
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ୪ର୍ଥ ପର୍ଯ୍ୟାୟ ମତଦାନ। ୫୫ ଏମପି ଓ ୩୪୬ ଏମ୍ଏଲ୍ଏ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା। ଶେଷ ପର୍ଯ୍ୟାୟ ମତଦାନ ପାଇଁ ସରିଯାଇଛି ପ୍ରଚାର। ସଭା, ଶୋଭାଯାତ୍ରା, ରୋଡ୍ ସୋ’ରେ ଲାଗିଛି ପୂର୍ଣ୍ଣ ବିରାମ।
ନିର୍ବାଚନ ଆଚରଣ ବିଧି ଅନୁସାରେ ମତଦାନର ୩୬ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର । ଏହି ସମୟ ପରଠାରୁ କୌଣସି ପ୍ରାର୍ଥୀ ଅଞ୍ଚଳ ପରିକ୍ରମା କରିପାରିବେ ନାହିଁ କିମ୍ବା ନିଜ ସପକ୍ଷରେ ଭୋଟରଙ୍କୁ କିଛି କହିପାରିବେ ନାହିଁ ।
ହେଲେ ସମସ୍ତେ ଜାଣନ୍ତି, ଏହି ଦୁଇଦିନ ପ୍ରାର୍ଥୀଙ୍କ ପାଇଁ ଖୁବ ଗୁରୁତ୍ୱ ରଖେ। ଏପରିକି ଏହି ଦୁଇ ରାତିର କାରବାର ପ୍ରାର୍ଥୀଙ୍କ ଭାଗ୍ୟ ବଦଳାଇ ଦିଏ।
ଏକଥା ସତ ଯେ, ଏହି ଦେଢ ଦିନ ଦଳୀୟ ପ୍ରଚାର ନିଷେଧ ହୋଇଥାଏ । ହେଲେ ନୀରବ ପ୍ରଚାରରେ କିଛି ଅଙ୍କୁଶ ନ ଥାଏ । କାରଣ ଏହି ସମୟରେ ହିଁ ନେତା ଓ କର୍ମୀଙ୍କର ଆରମ୍ଭ ହୋଇଯାଏ ଅନ୍ଧାରି ବିଜେ । ଗାଁ ଗାଁରେ ପଡେ କର୍ମୀଙ୍କ ଡେରା। ଜଗି ବସନ୍ତି ନିଜ ନିଜ ଭୋଟରଙ୍କୁ। ସବୁଠାରୁ ବଡ କଥା ହେଲା, ଗାଁ, ଗଣ୍ଡା, ବସ୍ତି ଅଞ୍ଚଳ ଭୋଜିଭାତ-ମଦମାଂସରେ ଭାସେ। ଖୁବ୍ ଜମେ ଏହି ଦୁଇ ରାତି। ଖାନା-ପିନା ଦେଇ କର୍ମୀ ଯେମିତି ଜଗିଥାନ୍ତି ନିଜ ନିଜ ଭୋଟରଙ୍କୁ ।
କାରଣ ନେତାଏ ଜାଣନ୍ତି, ନିର୍ବାଚନ ପୂର୍ବର ଏହି ଦୁଇ ରାତି ଭାରି ସାଂଘାତିକ। ପ୍ରାର୍ଥୀଙ୍କ ଭାଗ୍ୟ ବଦଳିଯାଏ। ଜିତିବା ପ୍ରାର୍ଥୀ ମାଟି କାମୁଡ଼ ପଡ଼େ ଆଉ ହାରିବ ପ୍ରାର୍ଥୀ ଉଡ଼ି ଉଡ଼ି ଆସେ। ଲୋକେ କୁହନ୍ତି, ଏହି ଦୁଇରାତିରେ କୁଆଡେ ଭୋଟ ପାଇଁ ନୋଟ୍ ଉଡ଼େ। ଅର୍ଥାତ୍ ନିଲାମ ହୁଏ ମତ । କିଏ କେତେ ଟଙ୍କା ଦେଇ ଭୋଟ କିଣି ପାରୁଛି, ତାହା ଖାଲି ସଠିକ୍ ଜଣାପଡେନି !
ହେଲେ ଆଜିକାଲି ଆପଣ ଦେଖୁଥିବେ, ଏହି ୩୬ ଘଣ୍ଟାର ମୂଲ୍ୟ ଆହୁରି ବଢି ଯାଇଛି। ଅନେକ ସମୟରେ ଏହି ଦୁଇ ରାତି ଯେମିତି ରକ୍ତପାତର ରାତି ପାଲଟି ଯାଉଛି।
ବେଶି ପଛକୁ ନ ଯାଇ ଯିବା ତୃତୀୟ ପର୍ଯ୍ୟୟ ନିର୍ବାଚନକୁ। ୨୩ ତାରିଖ ଥିଲା ମତଦାନ। ୨୨ ତାରିଖ ରାତିରେ ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ କୁଆଡେ ତାଙ୍କ ହୁଙ୍କେଇପୁର ଫାର୍ମ ହାଉସରେ ମଦ ଓ ଟଙ୍କା ବାଣ୍ଟୁଥିଲେ। ଖବର ପାଇ ମାଜିଷ୍ଟ୍ରେଟ ଯିବାରୁ ନିର୍ଦ୍ଧୁମ ଛେଚା ଖାଇ ଡାକ୍ତରଖାନା ଗଲେ। ଆଉ ଏହିସ କାରଣ ପାଇଁ ମହାରାଥୀ ଜେଲ୍ ଯାଇ ବେଲ୍ରେ ଆସିଲେଣି। ସେହି ରାତିରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହୋଇଥିଲା ପ୍ରାକ୍ ନିର୍ବାଚନୀ ହିଂସା। ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ଜେନା, ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଗୁରୁତର ହୋଇ ଡାକ୍ତରଖାନାରେ ପଡ଼ିଲେ। କେନ୍ଦୁଝରର ସ୍ଥିତି ମଧ୍ୟ ସେମିତି କିଛି ଥିଲା।୨୧ ତାରିଖ ଏଠାରେ ଘଟିଥିଲା ହିଂସାକାଣ୍ଡ। ଗୋଟିଏ ଦଳର ଆକ୍ରମଣରେ କଂଗ୍ରେସର ୧୦ ଜଣ କର୍ମୀ ଆହତ ହୋଇଥିଲେ। ଏପରିକି ମାଡ଼ ଖାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
from Odisha Reporter http://bit.ly/2UHD09u
No comments:
Post a Comment