
ଇପୋ (ମ୍ୟାଲେସିଆ): ଅନ୍ତିମକ୍ଷଣରେ ଗୋଲ ଖାଇବାରେ ଭାରତର ପରମ୍ପରା ଚଳିତ ସୁଲତାନ ଆଜଲାନ ଶାହ କପ ହକି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଛି। ରବିବାର ଏଠାରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଶେଷ ୨୨ ସେକେଣ୍ଡରେ ଗୋଲ ଖାଇ ଭାରତ ବିଜୟ ହାତଛଡ଼ା କରିଥିବା ବେଳେ କୋରିଆ ମ୍ୟାଚକୁ ୧-୧ ଗୋଲରେ ଡ୍ର’ କରିବାରେ ସଫଳ ହୋଇଛି।
୨୮ତମ ମିନିଟରେ ମନଦୀପ ସିଂହ ଗୋଟିଏ ଗୋଲ ଦେଇ ଭାରତକୁ ୧-୦ରେ ଆଗୁଆ କରାଇଥିଲେ, କିନ୍ତୁ ଫାଇନାଲ ହୁଇସିଲ ବାଜିବାର ୨୨ ସେକେଣ୍ଡ ପୂର୍ବରୁ ଜଙ୍ଗହ୍ୟୁନ୍ ଜାଙ୍ଗ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି କୋରିଆକୁ ପରାଜୟରୁ ରକ୍ଷା କରିଥିଲେ। ଭାରତ ଟୁର୍ଣ୍ଣାମେଣ୍ଟରେ ତା’ର ପ୍ରଥମ ମ୍ୟାଚରେ ଶନିବାର ଏସୀୟ ଚାମ୍ପିଅନ୍ ଜାପାନକୁ ଏକତରଫା ଭାବେ ୨-୦ ଗୋଲରେ ହରାଇଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚରେ ଭାରତକୁ କୋରିଆ ସହ ପଏଣ୍ଟ ଭାଗ କରିବାକୁ ପଡିଛି।
ଭାରତକୁ ଏହି ମ୍ୟାଚର ପ୍ରଥମ କ୍ୱାର୍ଟରରେ ହିଁ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଓଡ଼ିଆ ତାରକା ଅମିତ ରୋହିଦାସ ବଲକୁ ନିଜ ନିୟନ୍ତ୍ରଣରେ ରଖିପାରି ନଥିଲେ। ଏଥିସହ ପ୍ରଥମ କ୍ୱାର୍ଟର ବିନା ଗୋଲରେ ଶେଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଏଥର ଅମିତଙ୍କ ଶଟକୁ ଦକ୍ଷିଣ କୋରିଆ ଗୋଲକିପର ରୋକି ନେଇଥିଲେ। ମ୍ୟାଚର ୨୮ତମ ମିନିଟରେ ମନଦୀପ ଜୋରଦାର ଶଟ ଲଗାଇ ଭାରତ ପାଇଁ ଖାତା ଖୋଲିଥିଲେ।
ଭାରତ ଏହି ଅଗ୍ରଣୀକୁ ହାଫଟାଇମ ସୁଦ୍ଧା ବଜାୟ ରଖିଥିଲା। ପ୍ରଥମାର୍ଦ୍ଧ ପରେ କୋରିଆକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଏହାକୁ ସେମାନେ ଗୋଲରେ ପରିଣତ କରିପାରିନଥିଲେ। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ କୋରିଆ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା ଏବଂ ଭାରତୀୟ ଡିଫେନ୍ସକୁ ଦୋହଲାଇ ଦେଇଥିଲା। ମ୍ୟାଚ ଶେଷ ହେବାକୁ ୮ ମିନିଟ ବାକି ଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା ଏବଂ ଏହି କାରଣରୁ ଖେଳକୁ ରୋକିବାକୁ ପଡ଼ିଥିଲା।
ବର୍ଷା କମିବା ପରେ ମ୍ୟାଚ ପୁନର୍ବାର ଆରମ୍ଭ ହୋଇଥିଲା ଏବଂ କୋରିଆକୁ ତୁରନ୍ତ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହି ପେନାଲ୍ଟିକୁ ମଧ୍ୟ କୋରିଆ ଗୋଲରେ ପରିଣତ କରିପାରିନଥିଲା। ନିର୍ଦ୍ଧାରିତ ସମୟର ୫୧ ସେକେଣ୍ଡ ପୂର୍ବରୁ କୋରିଆ ପୁଣି ଏକ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା ଏବଂ ପୁଣି ସେମାନେ ଗୋଲ କରିବାରୁ ବଞ୍ଚିତ ହୋଇଥିଲେ। ଏହାର କିଛି ସେକେଣ୍ଡ ପରେ ଜାଙ୍ଗ କୌଣସି ଭୁଲ ନକରି ଅନ୍ୟ ଏକ ପେନାଲ୍ଟିକୁ ଗୋଲରେ ପରିଣତ କରି ମ୍ୟାଚକୁ ୧-୧ରେ ବରାବର କରିବା ସହ ଭାରତ ହାତରୁ ମ୍ୟାଚ ଛଡ଼ାଇ ଆଣିଥିଲେ। ଆସନ୍ତା ୨୬ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ କ୍ୟାନାଡାକୁ ଭେଟିବ।
from Odisha Reporter https://ift.tt/2Tq6cBa
No comments:
Post a Comment