
କୋରାପୁଟ/ଗଜପତି(ଓଡ଼ିଶା ରିପୋର୍ଟର):ରାତି ପାହିଲେ ଭୋଟ୍। ତା’ପୂର୍ବରୁ ଚ୍ୟାଲେଞ୍ଜ ଦେଲେଣି ମାଓବାଦୀ। କୋରାପୁଟର ଲମତାପୁଟ ଏବଂ ଗଜପତି ଜିଲ୍ଲା ଅଡ଼ବା ଅଞ୍ଚଳରେ ଏକାଧିକ ଲ୍ୟାଣ୍ଡମାଇନ୍ସ ମିଳିବା ପରେ ଆଜି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ମାଓବାଦୀମାନେ ଭୋଟ୍ ବର୍ଜନର ଧମକ ଦେଇଛନ୍ତି। କେବଳ ଭୋଟବର୍ଜନ ନୁହେଁ, ଆସନ୍ତାକାଲି ବନ୍ଦ ଡାକରା ବି ଦେଇଛି ମାଓ ସଂଗଠନ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳରେ ବି ଭୋଟ ବର୍ଜନର ଧମକ ଦେଇ ପୋଷ୍ଟର ମାରିବା ସହ ନିଜର ଉପସ୍ଥିତି ଜାହିର କଲେଣି ମାଓବାଦୀ।
କିନ୍ତୁ ଏ ସବୁକୁ ଭୃକ୍ଷେପ ନକରି ଗଣତନ୍ତ୍ରର ସବୁଠୁ ବଡ଼ପର୍ବ ପାଇଁ ସବୁଠି ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଆକାଶପଥରେ ବାୟୁସେନାର ହେଲିକପ୍ଟର ଯୋଗେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ବୁଥକୁ ଯାଇଛନ୍ତି ପୋଲିଂ କର୍ମଚାରୀ। ସ୍ଥଳପଥରେ ସ୍ଥାନେ ସ୍ଥାନେ ସୁରକ୍ଷା କର୍ମୀ ଓ ସଶସ୍ତ୍ର ପୁଲିସ ଜାରିରଖିଛନ୍ତି କଡ଼ାକଡ଼ି ଯାଞ୍ଚ। ଆସନ୍ତାକାଲି ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନ୍ତର୍ଗତ ବ୍ରହ୍ମପୁର ଲୋକସଭା କ୍ଷେତ୍ର ସହ କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର ଅଧିକାଂଶ ଇଲାକା ମାଓପ୍ରଭାବିତ।
ଏହାକୁ ଦୃଷ୍ଟିରେ ରଖି ସଂପୃକ୍ତ ଇଲାକାରେ ସ୍ଥଳ ବିଶେଷରେ ମତଦାନ ସମୟରେ ପରିବର୍ତ୍ତନ କରାଯିବା ସହ ଆଭ୍ୟନ୍ତରୀଣ ଅଞ୍ଚଳ ପାଇଁ ୨ଟି ହେଲିକପ୍ଟର, ଡ୍ରୋନ୍ କ୍ୟାମେରାର ବନ୍ଦୋବସ୍ତ କରାଯିବା ସହ ବ୍ୟାପକ ସ୍ପେଶାଲ୍ ଅପରେସନ୍ ଗ୍ରୁପକୁ ମୁତୟନ କରାଯାଇଛି। ସେହିପରି ବିଭିନ୍ନ ଦଳର ପ୍ରାର୍ଥୀ ଓ ନିର୍ବାଚନ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ଏସ୍ଓପି ପାଳନ ଲାଗି କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଏହାବ୍ୟତୀତ ସହରାଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିବା କହିଛନ୍ତି ଭାରପ୍ରାପ୍ତ ଡିଜିପି। ଗୋଟିଏ ପଟେ ମତଦାନ ପୂର୍ବରୁ ମାଓବାଦୀଙ୍କ ଗତିବିଧି, ଅନ୍ୟପଟେ କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ୍ ପାଇଁ ପ୍ରସ୍ତୁତି । ଏଭଳି ସ୍ଥିତିରେ ରାଜ୍ୟର ଲାଲ୍ କରିଡରରେ ନିର୍ବାଚନ କିଭଳି ଶୃଙ୍ଖଳିତ ହେଉଛି, ତା’ଉପରେ ରହିଛି ନଜର।
from Odisha Reporter http://bit.ly/2U5rCny
No comments:
Post a Comment