ଫିଟୁଛି ବଡ଼ ଘର ବଡ଼ ଗୁମର କଥା, ରୋହିତ ତିୱାରୀଙ୍କ ହତ୍ୟା ପଛରେ ସ୍ତ୍ରୀ ଅପୂର୍ବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ଫିଟୁଛି ବଡ଼ ଘର ବଡ଼ ଗୁମର କଥା, ରୋହିତ ତିୱାରୀଙ୍କ ହତ୍ୟା ପଛରେ ସ୍ତ୍ରୀ ଅପୂର୍ବା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ନାରାୟଣ ଦତ୍ତ ତିୱାରୀଙ୍କ ପୁଅ ରୋହିତ ଶେଖରଙ୍କ ମୃତ୍ୟୁ ଘଟଣାରେ ପୁଲିସ ଆଜି ତାଙ୍କ ପତ୍ନୀ ଅପୂର୍ବା ତିୱାରୀଙ୍କୁ ଗିରଫ କରିଛି। ରବିବାର ଦିନ ଅପୂର୍ବାଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ରୋହିତଙ୍କ ମୃତ୍ୟୁ ବାବଦରେ ପଚରା ଉଚରା କରିବା ପରେ ସେ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ ପ୍ରକାଶ କରିଥିଲା। ଶେଷରେ ଆଜି ତାଙ୍କୁ ଗିରଫ କରାଯାଇଛି।

 

ଏପ୍ରିଲ ୧୬ ତାରିଖରେ ରୋହିତ ତିୱାରୀଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା ଆଲୋଚନା ହେଉଥିଲା। ହେଲେ ଶବ ବ୍ୟବଚ୍ଛେଦ ହେବା  ପରେ ରୋହିତଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଏହାପରେ ଏହି ହତ୍ୟା ଘଟଣାର ତଦନ୍ତ ଭାର ଦିଲ୍ଲୀ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

 

ସୂଚନାଯୋଗ୍ୟ, ରୋହିତ ଦ୍ବିତୀୟ ପର୍ଯାୟ ନିର୍ବାଚନରେ ଭୋଟ ଦେବା ପାଇଁ ଉତ୍ତରାଖଣ୍ଡ ଯାଇଥିଲେ। ମତଦାନ ସାରି ସେ ଘରକୁ ଫେରିଥିଲେ। ଏବଂ ସକାଳେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ତେବେ ମୃତଦେହ ଉଦ୍ଧାର ବେଳେ ନାକରୁ ରକ୍ତ ବାହାରିଥିବା ଦେଖିବାକୁ ମିଳିଥିଲା।

 

ସମ୍ପତ୍ତି ଲୋଭ ଓ ଅନୈତିକ ସମ୍ପର୍କ ଯୋଗୁ ଏହି ହତ୍ୟା ହୋଇଥିବା ଦିଲ୍ଲୀ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜାଣିବାକୁ ପାଇଛି। ଯେଉଁ ଦିନ ରାତିରେ ରୋହିତଙ୍କ ମୃତ୍ୟୁ ହୋଇଥିଲା ସେଦିନ ରୋହିତଙ୍କ ଶୋଇବା ରୁମକୁ ତାଙ୍କ ସ୍ତ୍ରୀ ଅପୂର୍ବା ଯାଇଥିଲେ ବୋଲି ପୁଲିସ ତଦନ୍ତ ବେଳେ ସ୍ୱୀକାର କରିଥିଲେ। ହେଲେ ଏହା ପରେ ପୁଲିସ ପଚାରିଥିବା କିଛି ପ୍ରଶ୍ନର ଉତ୍ତର ଅପୂର୍ବା ସ୍ପଷ୍ଟ ଭାବେ ଦେଇନଥିବା ଜଣାପଡ଼ିଛି। ତେଣୁ ରୋହିତଙ୍କ ହତ୍ୟା ପଛରେ ତାଙ୍କର ସ୍ତ୍ରୀ ଅପୂର୍ବାଙ୍କର ହାତ ଥାଇପାରେ ବୋଲି ଦିଲ୍ଲୀ କ୍ରାଇମବ୍ରାଞ୍ଚ ସନ୍ଦେହ ପ୍ରକାଶ କରିଥିଲା।

 

ରୋହିତଙ୍କ ରୁମରେ ସିସିଟିଭି ସେଦିନ କାମ କରୁନଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଯେଉଁ ଦିନ ରୋହିତଙ୍କ ମୃତ୍ୟୁ ହୋଇଥିଲା ସେହିଦିନ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ମାତ୍ର ୩ ଜଣ ଉପସ୍ଥିତ ଥିଲେ। ଅପୂର୍ବା ତାଙ୍କ ଗାଡ଼ି ଡ୍ରାଇଭର ଅଖିଲେଶ ଏବଂ ଘର କାମ ପାଇଁ ନିୟୋଜିତ ଥିବା ଗୋଲୁ ନାମକ ଜଣେ ବ୍ୟକ୍ତି।

 

ତେବେ ରୋହିତଙ୍କୁ କେମିତି ହତ୍ୟା କରାଯାଇଛି, ସେ ନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଫରେନସିକ ରିପୋର୍ଟ ଆସିବା ପରେ ହତ୍ୟା ଘଟଣାର ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ଜଣେ ଅଫିସର କହିଛନ୍ତି।

 

ମେଡ଼ିକାଲ ରିପୋର୍ଟ ଅନୁଯାୟୀ ରୋହିତ ତିୱାରୀ ପ୍ରତିଦିନ ଶୋଇବା ପୂର୍ବରୁ ନିଦ ଟାବଲେଟ ସେବନ କରୁଥିଲେ। ରୋହିତଙ୍କ ମୃତ୍ୟୁ ଦିନ ସେ ମଦ ମଧ୍ୟ ପିଇଥିଲେ ବୋଲି ଜଣାପଡ଼ିଛି। ଅତ୍ୟଧିକ ମଦ ପିଇଥିବା କାରଣରୁ ମୃତ୍ୟୁ ହୋଇ ଥାଇପାରେ ବୋଲି ମଧ୍ୟ ଦିଲ୍ଲୀ କ୍ରାଇମବ୍ରାଞ୍ଚ ସନ୍ଦେହ ପ୍ରକାଶ କରିଛି।

 

ସେପଟେ ରୋହିତଙ୍କ ମାଆ ଉଜ୍ଜଳା କହିଥିଲେ, ରାଜୀବ ନାମକ ଜଣେ ସମ୍ପର୍କୀୟ ଭାଇକୁ ସମ୍ପତ୍ତିର କିଛି ଭାଗ ଦେବା ପାଇଁ ରୋହିତ ନିଷ୍ପତ୍ତି ନେଇଥିଲେ। ଏହି ଜମି ଓ ଘର ସୁପ୍ରିମକୋର୍ଟ ନିକଟସ୍ଥ ଅଞ୍ଚଳରେ ରହିଛି। ଯେଉଁଠିକି ଅପୂର୍ବା କାମ କରୁଛନ୍ତି। ତେଣୁ ଏହାକୁ ନିଜ ପାଖରେ ରଖିବା ପାଇଁ ରୋହିତଙ୍କ ସ୍ତ୍ରୀ ଅପୂର୍ବା ଦାବି କରି ଆସୁଥିଲେ। ତେଣୁ ସମ୍ପର୍କୀୟ ଭାଇଙ୍କୁ ସେହି ଜମି ଓ ଘର ଦେବା ପାଇଁ ରୋହିତଙ୍କ ନିଷ୍ପତ୍ତିକୁ ଅପୂର୍ବା ବିରୋଧ କରିଥିଲେ। ରାଜୀବ ହେଉଛନ୍ତି ସ୍ବର୍ଗତ ନାରାୟଣ ଦତ୍ତଙ୍କ ଜଣେ ନିକଟତମ ବ୍ୟକ୍ତି, ଯିଏକି ଦୀର୍ଘ ୪୦ ବର୍ଷ ହେବ ରୋହିତଙ୍କ ବାପାଙ୍କ ସହିତ ଥିଲେ।

 

ଏମିତିକି ରୋହିତଙ୍କ ମା’ ଉଜ୍ଜଳା ଅଭିଯୋଗ କରିଥିଲେ ଯେ ରୋହିତଙ୍କ ସହ ବିବାହ ପୂର୍ବରୁ ଅପୂର୍ବାଙ୍କର ଜଣେ ପୁଅଙ୍କ ସହିତ ସମ୍ପର୍କ ରହିଥିଲା। ଅପୂର୍ବା ଦକ୍ଷିଣ ଦିଲ୍ଲୀରେ ରୋହିତଙ୍କ ସହ ରହୁଥିଲେ। ତାଙ୍କ ବାପା ଓ ମାଆଙ୍କ ପାଇଁ ଏକ ଘର ନିର୍ମାଣ କରିବା ପାଇଁ ରୋହିତଙ୍କ ପାଖରେ ଦାବି କରିଥିଲେ। ଉଭୟ ରୋହିତ ଓ ଅପୂର୍ବା ସହମତି ଭିତରେ ଛାଡ଼ପତ୍ର ଦେବା ପାଇଁ ରାଜି ହୋଇଥିଲେ। ହେଲେ ଅପୂର୍ବା କୌଣସି କାରଣରୁ ଏହାକୁ ବିଳମ୍ବ କରାଉଥିବା ରୋହିତଙ୍କ ମାଆ କହିଥିଲେ। ବିବାହର ଦ୍ବିତୀୟ ଦିନରୁ ସମ୍ପର୍କୀୟ  ଭାଇ ରାଜୀବଙ୍କ ସ୍ତ୍ରୀଙ୍କ ସହ ରୋହିତଙ୍କର ସମ୍ପର୍କ ଥିବା ଅପୂର୍ବା ସନ୍ଦେହ କରୁଥିଲେ। ଏମିତିକି ବିବାହର କିଛି ଦିନ ପରେ ରୋହିତଙ୍କ ମାଆଙ୍କ ସହିତ ଅପୂର୍ବା କଥାବାର୍ତ୍ତା କରୁନଥିଲେ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2W87pzm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages