
ବେଙ୍ଗାଲୁରୁ: ଶୁକ୍ରବାର ରାତିରେ ଚଳିତ ଆଇପିଏଲ୍ର ସବୁଠାରୁ ବଡ଼ ବିସ୍ଫୋରକ ଇନିଂସ୍ ଦେଖିବାକୁ ମିଳିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ରାଇଡର୍ସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ନିଜର ଜଲୱା ଦେଖାଇଛନ୍ତି।
ବେଙ୍ଗାଲୁରୁ ଦେଇଥିବା ବିଶାଳ ୨୦୬ ରନ୍ର ଟାର୍ଗେଟକୁ କୋଲକାତା ମାତ୍ର ୧୯.୧ ଓଭର୍ରେ ହାସଲ କରି ନେଇଥିଲା। ମ୍ୟାଚ୍ ଆରମ୍ଭରୁ ଶେଷ ୩ ଓଭର୍ ଯାଏ ବେଙ୍ଗାଲୁରୁ ମ୍ୟାଚ୍ ଜିତିବ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ ଶେଷ ୩ ଓଭର୍ରେ ରସେଲଙ୍କ ପ୍ରହାର ଯୋଗୁ ବେଙ୍ଗାଲୁରୁ ମ୍ୟାଚ୍ ହାରିଛି।
ରସେଲ ମାତ୍ର ୧୩ଟି ବଲ୍ରେ ଅପରାଜିତ ୪୮ ରନ୍ର ଇନିଂସ୍ ଖେଳିଛନ୍ତି। ଏଥିରେ ୭ଟି ଛକା ଓ ଗୋଟିଏ ଚୌକା ରହିଛି। ରସେଲଙ୍କ ପ୍ରହାର ଆଗରେ ବେଙ୍ଗାଲୁରୁ ଅଧିନାୟକ ବିରାଟ୍ କୋହଲିଙ୍କ ସବୁ ରଣନୀତି ଫିକା ପଡ଼ିଯାଇଥିଲା। କୋଲକାତାକୁ ଜିତିବା ପାଇଁ ଶେଷ ୩ ଓଭର୍ରେ ୫୩ ରନ୍ ଦରକାର ଥିବା ବେଳେ ରସେଲ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ରସେଲଙ୍କ ବ୍ୟାଟିଂ ଯୋଗୁ କୋଲକାତା ୧୮ତମ ଓଭର୍ରେ ୨୩ ରନ୍ ଓ ୧୯ତମ ଓଭର୍ରେ ୨୯ ରନ୍ ହାସଲ କରିଥିଲା।
୧୮ତମ ଓଭର ବୋଲିଂ କରୁଥିବା ମହମ୍ମଦ ସିରାଜଙ୍କ ପ୍ରଥମ ଦୁଇଟି ବଲ୍ ରସେଲ ଖେଳି ପାରି ନଥିଲେ। କିନ୍ତୁ ସେ ଏକ ବିମର ମାଡ଼ କରିବାରୁ ଏହାକୁ ରସେଲ ଛକା ମାରିଥିଲେ। ଏଥିସହ ଏହା ନୋ ବଲ୍ ହୋଇଥିଲା। ବିମର ପାଇଁ ସିରାଜ ମଧ୍ୟ ଆଉ ବୋଲିଂ କରିବାକୁ ଅନୁମତି ପାଇ ନଥିଲେ। ତାଙ୍କ ବଦଳରେ ବିରାଟ୍ ଅଷ୍ଟ୍ରେଲୀୟ ତାରକା ମାର୍କସ ଷ୍ଟୋଇନିସ୍ଙ୍କୁ ବଲ୍ ଦେଇଥିଲେ।
ହେଲେ ରସେଲ ତାଙ୍କୁ ଲଗାତର ଦୁଇଟି ଛକା ମାରିଥିଲେ ଏବଂ ସେହି ଓଭର୍ରେ କୋଲକାତା ୨୩ ରନ୍ ହାସଲ କରିଥିଲା। ଏହାପରେ ଅଭିଜ୍ଞ ଟିମ୍ ସାଉଦି ବୋଲିଂ କରିବାକୁ ଆସିଥିଲେ। ରସେଲ ଉକ୍ତ ଓଭର୍ରେ ୨୯ ରନ୍ ହାସଲ କରି ନେଇଥିଲେ। ଶେଷ ଓଭର୍ରୁ ମାତ୍ର ୧ ରନ୍ ଦରକାର ଥିବା ବେଳେ ଶୁଭମନ ଗିଲ୍ ଏକ ରନ୍ ନେଇ କୋଲକାତାକୁ ବିଜୟୀ କରାଇଥିଲେ।
ରସେଲଙ୍କ ବ୍ୟତୀତ ଗତକାଲିର ମ୍ୟାଚ୍ରେ କ୍ରିସ୍ ଲୀନ ୪୩, ରବିନ ଉତ୍ଥାପ୍ପା ୩୩ ଓ ନୀତୀଶ ରାଣା ୩୭ ରନ୍ କରିଥିଲେ।
from Odisha Reporter http://bit.ly/2VsoDXA
No comments:
Post a Comment