ଆସ୍କା ଲୋକସଭା ଗଣିତ: ବାଜି ମାରିପାରନ୍ତି ସିପିଆଇ ପ୍ରାର୍ଥୀ, ଭିତରେ ଭିତରେ ବିଜେଡି ବି ଦେଉଛି ସମର୍ଥନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ଆସ୍କା ଲୋକସଭା ଗଣିତ: ବାଜି ମାରିପାରନ୍ତି ସିପିଆଇ ପ୍ରାର୍ଥୀ, ଭିତରେ ଭିତରେ ବିଜେଡି ବି ଦେଉଛି ସମର୍ଥନ !

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫ଟି ଲୋକସଭା ନିର୍ବାଚନମଣ୍ଡଳୀରେ ଆଜି ପ୍ରଚାର ଶେଷ ହୋଇଛି। ସେଗୁଡ଼ିକ ହେଲା- ଆସ୍କା, ବରଗଡ଼, ବଲାଙ୍ଗିର, କନ୍ଧମାଳ ଓ ସୁନ୍ଦରଗଡ଼।

ଏହି ଆସନ ଗୁଡ଼ିକ ମଧ୍ୟରୁ ଆସ୍କା ଟିକିଏ ଅଧିକ ଗୁରୁତ୍ୱ ରଖୁଛି। କାରଣ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜିଲ୍ଲା ଅଧୀନରେ ଆସୁଛି ଏବଂ ଏଠି ବିଜେଡି ଯାହାଙ୍କୁ ପ୍ରାର୍ଥୀ କରିଛି, ତାଙ୍କୁ ନେଇ ନିଜେ ନବୀନ ଓ ତାଙ୍କ ଦଳ ଅନେକ କ୍ରେଡିଟ୍ ନେଇଛି। ସାଧାରଣ ନାରୀଟିଏକୁ ସଶକ୍ତ କରିବାକୁ ବିଜେଡି ପ୍ରୟାସ କରିଛି, ଏଇ କ୍ରେଡିଟ୍ ନେବାକୁ ବିଜେଡି ଖବରଟିକୁ ଖୁବ୍ ହାଇପ୍ କରିଥିଲା। କିନ୍ତୁ ଏହା ହିଁ ଏବେ ବିଜେଡି ପାଇଁ କାଳ ହୋଇଛି।

ଆସ୍କା ଲୋକସଭା ଆସନରେ ଏବେ ପ୍ରାର୍ଥୀ ହେଲେ ୭ ଜଣ। ହେଲେ ବାସ୍ତବ ଲଢ଼େଇ ହେଉଛି ସିପିଆଇର ଯୁବନେତା ରାମକୃଷ୍ଣ ପଣ୍ଡା, ବିଜେଡିର ‘ମହିଳା ମୁଖୋଟା’ ପ୍ରମିଳା ବିଷୋୟୀ ଏବଂ ବିଜେପିର ଅନିତା ଶୁଭଦର୍ଶିନୀଙ୍କ ମଧ୍ୟରେ। ରାଜନୈତିକ ବିଶ୍ଳେଷକଙ୍କ ଅନୁଯାୟୀ, ନେତୃତ୍ୱ ଓ ରାଜନୀତି ଦୃଷ୍ଟିରୁ ଦେଖିଲେ ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଦକ୍ଷ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା।

ଅନ୍ୟ ଦୁଇଜଣ ରାଜନୀତିରେ ନୂଆ। ପ୍ରଥମଥର ପାଇଁ କେବଳ ଭୋଟ୍ ରାଜନୀତି ପାଇଁ ମୈଦାନକୁ ଓହ୍ଲାଇଛନ୍ତି। ପ୍ରମିଳା ବିଷୋୟୀଙ୍କୁ ଯେତେବେଳେ ପ୍ରାର୍ଥୀ କରାଗଲା, ବିଜେଡି ସେତେବେଳେ ବହୁତ ପ୍ରଚାର କରିଥିଲା ଯେ, ଜଣେ ସାଧାରଣ ମହିଳାଙ୍କୁ କିପରି ପାର୍ଲାମେଣ୍ଟରେ ପହଞ୍ଚାଇ ହୁଏ ତାହା ବିଜେଡି କରି ଦେଖାଇବ। କିନ୍ତୁ ବିଶ୍ଳେଷକଙ୍କ ଯୁକ୍ତି ଥିଲା, ବିଜେଡିର ଏହି ସ୍ଲୋଗାନ କାନକୁ ସୁନ୍ଦର ଶୁଭୁଥିଲେ ମଧ୍ୟ, ବାସ୍ତବରେ ଏହାଦ୍ୱାରା ଓଡ଼ିଶାର କ୍ଷତି ହେବ। କାରଣ ଦିଲ୍ଲୀ ଦରବାରରେ ଓଡ଼ିଶାର ହକ୍‌ ଛଡେଇ ଆଣିବାକୁ ହେଲେ ଆହୁରି ଅଧିକ ଦକ୍ଷତା ଦରକାର।

ସେହିପରି ବିଜେପିର ଅନୀତା ଶୁଭଦର୍ଶିନୀ ରାଜନୀତିରେ ନୂଆ। ତାଙ୍କ ବାପା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପଦାଙ୍କ ଅନୁସରଣ କରି ସେ ଆସିଛନ୍ତି ରାଜନୀତିକୁ। କିନ୍ତୁ ଗଂଜାମ ଜିଲ୍ଲାରେ ବିଜେପିର ତୃଣମୂଳ ସ୍ତରରେ ସଂଗଠନ ଦୁର୍ବଳ ହୋଇଥିବାରୁ ତାଙ୍କ ବିଜୟ ନେଇ ଆଶଙ୍କା ରହିଛି। ୨୦୧୪ ନିର୍ବାଚନରେ ବି ଏଠାରେ ଦଳର ପ୍ରଦର୍ଶନ ଏତେଟା ଭଲ ନଥିଲା। ବିଜେପି ପ୍ରାର୍ଥୀ ମହେଶ ମହାନ୍ତି ତୃତୀୟ ସ୍ଥାନରେ ରହିଥିଲେ। ପାଇଥିବା ଭୋଟ୍ ପରିମାଣ ମଧ୍ୟ ନଗଣ୍ୟ ଥିଲା।

ସବୁଦୃଷ୍ଟିରୁ ଦେଖିଲେ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କ ପଲା ଭାରି ରହିଛି। ନିର୍ବାଚନମଣ୍ଡଳୀର ବୁଦ୍ଧିଜୀବୀଙ୍କର ମଧ୍ୟ ମତ ରାମକୃଷ୍ଣଙ୍କ ସପକ୍ଷରେ ରହିଛି। ଏପରିକି ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ ରାମକୃଷ୍ଣଙ୍କୁ ସ୍ୱୀକାର କରୁଛନ୍ତି। କିଛି କିଛି ଜାଗାରେ ଚର୍ଚ୍ଚା ହେଉଛି, ଅଧିକାଂଶ ଭୋଟର ବିଜେଡି ଓ ବିଜେପି ପ୍ରତି ଆନୁଗତ୍ୟ ରଖିଥିଲେ ବି, ରାମକୃଷ୍ଣଙ୍କୁ ତାଙ୍କ ଭୋଟ୍‌ ଖଣ୍ଡକ ଦେବେ। ସିପିଆଇ ଏଠି କଂଗ୍ରେସ ସହିତ ନିର୍ବାଚନୀ ମେଣ୍ଟ କରିଥିବାରୁ, କଂଗ୍ରେସ ଭୋଟ୍ ମଧ୍ୟ ରାମକୃଷ୍ଣଙ୍କୁ ହିଁ ମିଳିବ।

ଏଠି ସୂଚନା ଦେବାକୁ ଚାହୁଁଛୁ ଯେ, ଗଂଜାମ ଜିଲ୍ଲାର ଅନେକ ଅଂଚଳରେ ବାମପନ୍ଥୀଙ୍କର ରାଜନୈତିକ ପ୍ରଭାବ ରହିଛି। ୧୯୭୧ ମସିହାରେ ଆସ୍କା ଲୋକସଭା ଆସନରୁ ସିପିଆଇର ଦ୍ୱୀତିକୃଷ୍ଣ ପଣ୍ଡା ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଛି ବିଧାନସଭା ଆସନରେ ବି ସିପିଆଇର ଭଲ ପ୍ରଭାବ ରହିଛି। ରାମକୃଷ୍ଣଙ୍କ ପ୍ରଚାର ସଭା ଓ ଶୋଭାଯାତ୍ରାରେ ମଧ୍ୟ ଲୋକସଂଖ୍ୟା ଆଖିଦୃଶିଆ ହେଉଛି।

ଏମିତି ବି ଚର୍ଚ୍ଚା ହେଉଛି, ରାମକୃଷ୍ଣଙ୍କୁ ବିଜେଡି ମଧ୍ୟ ଭିତରେ ଭିତରେ ସମର୍ଥନ ଦେଉଛି। ସେହି କାରଣରୁ ପ୍ରମିଳା ବିଷୋୟୀଙ୍କ ପରି ଦୁର୍ବଳ ପ୍ରାର୍ଥି ଦଳ ଏଠାରେ ଜାଣିଜାଣି ଛିଡ଼ା କରିଛି। ଯଦି ‘ଅଣ୍ଡର କରେଣ୍ଟ’ ଠିକ୍ ଠିକ୍ ରାମକୃଷ୍ଣଙ୍କ ସପକ୍ଷରେ ଯାଏ, ତେବେ ଆସ୍କା ଲୋକସଭା ଆସନରେ ପୁଣି ଲାଲ୍ ପତାକା ଉଡ଼ିବା ଏକପ୍ରକାର ସୁନିଶ୍ଚିତ।

୧୯୯୭ରେ ଏଠାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିଲେ। ସେବେଠାରୁ ୧୯ ବର୍ଷ ହେଲାଣି କିନ୍ତୁ ଆସ୍କାର ଆଖିଦୃଶିଆ ପରିବର୍ତ୍ତନ ହୋଇନି। ନବୀନ କେବଳ ଏହି ଆସନକୁ ନିଜ ଫାଇଦା ପାଇଁ ବ୍ୟବହାର କରିଛନ୍ତି। ତା ପରେ ଏଠାକାର ଲୋକଙ୍କ ଭୁଲି ଯାଇଛନ୍ତି।

ଏଠି ମୁଖ୍ୟତଃ ଚାଷୀଙ୍କ ସଂଖ୍ୟା ବେଶୀ। କିନ୍ତୁ ଚାଷ ପାଇଁ ପାଣି ନାହିଁ। ସେତେବେଳେ ମଧ୍ୟ ନବୀନ ସ୍ଲୋଗାନ ଦେଇଥିଲେ, ଚାଷ ବିଲକୁ ପାଣି। କିନ୍ତୁ ସ୍ଥିତି ଆଦୌ ବଦଳିନି। ସେହିପରି ଅନେକ ଗାଁରେ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ମିଳୁନି। ତେଣୁ ଭୋଟର ତ ଏମିତି ଅସନ୍ତୁଷ୍ଟ, ପୁଣି ପ୍ରମିଳା ବିଷୋୟୀଙ୍କ ପରି ଦୁର୍ବଳ ପ୍ରାର୍ଥୀ, ବିଜେଡି ସମର୍ଥକଙ୍କୁ ସଂପୂର୍ଣ୍ଣ ନିରୁତ୍ସାହିତ କରୁଛି। କେବଳ କ୍ଷମତା ଓ ଅର୍ଥ ବଳରେ ଏଠି ବିଜେଡି କର୍ମୀ ପ୍ରଚାର କରୁଛନ୍ତି। ହେଲେ କାହାରି ଆନ୍ତରିକତା ଦେଖିବାକୁ ମିଳୁନି।

ଏପରି ପରିସ୍ଥିତିରେ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ପୂରା ଗେମ୍‌କୁ ନିଜ ସପକ୍ଷରେ ନେଇଯାଇ ପାରନ୍ତି ବୋଲି ଚର୍ଚା ହେଉଛି।



from Odisha Reporter http://bit.ly/2UiKuj2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages