
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ପ୍ରଚାର ସରିଛି। ହେଭିୱେଟ ନେତା, ହାଇଭୋଲଟେଜ୍ କ୍ୟାମ୍ପେନ୍ ଓ ହାଇଟେକ୍ ପ୍ରଚାରରେ ଆଜି ଲାଗିଛି ବ୍ରେକ୍। ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଦେଖିବାକୁ ମିଳିଛି ଏଭଳି କ୍ୟାମ୍ପେନ୍। ଗାଁରୁ ସହର, ସବୁଠି ନିର୍ବାଚନ ମାହୋଲ ସରଗରମ ଥିବା ବେଳେ ସାରା ଓଡ଼ିଶାରେ ଶୀର୍ଷରେ ଥିଲା ପ୍ରଚାର ପାରା।
ପ୍ରଥମ ଥର ପାଇଁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବା ନେଇ ଘୋଷଣା ହୋଇଥିଲା। ଆଉ ସେହି ଅନୁସାରେ ନିର୍ବାଚନ କ୍ୟାମ୍ପେନ୍ ଷ୍ଟ୍ରାଟେଜି କରିଥିଲେ ସବୁ ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ୮ଟି ସଭା ଓ ଗୋଟିଏ ରୋଡ୍ ଶୋ’ କରିଥିଲେ। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟରେ ୮ଟି ସଭା ଓ ଦୁଇଟି ରୋଡ୍ ଶୋ’ କରିଥିଲେ।
ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତୀନ ଗଡ଼କରୀଙ୍କ ସମେତ ୮ଜଣ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସର୍ବାଧିକ ୧୧୭ ବିଧାନସଭା ନିର୍ବାଚନମଣ୍ଡଳୀରେ ସଭା କରି ଭୋଟ୍ ଭିକ୍ଷା କରିଥିଲେ। ଏହାବ୍ୟତୀତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବାର ଦାସ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଦଳ ପାଇଁ ପ୍ରଚାର କରିଥିଲେ।
ସେପଟେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ନିର୍ବାଚନ ପ୍ରଚାର ପାଇଁ ମାତ୍ର ଥରେ ଓଡ଼ିଶା ଆସିଥିଲେ। ସେହିପରି ବରିଷ୍ଠ କଂଗ୍ରେସ୍ ନେତା ଗୁଲାମ ନବୀ ଆଜାଦ, ୟୁପି କଂଗ୍ରେସ୍ ମୁଖ୍ୟ ରାଜ ବବ୍ବର, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବାଘେଲ ଓ ମନ୍ତ୍ରୀ ଟି.ଏସ୍. ସିଂହଦେଓ ପ୍ରମୁଖ ପ୍ରଚାର ସଭା କରିଥିଲେ।
ପ୍ରଥମ ଥର ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିନ୍ନ ଢଙ୍ଗରେ ପ୍ରଚାର କରିଥିଲେ। ହାଇଟେକ୍ ବସ୍ରେ ବୁଲି ୧୪୦ରୁ ଅଧିକ ନିର୍ବାଚନ ମଣ୍ଡଳୀରେ ରୋଡ୍ ଶୋ ଓ ସଭା କରିଥିଲେ ନବୀନ। କିଛି ନିର୍ବାଚନମଣ୍ଡଳୀରେ ବଲିଉଡ୍ ଷ୍ଟାର ମଧ୍ୟ ବିଜେଡି ପାଇଁ ପ୍ରଚାର କରିଥିଲେ।
ତେବେ ଏ ସବୁ ପ୍ରଚାର ଶୈଳୀ ଭୋଟରଙ୍କ ଉପରେ କେତେ ପ୍ରଭାବ ପକାଇଛି, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସଚେତନ ଭୋଟର ଦଳର ନେତା ଓ ପ୍ରାର୍ଥୀଙ୍କୁ ଦେଖି ଭୋଟ୍ ଦେଇଛନ୍ତି ନା କ୍ୟାମ୍ପେନ ଦ୍ୱାରା ପ୍ରଭାବିତ ହୋଇଛନ୍ତି, ତା ଉପରେ ଏବେ ନଜର ରହିଛି। ତେବେ ନିର୍ବାଚନ ବେଳେ ପ୍ରସଙ୍ଗ ଭିତ୍ତିକ ପ୍ରଚାର ବଦଳରେ ଆରୋପ-ପ୍ରତ୍ୟୋରୋପ ଅଧିକ ଦେଖିବାକୁ ମିଳିଥିଲା।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ୨୯ ତାରିଖରେ ହେବ। ଆଉ ମେ’ ୨୩ରେ ଫଳାଫଳ ଆସିବା ପରେ ହିଁ ଜଣାପଡିବ କେଉଁ ଦଳର ପ୍ରଭାବ ଲୋକଙ୍କ ଉପରେ ଅଧିକ ପଡ଼ିଛି।
from Odisha Reporter http://bit.ly/2UHW1sq
No comments:
Post a Comment