ ଡା. ଲୋକନାଥ ବେହେରା କହିଛନ୍ତି ଯେ ଗତ ଦୁଇ ଦିନ ମଧ୍ୟରେ ସହରରେ ମୋଟ ୪୩୫ ବତକ, ୩୬ କୁକୁଡ଼ା ଏବଂ ୯ ହଜାର ୨ ଶହ ୭୫ ଅଣ୍ଡା ନଷ୍ଟ କରାଯାଇଛି।ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ଖପୁରିଆ ବତକ ପ୍ରଜନନ କେନ୍ଦ୍ରରେ ବତକ ମଡ଼କ ଲାଗି ରହିଥିଲା। ପ୍ରଥମେ ନଖରା ସ୍ଥିତ ପ୍ରାଣୀରୋଗ ଗବେଷଣା ଅନୁଷ୍ଠାନକୁ ନମୁନା ଯାଞ୍ଚ ନିମନ୍ତେ ପଠାଯାଇଥିଲା। ପରେ ମଧ୍ୟପ୍ରଦେଶ ଭୋପାଳ ସ୍ଥିତ ଜାତୀୟ ପ୍ରାଣୀରୋଗ ଗବେଷଣା ଅନୁଷ୍ଠାନକୁ ନମୁନା ପଠାଯାଇଥିଲା। ଗତ ଶୁକ୍ରବାର ସେଠାରୁ ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ କଥା ସ୍ପଷ୍ଟ ହୋଇଥିଲା। ଏହା ପରେ ପ୍ରଜନନ କେନ୍ଦ୍ରରେ ଥିବା ସମସ୍ତ ବତକ ଏବଂ ଅଣ୍ଡାକୁ ନଷ୍ଟ କରି ଦିଆଯାଇଥିଲା। ଏହା ସହିତ ଏହାର ଆଖପାଖ ଅଞ୍ଚଳରେ କୁକୁଡ଼ା ମାଂସ ଓ ଅଣ୍ଡା ଆଦି ବିକ୍ରି ନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି।
from Odisha Reporter https://ift.tt/2uCm21K
No comments:
Post a Comment