
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ରାଜନୀତିକ ଛକାପଞ୍ଝା ଆରମ୍ଭ ହୋଇଥିବାବେଳେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପୁଣିଥରେ ବିଜେପିରେ ସକ୍ରିୟ ଭୂମିକାରେ ଦେଖିବାକୁ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଆଜି ମଧ୍ୟାହ୍ନରେ ବିଜୟଙ୍କୁ ତାଙ୍କ ନୟାପଲ୍ଲୀସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବୈଜୟନ୍ତ ଓ କେଭିଙ୍କ ସହ ବିଜୟଙ୍କ ଆଲୋଚନା ସକାରାତ୍ମକ ରହିଛି। ବିଜୟ ଆସନ୍ତା ୨-୩ଦିନ ମଧ୍ୟରେ ବିଜେପିକୁ ଫେରିବା ସମ୍ପର୍କରେ ଘୋଷଣା କରିପାରନ୍ତି। ଏହି ୩ ନେତାଙ୍କ ମଧ୍ୟରେ ଆଲୋଚନାର ବିସ୍ତୃତ ରିପୋର୍ଟ ମିଳିନଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିରେ ବିଜୟଙ୍କୁ ନେଇ ହେଉଥିବା ବିରୋଧକୁ ପ୍ରଶମିତ କରିବା ପାଇଁ ଏବେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।
ଆଲୋଚନାବେଳେ ବିଜୟ କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉଠାଇଥିଲେ। ସେଥିରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଂଗଠନରେ ବିଜୟଙ୍କୁ ହେଉଥିବା ବିରୋଧ ପ୍ରସଙ୍ଗ ମଧ୍ୟ ସାମିଲ ଥିଲା। ତେବେ ଜିଲ୍ଲା ସଂଗଠନର ନେତାମାନଙ୍କୁ ବୁଝାସୁଝା କରିବା ଦାୟିତ୍ୱ ଦଳ ନେବ ବୋଲି ବୈଜୟନ୍ତ ଓ କେଭି ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଦୁଇ ନେତାଙ୍କ ବୁଝାଇବା ପରେ ବିଜେପିରେ ସକ୍ରିୟ ଭୂମିକା ତୁଲାଇବା ପାଇଁ ବିଜୟ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିଥିବାର ସୂଚନା ମିଳିଛି।
ଏପଟେ ବିଜେଡିରେ ସାମିଲ ହେବାକୁ ଥିବା ବରିଷ୍ଠ ନେତା ଦିଲ୍ଲୀପ ରାୟ ମଧ୍ୟ ଅନୁରୂପ ଭାବେ ଆଜି କିମ୍ବା ଆସନ୍ତାକାଲି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବେ। ଦିଲ୍ଲୀପ ଗତ ରବିବାର ନବୀନ ନିବାସରୁ ଡାକରା ପାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ସେ ତା’ପରଦିନ ଦଳରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଦିଲ୍ଲୀପ ଏପର୍ଯ୍ୟନ୍ତ ବିଜେଡିରେ ସାମିଲ ହୋଇନାହାନ୍ତି। ବିଜେଡି ସୂତ୍ର ଅନୁସାରେ ଦିଲ୍ଲୀପଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ବିଜେଡି ପ୍ରସ୍ତାବ ଦେଇଥିଲା। ଯାହାକୁ ସେ ଗ୍ରହଣ କରିନଥିଲେ। ମାତ୍ର ଏବେ ବିଜେଡି ପକ୍ଷରୁ ତାଙ୍କୁ କେନ୍ଦ୍ରାପଡ଼ା ଆସନରୁ ଲଢ଼ିବା ପାଇଁ ମନାଇବାକୁ ଉଦ୍ୟମ ଚାଲିଥିବା ଜଣାପଡ଼ିଛି।
from Odisha Reporter https://ift.tt/2HOFWy6
No comments:
Post a Comment