ନିର୍ମଳ ଭାବମୂର୍ତ୍ତି ବିଜେପିର ଭରସା, ପୁରୁଣାଙ୍କ ଉପରେ ଆସ୍ଥା ରଖିଛି କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ନିର୍ମଳ ଭାବମୂର୍ତ୍ତି ବିଜେପିର ଭରସା, ପୁରୁଣାଙ୍କ ଉପରେ ଆସ୍ଥା ରଖିଛି କଂଗ୍ରେସ

ପଟ୍ଟାଙ୍ଗି (ସୂର୍ଯ୍ୟନାରାୟଣ ପଣ୍ଡା):୧୭ତମ ସାଧାରଣ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ହେବ ମତଦାନ। ୭ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଲାଣି। ପ୍ରଚାର କାମ ମଧ୍ୟ ଆରମ୍ଭ ହୋଇଗଲାଣି। ଜିଲ୍ଲାର ୭ ବିଧାନସଭା ଆସନ ମଧ୍ୟରୁ ପଟ୍ଟାଙ୍ଗି ଗୋଟିଏ। ପ୍ରତି ନିର୍ବାଚନରେ ଏଠାରୁ ଜିତିବା ପାଇଁ ପ୍ରାର୍ଥୀଙ୍କୁ ଜୋରଦାର ସଂଘର୍ଷ କରିବାକୁ ପଡ଼େ।
ସମସ୍ୟା
ପଟ୍ଟାଙ୍ଗି ବିଧାନସଭା ଆସନରେ ରହିଛି କୋଟିଆର ବିବାଦୀୟ ୨୧ ଗ୍ରାମ ଏବଂ ନନ୍ଦପୁର ବ୍ଲକର ଅନେକ ସୀମାନ୍ତ ଗ୍ରାମ। ଆନ୍ଧ୍ରପ୍ରଦେଶର ସୀମା ବିବାଦ ପ୍ରତିଥର ନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଛି । ତା ସହିତ ଦୋରା , କମାର , ରଣା , ମାଳି ସମାଜ ସ୍ୱାଧୀନତାର ପରବର୍ତ୍ତୀ କାଳରେ ଆଦିବାସୀ ମାନ୍ୟତା ହରାଇଛନ୍ତି। ଏହି ବିଷୟ ଆଜି ବି ଅମିମାଂଶିତ ହୋଇ ରହିଛି। ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ଗତଥର ବିଜେଡି ପ୍ରାର୍ଥୀ ନିର୍ବାଚନ ଲଢିଥିଲେ। ଏପରିକି ଏହି ସମସ୍ତ ସମସ୍ୟାର ସମାଧାନ ଦିଗରେ ପ୍ରୟାସ କରାଯିବ ବୋଲି ଷ୍ଟାମ୍ପ ପେପରରେ ଲିଖିତ ଦେଇ ଚର୍ଚ୍ଚାକୁ ଆସିଥିଲେ। ହେଲେ ବିଜେଡି ଦଳର ବିଧାୟକ ଏ ନେଇ କୌଣସି ପ୍ରଚେଷ୍ଟା କରିନଥିବା ଅଭିଯୋଗ କରି ଅଞ୍ଚଳବାସୀ ତାଙ୍କ ବିରୁଦ୍ଧରେ ଆନ୍ଦୋଳନ କରିଥିଲେ। ଆଗାମୀ ନିର୍ବାଚନରେ ଏସବୁ ପ୍ରସଙ୍ଗ ହେବ ସହ କୋଟିଆ ବିବାଦ ହେବ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ।

ରାଜେନୈତିକ ସ୍ଥିତି
୧୯୫୭ରୁ ଆଜିଯାଏ ପଟ୍ଟାଙ୍ଗୀ ବିଧାନସଭା ଆସନରେ ୧୨ ଥର ନିର୍ବାଚନ ହୋଇଯାଇଛି। ଭୋଟର କେତେବେଳେ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ଭରସା କରିଛନ୍ତି ତ କେତେବେଳେ ଜନତା ଏବଂ ବିଜେଡି ଦଳ ଉପରେ। ଏତିକି କୁହାଯାଇ ପାରେ, ଏଠାରେ ଭୋଟର ସଚେତନ । ଦଳ ବା ନେତାଙ୍କ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରନ୍ତି ନାହିଁ। ଯିଏ ଅଞ୍ଚଳବାସୀଙ୍କ ପାଇଁ କାମ କରିବା ତା ପକେଟକୁ ଯିବ ଭୋଟ। ୧୨ ଥର ନିର୍ବାଚନରେ କଂଗ୍ରେସ ଏହି ଆସନରୁ ୬ ଥର ଜିତିଥିବାବେଳେ ବିଜେଡି ୩ ଥର, ଜନତା ଦଳ ୨ ଥର ଏବଂ ଉତ୍କଳ କଂଗ୍ରେସ ଥରେ ଏହି ଆସନକୁ ହାତେଇଛନ୍ତି। ତେବେ ବିଜେପି କେବେ ଏହି ଆସନରେ ବିଜୟର ସ୍ୱାଦ ଚାଖିନାହିଁ।

ଗତ ନିର୍ବାଚନରେ ଏହି ଆସନରୁ ପ୍ରଫୁଲ୍ଲ ପାଙ୍ଗି ଜିତିଥିଲେ। ହେଲେ ପଟ୍ଟାଙ୍ଗୀ ବିଧାନସଭାର ଇତିହାସ ଦେଖିଲେ ଯାହା ଜଣାଯାଏ, ଦ୍ୱିତୀୟ ଥର ପାଇଁ ଏଠାରୁ ଜିତିବା ପ୍ରାର୍ଥୀଙ୍କ ପାଇଁ ଏତେ ସହଜ ନୁହେଁ। ଏପରି ପରିସ୍ଥିତିରେ ବିଜେଡି ରଣନୀତି କ’ଣ ହେବ ? ତେଣୁ ବିଜେଡି ଏହି ଆସନରେ ପ୍ରାର୍ଥୀ ରିପିଟ ନ କରି ଜଣେ ନୂଆ ମୁହଁ ଦେଇଛି। ସେ ହେଉଛନ୍ତି ପ୍ରୀତମ ପାଢ଼ୀ। ଅଳ୍ପଦିନ ତଳେ କଂଗ୍ରେସରୁ ଆସି ବିଜେଡିରେ ମିଶିଛନ୍ତି। ବିଜେଡି ଟିକଟରେ ପ୍ରଥମ କରି ନିର୍ବାଚନ ଲଢୁଥିବା ଯୋଗୁଁ ସେ କିପରି ଏହି ସମସ୍ୟାକୁ ସାମନା କରିବେ ତାହା ବିରାଟ ପ୍ରଶ୍ନ ହୋଇ ଦେଖାଦେଇଛି।

ଅନ୍ୟପକ୍ଷେ କଂଗ୍ରେସ ଠିଆ କରାଇଛି ରାମଚନ୍ଦ୍ର କାଡ଼ାମଙ୍କୁ। ସେ ଏହି ଆସନରୁ ଦୁଇଥର ବିଧାୟକ ହୋଇ ସୁନାମ ଅର୍ଜନ କରିଛନ୍ତି। ତେବେ ପଟ୍ଟାଙ୍ଗୀ ବାସୀଙ୍କ ମନ କିଣି ଭୋଟ ହାତେଇବା ଏତେ ସହଜ ହେବ ନାହିଁ ତାଙ୍କ ପାଇଁ। କାରଣ ଏହି ଅଞ୍ଚଳର ଚିରାଚରିତ ସମସ୍ୟାର ସମାଧାନ ସେ ତାଙ୍କର ୨ଟି ଟର୍ମରେ ସମ୍ପୂର୍ଣ୍ଣ କରିପାରି ନାହାନ୍ତି ବୋଲି ଭୋଟର ଅଭିଯୋଗ କରନ୍ତି।

ଅନ୍ୟପକ୍ଷେ ଉଭୟ ରାମଚନ୍ଦ୍ର କାଡ଼ାମ ଓ ପ୍ରୀତମ ପାଢ଼ିଙ୍କ ଘର ସେମିଳିଗୁଡା ବ୍ଲକରେ। ବିଜେଡି ଟିକଟ ପାଇ ନପାରି ସ୍ୱାଧୀନ ପ୍ରାର୍ଥୀ ଭାବେ ରଣାଙ୍ଗନଙ୍କୁ ଓହ୍ଲାଇଛନ୍ତି ଚୈତନ୍ୟ ନନ୍ଦବାଲି। ବିଜେଡି ବିଦ୍ରୋହ ଭାବ କିଛି ଦଳୀୟ ଭୋଟ ତାଙ୍କ ହାତରେ ଥିବ। ଏଥି ସହିତ ତାଙ୍କ ଘର ସେମିଳିଗୁଡ଼ା ବ୍ଲକ ଅଞ୍ଚଳରେ। ତେଣୁ ଏହି ତିନିଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତ ତୀବ୍ର ହେବ, ତା ସହିତ ଗୋଟିଏ ଅଞ୍ଚଳର ଭୋଟ ତିନିଭାଗ ହୋଇଯିବାର ଆଶଙ୍କା ରହିଛି।

ବିଜେପି ମଧ୍ୟ ଏହି ଆସନରେ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ପାଙ୍ଗୀଙ୍କୁ ପ୍ରାର୍ଥୀ କରିଛି। ଯେହେତୁ ଏହି ଆସନରୁ ବିଜେପି କେବେ ଭୋଟ ପାଇ ନାହିଁ ତେଣୁ ଦଳ ଏକ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ବ୍ୟକ୍ତିତ୍ୱକୁ ଭୋଟରଙ୍କ ସାମ୍ନାରେ ଛିଡ଼ା କରାଇଛି। ମତଦାନ ଆଉ ଅଳ୍ପ ଦିନ ରହିଥିବାବେଳେ ସବୁ ଦଳ ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ ଆରମ୍ଭ କରିଦେଲେଣି।



from Odisha Reporter https://ift.tt/2UfDyav

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages