
ରାଉରକେଲା(ପଓ୍ଵନ ତିଓ୍ଵାରୀ): ହାତରେ ଆଉ ସମୟ ନାହିଁ । ସୁନ୍ଦରଗଡ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ଏପ୍ରିଲ ୧୮ ତାରିଖ ହେବ ମତଦାନ। ନେତାଙ୍କ ଠାରୁ ଆରମ୍ଭ କରି କର୍ମୀ, ଭୋଟର ସମସ୍ତଙ୍କ ମଧ୍ୟରେ ଆଲୋଚନା। କାହାକୁ ଭୋଟ ଦେବେ, ଦଳକୁ ନା ବ୍ୟକ୍ତିକୁ ?
ରାଉରକେଲା ସହରରେ ଥିବା ବିଭିନ୍ନ ବସ୍ତି, କଲୋନୀରେ ଦିନ ତମାମ ନେତା ଓ କର୍ମୀଙ୍କ ମିଟିଂ ଚାଲୁଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଣ କରାଯିବ ସେ ନେଇ ଚାଲିଛି ଯୋଜନା ପ୍ରସ୍ତୁତି। ବିଜେଡି ପ୍ରାର୍ଥୀ ସାରଦା ନାଏକ ଏବେ ଦିନରାତି ଏକ କରି ନିବାର୍ଚନ କାମରେ ଲାଗିଛନ୍ତି। ବସ୍ତି ବସ୍ତି ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି ।
ବିଜେପି ପ୍ରାର୍ଥୀ ନିହାର ରାଏ ମଧ୍ୟ ପଛରେ ପଡ଼ି ନାହାନ୍ତି । ନିଜର ଇସ୍ତାହାର ନେଇ ଲୋକଙ୍କ ନିକଟକୁ ଯାଉଛନ୍ତି । ସେ ମୋଦି ସରକାରଙ୍କ ସଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ।
କଂଗ୍ରେସ ପ୍ରାର୍ଥୀ ବୀରେନ ସେନାପତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରାଉରକେଲା ପ୍ରତି କିପରି ବୈମାତୃକ ମନୋଭାବ ପ୍ରକାଶ କରିଛନ୍ତି ତାହାକୁ ନେଇ ଭୋଟରଙ୍କ ନିକଟକୁ ଯାଉଛନ୍ତି । ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ ପ୍ରତିଶ୍ରୁତିକୁ ସାଥୀରେ ନେଇ ସେ କଂଗ୍ରେସ ପାଇଁ ଭୋଟ ଭିକ୍ଷା କରୁଛନ୍ତି।
ହେଲେ ଏ ସବୁ ଭିତରେ ରାଉରକେଲା ଭୋଟର କିଛିଟା ଶୂନ୍ୟତା ଅନୁଭବ କରୁଛନ୍ତି। ଆଉ ସେ ଶୂନ୍ୟତା ହେଉଛନ୍ତି ଦଲୀପ ରାୟଙ୍କ ଅନୁପସ୍ଥିତି ।
ରାଜ୍ୟ ରାଜନୀତିର ଜଣେ ହେଭିୱେଟ ନେତା ଆଉ ରାଉରକେଲା ରାଜନିତୀର ଏକ ଚିହ୍ନା ମୁହଁ ଦିଲୀପ ରାୟ । ରାଉରକେଲାରେ ତାଙ୍କର ଲୋକପ୍ରିୟତା ରହିଛି। ତାଙ୍କର ଯଥେଷ୍ଟ ସମର୍ଥକ, କର୍ମୀ ମଧ୍ୟ ଏଠାରେ ଅଛନ୍ତି । ନିର୍ବାଚନ ଲଢିବା ପାଇଁ ତାଙ୍କର ଅର୍ଥବଳ ବି ଅଛି। ପୂର୍ବରୁ ତାଙ୍କର ପ୍ରଭାବ ରାଜ୍ୟ ରାଜନୀତି ଅଙ୍କକୁ ବଦଳେଇ ଦେଇଥିବା ନଜୀର ମଧ୍ୟ ରହିଛି। ଅଥଚ ରାଉରକେଲା ନିର୍ବାଚନ ମଇଦାନରେ ଏ ପର୍ଯ୍ୟନ୍ତ ତାଙ୍କର ଦେଖା ନାହିଁ। ତେବେ ୨୦୧୯ରେ ରାଉରକେଲା ନିର୍ବାଚନରୁ ଦିଲୀପ କ’ଣ ସନ୍ୟାସ ନେବେ ?
ଏଣେ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ବିଧାନସଭା ଓ ଲୋକସଭା ଆସନ ପାଇଁ ୩ ଦଳରୁ ପ୍ରାର୍ଥୀ ଘୋଷଣା ସରିଲାଣି। ତେଣୁ ସୁନ୍ଦରଗଡ଼ ରାଜନୀତିରେ ତାଙ୍କ ପ୍ରତ୍ୟକ୍ଷ ଯୋଗଦାନ ପାଇଁ ସବୁ ରାସ୍ତା ଏବ ବନ୍ଦ ହୋଇ ଯାଇଛି। ତେବେ ଦିଲୀପ ଯିବେ କୁଆଡେ ? ତାଙ୍କର ନିକଟତମ ବନ୍ଧୁମାନେ କହୁଛନ୍ତି, ଏପ୍ରିଲ ୩ ତାରିଖରେ କାଳେ ଦିଲୀପ ରାଉରକେଲା ଆସିବେ। ତାପରେ ଯାହା ନିଷ୍ପତି ନେବେ । ପୁଣି ପ୍ରଶ୍ନ ଆସେ, ଯଦି ୩ ତାରିଖ ନିଷ୍ପତ୍ତି ନେବେ, ତେବେ ଫାଇଦା କଣ ? ନିବାର୍ଚନ ତ ୧୮ରେ !
ଦିଲୀପଙ୍କ ଅନୁପସ୍ଥିତିରେ ସବୁଠାରୁ ବେଶି ଚିନ୍ତାରେ ତାଙ୍କର କର୍ମୀ। ସେମାନେ ଏବେ କରିବେ କଣ ? ଦିଲୀପଙ୍କ କିଛି ସମର୍ଥକ ଏବେ ବିଜେଡି ନେତାଙ୍କ ପାଇଁ ପ୍ରଚାର କରିବାକୁ ମନସ୍ଥ କରୁଥିବା କୁହାଯାଉଛି । କିଛି ସମର୍ଥକ କୁଆଡେ ନ ଯାଇ ତାଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ।
କିଛି ଦିନ ତଳେ ଶୁଣା ଯାଉଥିଲା, ନବୀନ ନିବାସ ଯାଇଛନ୍ତି ଦିଲୀପ। ବିଜେପିରୁ ଇସ୍ତଫା ଦେବା ପରେ ବିଜେଡିକୁ ଫେରାଇ ଆଣିବା ପାଇଁ ବିଜେଡିରେ ଯୋଜନା ଚାଲିଥିଲା। ହେଲେ ବୁଝାମଣା ହୋଇ ପାରୁ ନ ଥିଲା। ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା ନବୀନ ନିବାସ ଆସିବା ପରେ ଦିଲୀପଙ୍କୁ ଡାକି ଆଲୋଚନା କରିଥିଲେ। ଆଉ ଆଲୋଚନା ସରିବା ପରେ କ’ଣ ନିଷ୍କର୍ସ ବାହାରିଲା କେଜାଣି, ଦିଲୀପ ନବୀନ ନିବାସରୁ ବାହାରି କୁଆଡେ ଗଲେ, ତାର ହିସାବ କେହି ଦେଇ ପାରୁନାହାନ୍ତି।
ଅନ୍ୟପଟେ ଅନ୍ତରଙ୍ଗ କୁହାଯାଉଥିବା ବିଜୟ ମହାପାତ୍ର ଦିଲୀପଙ୍କ ସହ ମିଶି ବିଜେପିରୁ ଇସ୍ତଫା ଦେଇଥିଲେ। ହେଲେ ସେ ଏବେ ଫେରି ଆସିଛନ୍ତି ଦଳକୁ। ସେ ଗଣମାଧ୍ୟମକୁ କହିଛନ୍ତି, ୩ ତାରିଖରେ ଦିଲୀପ ଓଡ଼ିଶା ଫେରିବା ପରେ ସେ ନିଜର ନିଷ୍ପତ୍ତି ନେବେ ।
ସହରରେ ଏବେ ଚର୍ଚ୍ଚା ହେଉଛି, ଦିଲୀପ କୁଆଡେ ଯିବେ ? ତାଙ୍କର ରାଜନୈତିକ ବନ୍ଧୁ ତଥା ଦୀର୍ଘ ଦିନର ସାଥି ବିଜୟ ମହାପାତ୍ର ଯଦି ବିଜେପିକୁ ଫେରିଛନ୍ତି ତେବେ ସେ ମଧ୍ୟ ବିଜେପିକୁ ଫେରିବେ । ଯଦି ଫେରନ୍ତି ତେବେ ତାଙ୍କୁ ଅନ୍ୟ କେଉଁ ଆସନରୁ ପ୍ରାର୍ଥୀ କରିବ କି ଦଳ ? ଯଦି ବିଜେଡିକୁ ଯାଆନ୍ତି ତେବେ ବିଜେଡିକୁ ଫାଇଦା ମିଳିବ କି? ଅନ୍ୟପକ୍ଷେ ବିଜୟ ଓ ଦିଲୀପଙ୍କ ଏତେ ଦିନର ଦୋସ୍ତିରେ ଭଟ୍ଟା ପଡିବନି ତ ?
୨୦୧୪ ନିବାର୍ଚନରେ ଜୁଏଲ ଓରାମ ଏକମାତ୍ର ସାଂସଦ କେନ୍ଦ୍ରକୁ ଯାଇଥିଲେ। ଆଉ ତା ପୁଣି ଦିଲୀପଙ୍କ ପାଇଁ । ହେଲେ ପରବର୍ତ୍ତୀ ସମୟରେ ଦିଲୀପ ଆଗେ ମାଟି ପରେ ପାର୍ଟି ସ୍ଲୋଗାନ ଦେଇ ଦଳ ଛାଡିଥିଲେ। ଯଦି ଦିଲିପ ପୁଣି ବିଜେପିକୁ କମବ୍ୟାକ୍ କରନ୍ତି ତେବେ ଜୁଏଲଙ୍କ ପାଇଁ ବାଟ କେତେ ପରିଷ୍କାର ହେବ ? ପୁଣି ରାଉରକେଲା ବିଧାନସଭାରୁ ବିଜେପି ପ୍ରାର୍ଥୀ ଦେଇଥିବା ନିହାରଙ୍କୁ ଏହା କେତେ ସୁହାଇବ ? ଶୁଣିବାକୁ ମିଳେ, ନିହାର ଓ ଦିଲୀପ ଏକଦା ବହୁତ ଘନିଷ୍ଠ ବନ୍ଧୁ ଥିଲେ । କିନ୍ତୁ ସମୟ ବଦଳିବା ସହ ବନ୍ଧୁତାରେ ମଧ୍ୟ ଦୂରତା ଆସିଛି । ତେଣୁ ଦିଲୀପ ନିହାରଙ୍କୁ ଗ୍ରହଣ କରିବେ ତ ? ଏମିତି ବହୁତ ପ୍ରଶ୍ନ ସହରବାସୀଙ୍କ ମନରେ ।
ଅନ୍ୟପକ୍ଷରେ କିଛି ରାଜନୈତିକ ସମୀକ୍ଷକ କହୁଛନ୍ତି, ଥରେ ବିଜେପିରୁ ଇସ୍ତଫା ଦେବା ପରେ ପୁଣି ଦଳକୁ ଫେରିଲେ ଦିଲୀପଙ୍କୁ ଜନତା ଗ୍ରହଣ କରିବେ ତ ? ଯଦି ବିଜେଡିକୁ ଯାଆନ୍ତି ତେବେ ସାରଦା ନାଏକଙ୍କୁ କିଛି ଫାଇଦା ମିଳିବ କି ? କାହିଁକି ନା, ରାଉରକେଲା ଇତିହାସ କହୁଛି ସବୁବେଳେ ଦିଲୀପ-ସାରଦାଙ୍କ ମଧ୍ୟରେ କଡା ଟକ୍କର ହୁଏ । ଉଭୟ ରାଜନିତୀରେ ବହୁତ ଦିନର ପ୍ରତିଦ୍ୱନ୍ଦ୍ୱୀ। ଅନ୍ୟପଟେ ଦିଲିପଙ୍କ ମିଶ୍ରଣ ବିଜେଡିକୁ ଫାଇଦା ଦେବେ କି ? କଣ ସୁନିତା ବିଶ୍ୱାଳ ପାଇଁ ଭଲ ଆସେଟ ହୋଇପାରିବେ ଦିଲିପ ରାଏ ?
ଏ ପ୍ରଶ୍ନର ଉତ୍ତର ତ ସମୟ ଦେବ, ଏବେ କିନ୍ତୁ ରାଉରକେଲାବାସୀ ଦିଲୀପଙ୍କ ଅପେକ୍ଷାରେ ।
from Odisha Reporter https://ift.tt/2CLxj46
No comments:
Post a Comment