ନବୀନ ବାବୁ ! ତୁମେ ଭଲ ଯେ … - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

ନବୀନ ବାବୁ ! ତୁମେ ଭଲ ଯେ …

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ବାବୁ ତୁମେ ଭାରି ଭଲ। ଖାଲି ବିଜୁ ବାବୁଙ୍କ ପୁଅ ବୋଲି ନୁହଁ, ଗରିବ ଓଡ଼ିଆଙ୍କ ପ୍ରତି ତୁମ ଅବଦାନକୁ ଦେଖି ଆମେ ଏମିତି କହିଲୁ। ତୁମର ସବୁ ଭଲ ଯେ, ବଙ୍କା ତୁଣ୍ଡିଆ ଦୋଷଟା ଯାହା ଅଛି । କହିଲ ଦେଖି, ୨ ପଦ ଓଡ଼ିଆ କହୁଥିଲେ ଏ ବିରୋଧୀ କ’ଣ ଏମିତି ଚିଲ୍ଲଉଥାଆନ୍ତା ନା’ କ’ଣ ?

ସେଇ ଟିକକ ଦୋଷ ତୁମର।

ଅବଶ୍ୟ ସେଥିରେ କୋଉ କାମଟା ଅଟକି ଯାଉଛି ଯେ ?

ତୁମେ ବ୍ୟସ୍ତ ହୁଅନି। ତେଣୁ ତୁମକୁ ଭୋଟ ଦେବୁନି ତ କାହାକୁ ଦେବୁ ? ତୁମେ ଯଦି ଓଡ଼ିଶାର ୧୪୭ ଆସନରୁ ଠିଆ ହୋଇ ପାରନ୍ତ ତେବେ ଆମେ ଓଡ଼ିଶାବାସୀ ତୁମକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରି ଦିଅନ୍ତୁ। ଏକଥା ପକ୍କା । ହେଲେ ତୁମ ଦଳରେ ପା’ ପୁଞ୍ଜା ପୁଞ୍ଜା ଅଡୁଆ।

ସତ କଥାଟା ହଉଛି, ତୁମେ ଯଦି ୧୪୭ ଆସନରେ ଛିଡ଼ା ହୁଅନ୍ତ, ତେବେ ଏତେ ଗଣ୍ଡଗୋଳ ହୁଅନ୍ତା ନାହିଁ। କାରଣ ସମସ୍ତେ ତୁମକୁ ହିଁ ଭୋଟ ଦିଅନ୍ତେ। ହେଲେ ତୁମ ଦଳର ଅନ୍ୟ ନେତାଙ୍କ କଥା ତୁମେ ଜାଣନି। ଜଣେଇଲେ ବି ବୁଝି ପାରନି। ସେଥିପାଇଁ ଆମ ଦ୍ୱନ୍ଦ୍ୱରେ ପଡୁ। ଏଇ ରାଗରେ ଇଆଡ଼େ ସିଆଡ଼େ ହାତ ପଡ଼ିଲେ, ଇଏ କି ସିଏ ଜିତିଯାନ୍ତି।

ନିର୍ବାଚନ ଋତୁ ଆସିଲେ, କାହାକୁ ମାଡ଼ ଉପହାର ମିଳେ ତ କାହାକୁ ମର୍ଡର କରି ତା’ ପରିବାରକୁ ଉପହାର ପଠାଯାଏ। ଆମ ଓଡ଼ିଶାର ଅବସ୍ଥା ଏମିତି ହେଲାଣି ଯେ, ଭୋଟର ଭୋଟ ଦେଲେ ମଲେ। ନ ଦେଲେ ବି ମଲେ। ସମସ୍ତେ କହୁଛନ୍ତି ଭଲ ନେତା ବାଛ। ସତ କହିଲେ, ହଇଓ ଭଲ କିଏ?

ନବୀନ ବାବୁ ! ତୁମେ ଗରିବ ଓଡ଼ିଆଙ୍କ ପାଇଁ କ’ଣ କରିଛ ସେକଥା କହିବା ଦରକାର ନାହିଁ। କାରଣ ଏସବୁର ତାଲିକା ତୁମେ ଆଜିକାଲି ସବୁ ନିର୍ବାଚନୀ ସଭାରେ ଓଗାଳୁଛ। ଗରିବଙ୍କ ପାଇଁ ତୁମେ ଯୋଉ ବିଜୁ ପକ୍କା ଘର ଦେଇଛ, ଏଠି ଟଙ୍କା ନ ଦେଲେ ସେଇ ତାଲିକାରେ ଆମ ନାଁ ଉଠୁନି। ଟଙ୍କା ମିଳିବା କାର୍ଯ୍ୟକ୍ରମ ଆହୁରି ଜଟିଳ। ବିଡିଓଙ୍କଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନ ନ ତୋଷିଲେ ସେ ଟଙ୍କା ଆମ ପକେଟକୁ ଆସେନି। ସମସ୍ତେ ଜାଣନ୍ତି, ଏସବୁ ତୁମେ କରୁନ। କିନ୍ତୁ ତୁମ ନେତା ତ କରୁଛନ୍ତି…! କାରଣ ପଞ୍ଚାୟତରୁ ପାର୍ଲାମେଣ୍ଟ ସବୁଠି ପା ବିଜେଡି ନେତାଙ୍କ ହାତରେ କ୍ଷମତା !

ଟଙ୍କିକିଆ ଚାଉଳ ଦେଲ। ଶସ୍ତାରେ ଅନ୍ତତଃ ଚାଉଳ ମିଳିଗଲେ ଗରିବ ଓଡ଼ିଆ ଉପାସରେ ମରିବ ନାହିଁ ! ହେଲେ ତୁମ ଚାଉଳ କେତେ ଗରିବଙ୍କ ପାଖରେ ପହଞ୍ଚିଲା ତୁମେ ଜାଣିଛ କି ? ବରଂ ଏମିତି ଗରିବଙ୍କ ପାଖରେ ପହଞ୍ଚିଲା ଯେ, ସେମାନଙ୍କ ଜୀବନ ସେଇ ଭାତ ହାଣ୍ଡିରେ ସୀମିତ ରହିଗଲା। କାରଣ ଏତେ ସହଜରେ ଚାଉଳ ମିଳିଗଲା ପରେ ସେମାନେ ଭାତ ସାଙ୍ଗକୁ ଆଉ ତରକାରୀ ଯୋଗାଡ଼ କରିବାକୁ ମନ କଲେନି। ଘରେ ବସି ବସି ଭାତ ଖାଇ ନିଜକୁ ଭାଗ୍ୟବାନ ମନେ କଲେ। ସେତିକି ନୁହେଁ, କେତେ ସରକାରୀ ଚାକିରିଆ, ଧନୀ ବେପାରୀଙ୍କ ହାଣ୍ଡିରେ ତୁମ ଟଙ୍କିକିଆ ଚାଉଳ ପଡୁଛି, ତୁମେ କ’ଣ ଜାଣିବ ?

ଏସବୁ ଖବର ତୁମ ନେତାଙ୍କ ପାଖରେ ଅଛି ।  ଅଥଚ ଯେଉଁ ଗରିବ, ଅସହାୟଙ୍କୁ ଏଇ ଚାଉଳ ମିଳିଥିଲେ ସେମାନେ ପ୍ରକୃତରେ ଉପାସ ରହି ନ ଥାନ୍ତେ ସେମାନଙ୍କ ପାଖରେ ପହଞ୍ଚିଲା ନାହିଁ।  ହେଲେ ଏଥିରେ ତୁମର ଦୋଷ କ’ଣ ?

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗରିବ ଲୋକଙ୍କ ଚିକିତ୍ସା ପାଇଁ ଏତେ ଟଙ୍କା ଦଉଛ। ଏହି ଯୋଜନା ଟଙ୍କା ତ ନୁହଁ, ରୋଗାକ୍ରାନ୍ତ ଗରିବଙ୍କୁ ନୂଆ ଜୀବନ ଦେଉଛି। ହେଲେ ତୁମେ ଜାଣନି, ଏହି ଟଙ୍କା ପାଇବା ପାଇଁ ଗରିବ ରୋଗୀଟି ତାର କାଗଜପତ୍ର, ପ୍ରମାଣ ଯୋଗାଡ଼ କରିବା ଭିତରେ କେତେବେଳେ ଆରପାରିକୁ ଚାଲି ଯାଉଛି। ହଁ, ତୁମ ନେତାଙ୍କୁ ଧରିଲେ ଏସବୁ କାମ ଅବଶ୍ୟ ଶୀଘ୍ର ହୋଇଯିବ। ହେଲେ ସେଥିରୁ କିଛି ପିସି ତ ତାଙ୍କୁ ଦେବାକୁ ପଡ଼ିବ ନା! ସେମାନେ କ’ଣ ମାହାଳିଆକୁ କରିଦେବେ ?

ଏବେ କାଳିଆ ଯୋଜନାରେ ଟଙ୍କା ବାଣ୍ଟୁଛ । ସେ ଟଙ୍କା ସବୁ ଚାଷୀଙ୍କ ପାଖକୁ ଯାଉଛି। ହେଲେ ସେ ଟଙ୍କା ଚାଷ ଜମିକୁ ଯାଉଛି କି ନାହିଁ ତୁମେ ଜାଣନା। ସେହି ଟଙ୍କାରେ କିଏ ଘରକୁ ଟିଭି ନେଇ ଆସିଲାଣି ତ କିଏ ସ୍ତ୍ରୀ ପାଇଁ ଶାଢ଼ୀ ଆଣିଲାଣି। କିଏ ପୁଣି ଝିଅ ପାଇଁ ଡ୍ରେସ। ଜମି ଯେମିତି ଶୁଖିଲା ପଡ଼ିଥିଲା,  ସେମିତି ଶୁଖିଲା ପଡ଼ିଛି ।

ସବୁ ଭୋଟର ଜାଣନ୍ତି, ତୁମ ଉଦ୍ଦେଶ୍ୟ ଭଲ। ସେଥିପାଇଁ ଏତେ ଯୋଜନା କରୁଛ। ହେଲେ ଯୋଜନାକୁ ଯିଏ କାର୍ଯ୍ୟକାରୀ କରୁଛି, ସେମାନଙ୍କୁ ତୁମେ କେମିତି ଜାଣିବ ? ଓଡ଼ିଆ ଟିକିଏ କହି ପାରୁଥିଲେ, ବୁଝି ପାରୁଥିଲେ ହୁଏତ ଏସବୁ କେଉଁଠୁ ପଢ଼ି, ଶୁଣି ଜାଣି ପାରନ୍ତ। କିନ୍ତୁ ଏହା ତ ତୁମ ଦ୍ୱାରା ସମ୍ଭବ ନୁହେଁ। ୧୯ ବର୍ଷ କ୍ଷମତାରେ ରହିବା ପରେ ତୁମେ ଚାହୁଁଛ ଓଡ଼ିଆଙ୍କ ପାଇଁ ଆହୁରି କିଛି ବାକି ରହିଗଲା କରିବାକୁ। ଏଥର କ୍ଷମତାକୁ ଆସିଲେ ପୁଣି କରିବ ବୋଲି କହୁଛ । ହେଲେ ତୁମ ନେତାମାନେ ୧୯ ବର୍ଷ ଭିତରେ ଭାବୁଛନ୍ତି ଆମ ହାତ ବହୁତ ଲମ୍ବିଗଲା, ଆମେ ଯାହା ଇଚ୍ଛା ତାହା କରିପାରିବୁ। ସେମାନଙ୍କ ଉତ୍ପାତ ଆଉ ସହି ହେବନି । ଧମକ, ଚମକ, ଗାଳିଗୁଳି ଦେଇ ଯାହା ଚାହୁଁଛନ୍ତି ତାହା କରୁଛନ୍ତି। ସେମାନଙ୍କ ଉତ୍ପାତରେ ଭୋଟର ଅତିଷ୍ଠ ହୋଇ ପଡ଼ିଲେଣି।

ତେଣୁ ତୁମ ଯଦି ସବୁ ବିଧାନସଭା ଆସନରେ ଠିଆ ହୁଅନ୍ତ, ତେବେ ଆମେ ତୁମକୁ ନିଶ୍ଚୟ ଭୋଟ ଦିଅନ୍ତୁ । ସତରେ ତୁମେ ଭାରି ଭଲ ଯେ… ।

ଇତି,

ଓଡ଼ିଆ ପୁଅ



from Odisha Reporter http://bit.ly/2UT1mC2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages