
ଚେନ୍ନାଇ: କୁହାଯାଏ ଶିଖିବାର କିଛି ବୟସ ସୀମା ନ ଥାଏ। ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦୃଢ ଇଚ୍ଛାଶକ୍ତି ଥିଲେ ମଣିଷ ନିଜ ଲକ୍ଷ୍ୟ ସ୍ଥଳ ହାସଲ କରି ପାରିବ। ତାମିଲନାଡ଼ୁର ଜଣେ ମହିଳା ସ୍ୱାମୀଙ୍କ ମୃତ୍ୟୁପରେ ୩ ଝିଅଙ୍କ ଭରଣପୋଷଣ କରିବା ନିମନ୍ତେ ଘରୁ ଗୋଡ କାଢିଲେ। ହେଲେ ସେ କିଛି ଛୋଟମୋଟ ଚାକିରି କରିବା ଅପେକ୍ଷା ନିଜ ଝିଅ ସହ ପାଠ ପଢି ଆଗକୁ ବଢିବାକୁ ସ୍ଥିର କଲେ। ଏହାପରେ ଉଭୟ ମା’ଝିଅ ଏବେ ତାମିଲନାଡୁରେ ଉଚ୍ଚ ପ୍ରତିଷ୍ଠିତ ସରକାରୀ ଚାକିରି ପାଇବାରେ ସକ୍ଷମ ହୋଇଛନ୍ତି। ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ ମା’ ସ୍ୱାସ୍ଥ୍ୟ ବିଭାଗରେ ଚାକିରି ପାଇବାରେ ସକ୍ଷମ ହୋଇଛନ୍ତି। ସେହିପରି ତାମିଲ ସାହିତ୍ୟରେ ସ୍ନାତକ କରିଥିବା ତାଙ୍କ ଝିଅଙ୍କର ମଧ୍ୟ ହିନ୍ଦୁ ଧାର୍ମିକ ବନ୍ଦୋବସ୍ତ ବିଭାଗରେ ଚାକିରି ହୋଇଯାଇଛି। ଏହାଦ୍ୱାରା ଉଭୟ ମା’ ଝିଅ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ପାରିଛନ୍ତି।
ଏନ୍ ଶାନ୍ତିଲକ୍ଷ୍ମୀ ନାମ୍ନୀ ୪୭ ବର୍ଷ ବୟସ୍କା ମହିଳାଜଣକ ବିବାହ ପୂର୍ବରୁ ବିଏ, ବିଏଡ୍ ଡିଗ୍ରୀ ହାସଲ କରିଥିଲେ। ହେଲେ ଘରର ଦାୟିତ୍ୱ ସହ ୩ ଝିଅଙ୍କ ଲାଲନପାଳନକୁ ପ୍ରାଥମିକତା ଦେଇ ସେ କେବେ ଚାକିରି କଥା ଭାବି ନ ଥିଲେ। ହେଲେ ଭାଗ୍ୟର ବିଡ଼ମ୍ବନା ଥିଲା ଅଲଗା। ୨୦୧୪ ମସିହାରେ ସ୍ୱାମୀଙ୍କର ଆକସ୍ମିକ ମୃତ୍ୟୁ ହେବା ପରେ ପିଲାମାନଙ୍କ ଦାୟିତ୍ୱ ଶାନ୍ତିଲକ୍ଷ୍ମୀଙ୍କ କାନ୍ଧ ଉପରକୁ ଆସିଲା। ଫଳରେ ସେ ଚାକିରି ସନ୍ଧାନ କରିବା ଆରମ୍ଭ କଲେ।
ଶାନ୍ତିଲକ୍ଷ୍ମୀଙ୍କ ୨୮ ବର୍ଷିୟା ବଡ଼ ଝିଅ ପ୍ରଶାସନିକ ସେବା ପରୀକ୍ଷା ଦେବା ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଏଥିନିମନ୍ତେ କୋଚିଂ ନେଉଥିଲେ। ଥରେ ଶାନ୍ତିଲକ୍ଷ୍ମୀ ନିଜ ଝିଅ ସହ ଉକ୍ତ କୋଚିଂ ସେଣ୍ଟର ଯାଇଥିବା ବେଳେ ସେଠାରେ ତାଙ୍କ ଷ୍ଟାଫଙ୍କ ସହ କଥା ହୋଇଥିଲେ। କୋଚିଂସେଣ୍ଟର ସଂଚାଳକ ସେଥିଂଲ କୁମାରଙ୍କ କହିବା ମୁତାବକ, ନିଜ ଝିଅର ପାଠ ପଢା ବିଷୟରେ ବୁଝିବାକୁ ଶାନ୍ତିଲକ୍ଷ୍ମୀ କୋଚିଂ ସେଣ୍ଟର ଆସିଥିଲେ। ତାମିଲନାଡ଼ୁ ଲୋକସେବା ଆୟୋଗର ୪ ପଦବୀ ଖାଲି ଥିବା ବେଳେ ସେ ନିଜେ ମଧ୍ୟ ଏହି ପରୀକ୍ଷାରେ ସାମିଲ ହୋଇ ପାରିବେ ବୋଲି ଜାଣିବାକୁ ପାଇଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ନିଜ ଲକ୍ଷ୍ୟ ହାସଲ ନିମେନ୍ତ ସେ ଦିନରାତି ଏକ କରି ଦେଇଥିଲେ। ନିଜ ଝିଅ ବୟସର ଅନ୍ୟ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ମଧ୍ୟ ଶାନ୍ତିଲକ୍ଷ୍ମୀ କେବେ ପ୍ରଶ୍ନ ପଚାରିବାକୁ ଦ୍ୱିମତ ହୋଇ ନାହାନ୍ତି। କେବେ କ୍ଲାସ କରି ନ ପାରିଲେ ସେ ନିଜ ଝିଅଠୁ ପାଠ ବିଷୟରେ ସବୁ ବୁଝି ଦେଇଥାନ୍ତି ବୋଲି ସାକ୍ଷାତାକାରରେ କହିଛନ୍ତି।
ବହୁ ସଂଘର୍ଷ ପରେ ଶାନ୍ତିଲକ୍ଷ୍ମୀ ଏବେ ତାମିଲନାଡ଼ୁ ସ୍ୱାସ୍ଥ୍ୟ ବିଭାଗରେ ଉଚ୍ଚ ପଦବୀରେ ଚାକିରି ପାଇଛନ୍ତି। ଏଥିନିମନ୍ତେ ବହୁ କଷ୍ଟ କରିବାକୁ ପଡ଼ିଥିବାରୁ ଯେଉଁଠାରେ ବି ପୋଷ୍ଟି ହେଲେ ସେ ପଛଘୁଞ୍ଚା ନ ଦେଇ ନିଜ ଚାକିରି ଜୀବନ ଆରମ୍ଭ କରିବେ ବୋଲି କହିଛନ୍ତି । ନିଜ ଯୋଗ୍ୟତା ଓ ସଂଘର୍ଷ ବଳରେ ଉଭୟ ମା’ ଓ ଝିଅ ଏବେ ତାମିଲନାଡ଼ୁ ସରକାରରେ ପ୍ରତିଷ୍ଠିତ ପଦବୀରେ ବସିବାକୁ ସକ୍ଷମ ହୋଇ ପାରିଛନ୍ତି, ଯାହାକି ଅନ୍ୟମାନଙ୍କ ପାଇଁ ବେଶ୍ ପ୍ରେରଣାଦାୟକ ହେବ।
from Odisha Reporter https://ift.tt/2Xzp0Bb
No comments:
Post a Comment