
ନୂଆଦିଲ୍ଲୀ: ଫେବୃଆରୀ ୧୪ ପୁଲୱାମ ଆତ୍ମଘାତୀ ହମ୍ଲା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜମ୍ମୁ-କଶ୍ମୀରରେ ଆରମ୍ଭ ହୋଇଥିବା ଆତଙ୍କବାଦୀ ଅଭିଯାନକୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀମାନେ ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ୧୮ ଜଣ ଆତଙ୍କବାଦୀଙ୍କୁ ଇତି ମଧ୍ୟରେ ନିହତ କରିଛନ୍ତି। ଏମାନଙ୍କ ମଧ୍ୟରେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ମହମ୍ମଦର ୬ ଜଣ ଆତଙ୍କବାଦୀ ରହିଛନ୍ତି।
ଏଭଳି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଆତଙ୍କୀଙ୍କ ଗଡ଼ ଏକ ପ୍ରକାରର ଦୋହଲି ଯାଇଛି ବୋଲି ଆଜି ସେନା ପକ୍ଷରୁ କୁହାଯାଇଛି। ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ପୁଲୱାମାରେ ଆତ୍ମଘାତୀ ହମ୍ଲା କରାଯାଇଥିଲା। ଏଥିରେ ସିଆରପିଏଫ୍ର ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହାପରଠାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜମ୍ମୁ-କଶ୍ମୀରରେ ଆତଙ୍କୀ ବିରୋଧରେ ଅଲଆଉଟ୍ ଅପରେଶନ ଆରମ୍ଭ ହୋଇଛି।
ଏହି ୧୮ ଜଣ ଆତଙ୍କୀଙ୍କ ମଧ୍ୟରେ ପୁଲୱାମା ହମ୍ଲାର ମାଷ୍ଟରମାଇଣ୍ଡ ମଧ୍ୟ ରହିଛି। ଗତକାଲି ରାତିରେ ତ୍ରାଲରେ ହୋଇଥିବା ଏନ୍କାଉଣ୍ଟରେ ମୁଦାସିର ଅହମଦ ଖାନ୍ ନିହତ ହୋଇଛି।
ମୁଦାସରି ନିହତ ହୋଇଥିବାରୁ ଜୈଶକୁ କଶ୍ମୀରରେ ବଡ଼ ଝଟ୍କା ଲାଗିଛି ବୋଲି ଆଇଜି ଏସ୍ପି ପାଣି କହିଛନ୍ତି।
ତ୍ରାଲର ପିଙ୍ଗଲିଶ୍ ଅଞ୍ଚଳରେ ମୁଦାସୀର ଓ ଆଉ କିଛି ଆତଙ୍କବାଦୀ ଥିବା ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଗୁଳି କରିଥିଲେ। ଏହା ପରେ ଦୁଇ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ମୁଦାସିର ସମେତ ଅନ୍ୟ ୨ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଏମାନେ ସମସ୍ତେ ଜୈଶ ସଂଗଠନର ସଦସ୍ୟ। ଆଗକୁ ମଧ୍ୟ ଉପତ୍ୟକାରେ ଏଭଳି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2Hecu5h
No comments:
Post a Comment