
ଅହମଦାବାଦ: ପଟିଦାର ଆନ୍ଦୋଳନର ନେତା ତଥା ସର୍ବଦା ବିଜେପିକୁ ସମାଲୋଚନା କରୁଥିବା ହାର୍ଦ୍ଦିକ ପଟେଲ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ହାର୍ଦ୍ଦିକ ହାତ ଦଳରେ ସାମିଲ ହୋଇଛନ୍ତି। ଆଜି ଗୁଜରାଟଠାରେ ଦୀର୍ଘ ୫୮ ବର୍ଷ ପରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ କରାଯାଇଥିଲା। ଏଥିରେ ବହୁ ହେଭିୱେଟ୍ ନେତା ଯୋଗଦେଇଥିଲା। ଏହାପରେ ଅହମଦାବାଦରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ହାର୍ଦ୍ଦିକ କଂଗ୍ରେସରେ ଯୋଗଦେଇଥିଲେ।
ହାର୍ଦ୍ଦିକ କହିଛନ୍ତି, “ମହାତ୍ମା ଗାନ୍ଧି ଆଜିର ଦିନରେ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ। ତାଙ୍କର ଲକ୍ଷ୍ୟ ଥିଲା ବ୍ରିଟିଶର ମାନଙ୍କୁ ଦେଶରୁ ହଟାଇବା ଏବଂ ଏଥିରେ ସେ ସଫଳ ହୋଇଥିଲେ। ଆଜି ମୁଁ କଂଗ୍ରେସରେ ସାମିଲ ହୋଇଛି। ପୂର୍ବରୁ ଏହାକୁ ସୁଭାଷ ବୋଷ, ପଣ୍ଡିତ ନେହରୁ, ସର୍ଦ୍ଦାର ପଟେଲ, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଚଳାଉଥିଲେ। ଦେଶକୁ ସଶକ୍ତ କରିବାରେ ଏମାନଙ୍କ ଭୂମିକା ରହିଛି।”
ଗତ ସପ୍ତାହରେ ୨୫ ବର୍ଷୀୟ ହାର୍ଦ୍ଦିକ କଂଗ୍ରେସରେ ଯୋଗଦେବା ନେଇ ସଙ୍କେତ ଦେଇଥିଲେ। ସେ କଂଗ୍ରେସରେ ମିଶିଥିବାରୁ ତାଙ୍କୁ ଦଳ ପକ୍ଷରୁ ଜାମନଗର ଲୋକସଭା ଆସନରୁ ପ୍ରାର୍ଥୀ କରାଯିବ। ଏହି ଆସନଟି ଏବେ ବିଜେପି ଦଖଲରେ ରହିଛି। ୨୦୧୫ରେ ପଟିଦାର ସଂପ୍ରଦାୟର ଲୋକଙ୍କ ପାଇଁ ସଂରକ୍ଷଣ ଦାବି କରି ହାର୍ଦ୍ଦିକ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ସମୟରେ ସେ ବେଶ ଚର୍ଚ୍ଚାକୁ ଆସିଥିଲେ।
from Odisha Reporter https://ift.tt/2SXbnYZ
No comments:
Post a Comment