ଲକ୍ଷ ଲକ୍ଷ ସରକାରୀ ପଦବୀ ପୂରଣ ନହେବା ପଛରେ ୪୦ ହଜାର କୋଟିର କାରବାର: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ଲକ୍ଷ ଲକ୍ଷ ସରକାରୀ ପଦବୀ ପୂରଣ ନହେବା ପଛରେ ୪୦ ହଜାର କୋଟିର କାରବାର: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖାଲି ପଡ଼ିଥିବା ପ୍ରାୟ ୧.୩୨ଲକ୍ଷ ସରକାରୀ ପଦବୀକୁ ପୂରଣ ନକରିବା ପଛରେ ୪୦ହଜାର କୋଟି ଟଙ୍କାର କାରବାର ରହିଛି। ରାଜ୍ୟରେ ନିଯୁକ୍ତିକୁ ନେଇ ସରକାରଙ୍କର ଉଦାସୀନତା ଓ ଏହା ପଛରେ ଥିବା ଗଭୀର ଷଡ଼ଯନ୍ତ୍ର ଯୋଗୁଁ ବେକାରୀ ସମସ୍ୟା ଚରମ ସୀମାରେ ପହଞ୍ଚିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କର ନିଯୁକ୍ତି କଥା ମନେପଡ଼ିଛି। ମାତ୍ର ୧୫୬୦ ଡାକ୍ତର ପଦବୀ ପୂରଣ କରି ସରକାର ତାଙ୍କ ଦାୟିତ୍ୱ ସାରି ଦେଲେ ବୋଲି ଯଦି ଭାବୁଥାନ୍ତି, ତାହେଲେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦ କଥା। କିଛିଦିନ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟରେ ୩୩୩୩ଟି ଡାକ୍ତର ପଦ ଖାଲିଥିବା କଥା ସ୍ୱୀକାର କରିଥିବାବେଳେ ଏବେ ଦୁଇଟି ପର୍ଯ୍ୟାୟରେ ମାତ୍ର ୧୫୬୦ଟି ପଦବୀ ପୂରଣ କରି ସରକାର ରାଜ୍ୟରେ ସ୍ୱାସ୍ଥ୍ୟସେବାର ସମସ୍ୟା ସମ୍ପର୍କରେ ସମ୍ବେଦନହୀନତାର ପରିଚୟ ଦେଇଛନ୍ତି ବୋଲି କଂଗ୍ରେସ କଟାକ୍ଷ କରିଛି।

ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଓ ଦେଶ ବିଦେଶର ବଡ଼ ବଡ଼ ସହରରେ ରୋଡ୍ ସୋ କରିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ସରକାରୀ ଚାକିରୀରେ ପଦ ପୂରଣ ପାଇଁ କୌଣସି ନିଷ୍ପତ୍ତି ନ ନେବା ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକ ଓ ଯୁବତୀମାନଙ୍କ ପ୍ରତି ଉପହାସ । ଯଦି ମୁଖ୍ୟମନ୍ତ୍ରୀ ୨୦୧୯ ନିର୍ବାଚନ ବର୍ଷରେ ୧୫୬୦ ଡାକ୍ତର ନିଯୁକ୍ତି ଦେଇପାରିଲେ ତାହେଲେ ୨୦୧୫ ମସିହାରେ ଡାକ୍ତର ନିଯୁକ୍ତି ଶୂନ ଥିଲାବେଳେ ୨୦୦୮ ମସିହାରେ ୪୪୦ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣକୁ ବି କାହିଁକି ନିଯୁକ୍ତି ଦେଲେନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

୧.୩୨ଲକ୍ଷ ସରକାରୀ ପଦବୀ ପାଇଁ ରାଜକୋଷରୁ ବାର୍ଷିକ ଦରମା ଓ ଭତ୍ତା ବାବଦରେ ୯ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତେ ଏବଂ ୫ ବର୍ଷ ଭିତରେ ମୋଟ ୪୦ ହଜାର କୋଟି ଟଙ୍କା ଦରମା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ବାବଦରେ ଖର୍ଚ୍ଚ କରିଥାନ୍ତେ। କିନ୍ତୁ ଏହା ନକରି ଉକ୍ତ ୪୦ ହଜାର କୋଟି ଟଙ୍କାକୁ ନିଜର ତଥା ନିଜ ଦଳର ପ୍ରଚାର ଓ ପ୍ରସାର ବାବଦରେ ଖର୍ଚ୍ଚ କରିଦେଲେ ବୋଲି କଂଗ୍ରେସ ଅଭିଯୋଗ କରିଛି। ବିଜୁ ଯୁବ ବାହିନୀ, କାଳିଆ ଓ ପିଠା ଭଳି ନୂଆ ଯୋଜନା ଆଣି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାର ହୀନପ୍ରୟାସ କରାଯାଇଛି। ପ୍ରତ୍ୟେକ ବର୍ଷ ରାଜ୍ୟର ହଜାର ହଜାର ଶିକ୍ଷିତ ଓ ବେକାର ଚାକିରୀ ଆଶାରେ ରାଜ୍ୟ ବାହାରକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବା ଆଦୌ ଶୁଭଙ୍କର ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ତୁରନ୍ତ ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ଖାଲି ପଡ଼ିଥିବା ସରକାରୀ ପଦବୀରେ ନିଯୁକ୍ତି ଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ନିଶିକାନ୍ତ ମିଶ୍ର, ରଜନୀ କୁମାର ମହାନ୍ତି, ଓମ୍ ପ୍ରକାଶ ସାହୁ ଉପସ୍ଥିତ ଥିଲେ।



from Odisha Reporter https://ift.tt/2EZ2lHg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages