
ସିଙ୍ଗାପୁର: ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ ବିଜୟଧାରା ଅବ୍ୟାହତ ରଖି ଚଳିତ ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ଦେଶର ଅନ୍ୟତମ ତାରକା ସାଇନା ନେହ୍ୱାଲ ଓ କିଦାମ୍ବୀ ଶ୍ରୀକାନ୍ତ କ୍ୱାର୍ଟରଫାଇନାଲରୁ ବିଦାୟ ନେଇଛନ୍ତି।
ଶୁକ୍ରବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ସିନ୍ଧୁ ଚୀନର କାଇ ୟାନୟାନଙ୍କୁ ୨୧-୧୩, ୧୭-୨୧, ୨୧-୧୪ ଗେମରେ ପରାସ୍ତ କରିଛନ୍ତି। ସେମିରେ ସିନ୍ଧୁଙ୍କ ସାମ୍ନା ୱାର୍ଲ୍ଡ ଚାମ୍ପିଅନ୍ ଜାପାନର ନୋଜୋମି ଓକୁହାରାଙ୍କ ସହ ହେବ। ଚଳିତ ସିଜନରେ ସିନ୍ଧୁ ଦ୍ୱିତୀୟଥର ପାଇଁ କୌଣସି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ ପହଞ୍ଚିଛନ୍ତି।
ଗତମାସରେ ସେ ଇଣ୍ଡିଆ ଓପନ୍ ସେମିଫାଇନାଲରେ ସ୍ଥାନ ହାସଲ କରିଥିଲେ। ଦ୍ୱିତୀୟ ସିଡ୍ ଓକୁହାରା କ୍ୱାର୍ଟରରେ ଷଷ୍ଠ ସିଡ୍ ସାଇନାଙ୍କୁ ୨୧-୮, ୨୧-୧୩ ଗେମରେ ପରାସ୍ତ କରିଛନ୍ତି। ସିନ୍ଧୁ ଓ ୟାନୟାନଙ୍କ ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟର ମୁକାବିଲା ସଂଘର୍ଷପୂର୍ଣ୍ଣ ହୋଇଥିଲା।
ମ୍ୟାଚର ପ୍ରଥମ ଗେମରେ ସିନ୍ଧୁ ସହଜ ବିଜୟ ସହ ୧-୦ରେ ଆଗୁଆ ହୋଇଥିଲେ। କିନ୍ତୁ ଦ୍ୱିତୀୟ ଗେମରେ ସିନ୍ଧୁଙ୍କୁ ୟାନୟାନ୍ କଡ଼ା ଟକ୍କର ଦେଇଥିଲେ। ୟାନୟାନ୍ ଲଗାତାର ଆକ୍ରମଣ କରି ଦ୍ୱିତୀୟ ଗେମକୁ ୨୧-୧୭ରେ ଜିତି ମ୍ୟାଚକୁ ୧-୧ରେ ବରାବର ସ୍ଥିତିକୁ ଆଣିଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ଗେମରେ ସିନ୍ଧୁ ଅଗ୍ରଣୀ ହାସଲ କରିଥିଲେ ଏବଂ ଏହାକୁ ସେ ଶେଷ ପର୍ଯ୍ୟନ୍ତ ବଜାୟ ରଖି ମ୍ୟାଚକୁ ଜିତି ନେଇଥିଲେ।
ଅନ୍ୟପକ୍ଷରେ ସାଇନାଙ୍କ କ୍ୱାର୍ଟରରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଏହି ମୁକାବିଲା ସମ୍ପୂର୍ଣ୍ଣ ଏକତରଫା ହୋଇଥିଲା। ପ୍ରଥମ ଗେମରେ ଓକୁହାରା ୯-୦ରେ ଆଗୁଆ ରହିଥିଲେ ଏବଂ ସାଇନାଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ କୌଣସି ସୁଯୋଗ ଦେଇନଥିଲେ।
ଦ୍ୱିତୀୟ ଗେମରେ ସାଇନା ୪-୦ରେ ଅଗ୍ରଣୀ ସହ ଆରମ୍ଭ କରିଥିଲେ ଏବଂ ବ୍ରେକ୍ ସୁଦ୍ଧା ସେ ୧୧-୮ରେ ଆଗୁଆ ଥିଲେ। କିନ୍ତୁ ଏହା ପରେ ଜାପାନ ଖେଳାଳି ଓକୁହାରା ଦମଦାର ପ୍ରତ୍ୟାବର୍ତ୍ତନ କରି ଗେମକୁ ସହଜରେ ଜିତି ନେଇଥିଲେ।
ସେହିପରି ଶୁକ୍ରବାର ଖେଳାଯାଇଥିବା ପୁରୁଷ କ୍ୱାର୍ଟରଫାଇନାଲରେ ଭାରତର ଶ୍ରୀକାନ୍ତ ଜାପାନର କେଣ୍ଟୋ ମୋମୋତାଙ୍କଠାରୁ ୧୮-୨୧, ୨୧-୧୯, ୯-୨୧ ଗେରେ ହାରି ବିଦାୟ ନେଇଛନ୍ତି। ଏହି ମ୍ୟାଚର ପ୍ରଥମ ଗେମକୁ ମୋମୋତା ଜିତିନେଇଥିବା ବେଳେ ଶ୍ରୀକାନ୍ତ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ଗେମକୁ ଜିତି ମ୍ୟାଚ୍ ୧-୧ରେ ବରାବର କରିଥିଲେ। ନିର୍ଣ୍ଣାୟକ ତଥା ତୃତୀୟ ଗେମରେ ଶ୍ରୀକାନ୍ତ ଖରାପ ପ୍ରଦର୍ଶନ କରିଥିଲେ, ଯାହାର ଫାଇଦା ଉଠାଇ ମୋମୋତା ମ୍ୟାଚକୁ ହାତେଇ ନେଇଥିଲେ।
from Odisha Reporter http://bit.ly/2Glz2hJ
No comments:
Post a Comment