
ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି। ପାଣିପାଗ ବିଶେଷଜ୍ଞଙ୍କ ପକ୍ଷରୁ ଏହାର ନାଁ ‘ଫନି’ ରଖାଯାଇଛି। ବାତ୍ୟା ‘ଫନି’ ବର୍ତ୍ତମାନ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବା ଆରମ୍ଭ କରିଛି। ଏହା ଚେନ୍ନାଇ ଠାରୁ ୧୨୪୦ କିମି ଦକ୍ଷିଣ ପୂର୍ବ ଓ ମଚ୍ଛିଲିପଟନମଠାରୁ ୧୪୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଫନି ଆହୁରି ଘନୀଭୂତ ହୋଇ ଭୟଙ୍କର ରୂପ ଧାରଣ କରିବାର ସମ୍ଭାବନା ରହିଛି।
ସେହିପରି ଏହି ଭୀଷଣ ବାତ୍ୟା ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଶ୍ରୀଲଙ୍କା ଉପକୂଳ ମଧ୍ୟ ଦେଇ ୩୦ ତାରିଖ ସୁଦ୍ଧା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଏହାର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ, ତାହା ଏଯାଏ ସ୍ପଷ୍ଟ ହୋଇନି। ତେବେ ମେ’ ୩ ତାରିଖ ରାତିରେ ଏହା ଚନ୍ଦ୍ରଭାଗା ଉପକୂଳ ଦେଇ ଗତି କରିବ ବୋଲି ଆକଳନ କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ୧୧.୩୦ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟା ଫନିର ରୂପ ନେଇଥିଲା। ବାତ୍ୟା ଫନିର ପ୍ରଭାବରେ ଆସନ୍ତା ୨୯ ତାରିଖରୁ ତାମିଲନାଡୁ, କେରଳ ଓ ଆନ୍ଧ୍ର ପ୍ରଦେଶରେ ବର୍ଷା ଆରମ୍ଭ ହେବ। ଫନି ଯେତିକି ପାଖକୁ ଆସିବ ବର୍ଷା ସହ ପବନର ବେଗ ମଧ୍ୟ ସେତିକି ବୃଦ୍ଧି ପାଇବ।
ଫନି ପ୍ରଭାବରେ ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ଘଣ୍ଟା ପ୍ରତି ୭୦ରୁ ୮୦ କିମି ରହିପାରେ। କିନ୍ତୁ ଶ୍ରୀଲଙ୍କାର ଗାଲେରେ ପବନର ବେଗ ୧୦୦ରୁ ୧୧୦ କିମି ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଜିଠାରୁ ଶ୍ରୀଲଙ୍କାରେ ଫନିର ପ୍ରଭାବ ଦେଖିବାକୁ ମିଳିଛି। କିଛି ସ୍ଥାନରେ ବର୍ଷା ଓ ପବନ ମଧ୍ୟ ହୋଇଛି। ଆସନ୍ତାକାଲି ଏହାର ପରିମାଣ ବୃଦ୍ଧି ପାଇପାରେ।
୨୯ ତାରିଖ ରାତିରେ ତାମିଲନାଡୁ ଓ ପୁଡ଼ୁଚେରୀରେ ଫନିର ପ୍ରଭାବ ପଡ଼ିବା ଆରମ୍ଭ ହେବ। ଏଠାରେ ପବନର ବେଗ ଘଣ୍ଟା ପ୍ରତି ୧୪୫ରୁ ୧୫୫ କିମି ଓ ବେଳେବେଳେ ୧୭୦ କିମି ରହିବ ବୋଲି ମଧ୍ୟ ବିଭାଗ ଆକଳନ କରିଛି। ତାମିଲନାଡୁ ଓ ପୁଡ଼ୁଚେରୀ ବ୍ୟତୀତ ଦକ୍ଷିଣ ଆନ୍ଧ୍ର ପ୍ରଦେଶରେ ମଧ୍ୟ ଫନିର ତାଣ୍ଡବ ଦେଖିବାକୁ ମିଳିପାରେ। ଫନିର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆସନ୍ତାକାଲି ଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସେହିପରି ମାଛ ମାରିବାକୁ ଗଭୀର ସମୁଦ୍ରକୁ ଯାଇଥିବା ଧୀବରମାନଙ୍କୁ ତୁରନ୍ତ ଫେରିଆସିବାକୁ ବିଭାଗ ପକ୍ଷରୁ କୁହାଯାଇଛି।
from Odisha Reporter http://bit.ly/2VCurRX
No comments:
Post a Comment