
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ସୁପ୍ରିମ୍କୋର୍ଟର ପୂର୍ବତନ ମହିଳା କର୍ମଚାରୀ ତଦନ୍ତ ପ୍ରକ୍ରିୟାରେ ସାମିଲ ହେବାକୁ ମନା କରିଛନ୍ତି। ମଙ୍ଗଳବାର ସେ କୋର୍ଟର ଆଭ୍ୟନ୍ତରୀଣ ତଦନ୍ତରୁ ଓହରିଥିବା ବିଷୟରେ ସୂଚନା ଦେଇଛନ୍ତି। ଏହି ମାମଲାର ଶୁଣାଣିରେ ତାଙ୍କ ପାଇଁ କୌଣସି ଓକିଲ ବା ଆଇନଗତ ସହାୟତା ପାଇଁ କୌଣସି ବ୍ୟକ୍ତିଙ୍କ ଉପସ୍ଥିତିକୁ ଅନୁମତି ମିଳିନଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ତା’ ଛଡ଼ା ଏଭଳି କମିଟି ଠାରୁ ସେ ନ୍ୟାୟ ପାଇବେ ବୋଲି ଆଶା କରୁ ନାହାନ୍ତି। ସେ କହିଛନ୍ତି, ଏହା ପ୍ରଧାନ ବିଚାରପତିଙ୍କ ଠାରୁ ଜୁନିଅର ବିଚାରପତିଙ୍କୁ ନେଇ ଗଠିତ ଏକ ଆଭ୍ୟନ୍ତରୀଣ କମିଟି, ଯାହା ସେ ଚାହୁଁ ନ ଥିଲେ।
ସେ କହିଛନ୍ତି, “କମିଟି ମୋତେ ବାରମ୍ବାର ପଚାରି ଆସୁଛି ମୁଁ ଏତେ ବିଳମ୍ବରେ କାହିଁକି ଯୌନ ନିର୍ଯାତନା ଅଭିଯୋଗ ଆଣିଲି। କମିଟିର ମାହୋଲ ମୋତେ ଭୟଭୀତ କଲା ପରି ଲାଗୁଥିଲା। କୌଣସି ଆଇନବିତଙ୍କ ବିନା ସହାୟତାରେ ମୁଁ ୩ ଜଣ ସୁପ୍ରିମ୍କୋର୍ଟ ବିଚାରପତିଙ୍କ ପ୍ରଶ୍ନର ସାମ୍ନା କରୁଥିଲି। ଏଥିରେ ମୁଁ ଭାଙ୍ଗିପଡ଼ିଥିଲି।”
ସେ ଆହୁରି ମଧ୍ୟ କହିଥିଲେ, ମୋତେ ଦୁର୍ବଳ କରିବାକୁ ଉଦ୍ଦିଷ୍ଟ ଏହି ଶୁଣାଣିରେ “ମୋ ବିବୃତିକୁ ନେଇ କ’ଣ ପ୍ରକୃତରେ ରେକର୍ଡ କରାଯାଉଛି ମୁଁ ଜାଣିପାରୁନଥିଲି। ଏପରିକି ଏପ୍ରିଲ ୨୬ ଓ ୨୯ରେ ରେକର୍ଡ କରାଯାଇଥିବା ମୋର ବିବୃତିର ନକଲ ମଧ୍ୟ ମୋତେ ଦିଆଯାଇନଥିଲା।”
ଦୁଇ ଦିନର ପଚରାଉଚରା ପରେ ଆଜି ସେ ଏକ ଚିଠି ଆଣିଥିଲେ। ଏଥିରେ ସେ କାହିଁକି ଏତେଦିନ ପରେ ଯୌନ ନିର୍ଯାତନା ବାବଦରେ ଅଭିଯୋଗ ଆଣୁଛନ୍ତି ସେ ସମ୍ପର୍କରେ ତାଙ୍କ ବୟାନ ରଖିଥିଲେ। ସେ ଏହି ଅବସରରେ କହିଥିଲେ, ଓକିଲଙ୍କ ଉପସ୍ଥିତି ବିନା ଏହି ଶୁଣାଣି ସମୟରେ ମୋ ଉପରେ ଅତ୍ୟଧିକ ମାନସିକ ଚାପ ପଡ଼ୁଥିଲା। ଏପରିକି ସେ କୋର୍ଟରୁ ବାହାରିବା ପରେ ତାଙ୍କୁ କେହି ଜଣେ ଅନୁସରଣ କରୁଥିବା ସେ ଅଭିଯୋଗ ଆଣିଛନ୍ତି।
ଗତ ଏପ୍ରିଲ ୨୦ରେ କିଛି ୱେବ୍ ନ୍ୟୁଜ୍ ପ୍ଲାଟଫର୍ମରେ ଏହି ମହିଳାଙ୍କ ଅଭିଯୋଗ ବାବଦରେ ଖବର ପ୍ରକାଶିତ ହେବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା। ସେ ୨୨ ଜଣ ସୁପ୍ରିମ୍କୋର୍ଟ ବିଚାରପତିଙ୍କ ପାଖକୁ ପଠାଇଥିବା ସତ୍ୟପାଠ ଆଧାରରେ ଏହି ଖବର କରାଯାଇଥିଲା। ସେ ଅଭିଯୋଗ ଆଣିଥିଲେ, ସିଜେଆଇଙ୍କ କଥାରେ ରାଜି ନ ହେବାରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା।
from Odisha Reporter http://bit.ly/2GTS1kU
No comments:
Post a Comment